
ସମ୍ବଲପୁର, ୧୩ ନଭେମ୍ବର(ହି.ସ.) – ରାଷ୍ଟ୍ରୀୟ ବାଳ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ହେଉଛି ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନ୍ ଅଧୀନରେ ଚାଲିଥିବା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ, ଯାହା ଜନ୍ମରୁ ୧୮ ବର୍ଷ ବୟସ୍କ ପର୍ଯ୍ୟନ୍ତ ଶିଶୁମାନଙ୍କ ସ୍କ୍ରିନିଂ ଓ ପ୍ରାରମ୍ଭିକ ହସ୍ତକ୍ଷେପ ପାଇଁ ଉଦ୍ଧିଷ୍ଟ। ଜନ୍ମଜ ଦୋଷ, ଅଭାବ, ରୋଗ ଓ ବିକାଶ ଜଟିଳତା ଚିହ୍ନଟ କରି ଆବଶ୍ୟକ ଚିକିତ୍ସା ସହାୟତା ଓ ଅନ୍ୟ ସୁବିଧା ମାଗଣାରେ ଯୋଗାଇ ଦେବା ପାଇଁ ଏହି କାର୍ଯ୍ୟକ୍ରମ ଲକ୍ଷ ରଖିଛି। ଆଜି ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ନିମନ୍ତେ ବୈଠକ ଆଭାସୀ ମାଧ୍ୟମରେ ଆୟୋଜିତ ହୋଇଥିଲା। ଉକ୍ତ ବୈଠକ ଜିଲ୍ଲାପାଳ ସମ୍ବଲପୁର ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା। ଏହି ବୈଠକରେ ଆଙ୍ଗନୱାଡ଼ି କେନ୍ଦ୍ରରେ ଥିବା ଶିଶୁମାନଙ୍କ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ସଂପର୍କୀୟ ସ୍କ୍ରିନିଂ ଅଭିଯାନର ପ୍ରଗତି, ଚିହ୍ନିତ ଶିଶୁମାନଙ୍କ ପାଇଁ ଆବଶ୍ୟକ ଚିକିତ୍ସା ସହାୟତା ଓ ରିଫେରେଲ୍ ପ୍ରକ୍ରିୟା, ତଥା ଶିଶୁମାନଙ୍କ ସମଗ୍ର ବିକାଶ ସହିତ ରାଷ୍ଟ୍ରୀୟ ବାଳ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଓ ମ୍ଲାନ କାର୍ଯ୍ୟକ୍ରମ ଅଧୀନରେ ଥିବା ରେସିଡେନ୍ସିଆଲ୍ ସ୍କୁଲ୍ଗୁଡ଼ିକର ସ୍ଥିତି ବିଷୟରେ ଆଲୋଚନା ହୋଇଥିଲା। ଜିଲ୍ଲାପାଳ ଅଙ୍ଗନୱାଡ଼ି କେନ୍ଦ୍ର, ବିଶେଷ ରେସିଡେନ୍ସିଆଲ୍ ସ୍କୁଲ୍ ଓ ଅନ୍ୟାନ୍ୟ ଶିଶୁ ଗୃହଗୁଡ଼ିକୁ ରେ ଯାଇ ନିୟମିତ ଭାବରେ ନିରୀକ୍ଷଣ କରିବେ ଓ ଶିଶୁମାନଙ୍କ ରୋଗର ଚିହ୍ନଟ ଓ ତାହାର ସମୟୋପଯୁକ୍ତ ଚିକିତ୍ସା ଓ ଆବଶ୍ୟକ ସହାୟତା ଯୋଗାଇଦେବା ପାଇଁ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଶୈଳେଶ