
କନ୍ଧମାଳ, ୧୩ ନଭେମ୍ବର (ହି.ସ.)- କନ୍ଧମାଳ ଜିଲ୍ଲାରେ ଚଳିତ ବର୍ଷ ଶୀତର ପ୍ରକୋପ ଅଧିକ ରହିବା ନେଇ ପୂର୍ବାନୁମାନ ଥିବାବେଳେ ଏହା ବାସ୍ତବରେ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲାରେ। ଲଘୁଚାପର ପ୍ରଭାବ ଯୋଗୁଁ କିଛି ଦିନ ବିଳମ୍ବରେ ଶୀତର ପ୍ରଭାବ ଅନୁଭୂତ ହୋଇଥିଲେ ହେଁ ଏକ ସପ୍ତାହ ମଧ୍ୟରେ ଜିଲ୍ଲାରେ ଦୃତ ଗତିରେ ତଳକୁ ଖସିଛି ତାପମାତ୍ରା । ଗତ ଶୁକ୍ରବାର ଠାରୁ ଜିଲ୍ଲାର ଦାରିଙ୍ଗବାଡ଼ିର ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରୀ ସେଲସିୟସ ଓ ଫୁଲବାଣୀର ୧୪ ଡିଗ୍ରୀ ରହିଥିବା ନେଇ ସୂଚନା ଦେଇଥିଲା ପାଣିପାଗ ବିଭାଗ। ଏହା ଦୃତ ଗତିରେ ତଳକୁ ଖସି ଗତକାଲି ଦାରିଙ୍ଗବାଡ଼ିର ତାପମାତ୍ରା ୮.୫ ଡିଗ୍ରୀ ରହିଥିଲା ବେଳେ ଆଜି ଆଉ ୧ ଡିଗ୍ରୀ ହ୍ରାସ ପାଇ ଗୁରବାର ଦାରିଙ୍ଗବାଡ଼ିରେ ୭.୫ ଡିଗ୍ରୀକୁ ଖସି ଆସିଛି। ଯାହାକି ରାଜ୍ୟର ସର୍ବନିମ୍ନ ତାପମାତ୍ରା ବୋଲି ଜଣାପଡିଛି। ସେହିପରି ଜିଲ୍ଲାର ଘୁ. ଉଦୟଗିରିରେ ୭.୬ ଡିଗ୍ରୀ ଓ ଫୁଲବାଣୀରେ ୮.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଗତ ୬ ତାରିଖରେ ଦାରିଙ୍ଗବାଡ଼ିରେ ତାପମାତ୍ରା ୧୫ ଡିଗ୍ରୀ ରହିଥିବା ବେଳେ ଗତ ୬ ଦିନ ମଧ୍ୟରେ ଦାରିଙ୍ଗବାଡ଼ିର ତାପମାତ୍ରା ୭.୫ ଡିଗ୍ରୀକୁ ଖସି ଆସିଛି । ଏହାର ପରିଣାମ ସ୍ୱରୂପ ରାଜ୍ୟର କାଶ୍ମୀର ଭାବରେ ପରିଚିତ ଦାରିଙ୍ଗବାଡ଼ି ସମେତ ଫୁଲବାଣୀ, ଘୁ. ଉଦୟଗିରି ତଥା ଜିଲ୍ଲାର ଆଭ୍ଯନ୍ତରୀଣ ଅଞ୍ଚଳ ଗୁଡିକରେ ଭୀଷଣ ଶୀତ ଅନୁଭୂତ ହେଉଛି। ଶୀତରୁ ରକ୍ଷା ପାଇବା ପାଇଁ ଲୋକେ ନିଆଁ ଲଗାଇ ଏହା ପାଖରେ ବସୁଥିବା ଦେଖିବାକୁ ମିଳିଛି । ଆଭ୍ୟନ୍ତରୀଣ ଅଞ୍ଚଳରେ ଶୀତର ପ୍ରକୋପ ବୃଦ୍ଧି ସହିତ ପ୍ରବଳ ଜାଡ଼ ଅନୁଭୂତ ହେଉଛି। ଦିନକୁ ଦିନ ଶୀତର ପ୍ରକୋପ ବୃଦ୍ଧି ପାଉଥିବା ବେଳେ ଜାଡ଼ ଯୋଗୁଁ ସ୍ଥାନୀୟ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସକାଳ ୧୦ଟା ପରେ ଲୋକେ ଘରୁ ବାହାରକୁ ବାହାରୁଛନ୍ତି। ଅନ୍ୟପକ୍ଷରେ ଶୀତର ମଜା ନେବା ପାଇଁ ଯୁବ ପିଢ଼ି ଓ ମହିଳା ମାନେ ପ୍ରାତଃ ଭ୍ରମଣ ଓ ବ୍ୟାୟାମ କରୁଥିବା ଦେଖିବାକୁ ମିଳୁଛି। ହେଲେ ଗରିବ ନିରାଶ୍ରୟ ଲୋକେ ବାସହୀନ ଓ ଶୀତବସ୍ତ୍ର ଅଭାବରେ ହଇରାଣ ହରକତ ହେଉଥିବା ଜଣାପଡ଼ିଛି।
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ