
ସଡ଼କ ସୁରକ୍ଷା ନିୟମ ଉଲ୍ଲଙ୍ଘନ ବିରୋଧରେ ରାଜ୍ୟବ୍ୟାପୀ କଡ଼ାକଡ଼ି ଯାଂଚ
ଭୁବନେଶ୍ୱର,୧୩ ନଭେମ୍ବର (ହି.ସ)- ସଡ଼କ ଦୁର୍ଘଟଣା ଓ ତଦଜନିତ ମୃତ୍ୟୁ ସଂଖ୍ୟା ହ୍ରାସ ପାଇଁ ସରକାରଙ୍କ ଦ୍ୱାରା ନିରନ୍ତର ପ୍ରୟାସ ଜାରି ରହିଛି । ନିକଟରେ ଶୂନ ଦୁର୍ଘଟଣା ଦିବସ ପାଳନ ପରେ ଏବେ ଶୂନ ମୃତାହତ ପକ୍ଷ ପାଳନ ପାଇଁ ନିଷ୍ପତି ଗ୍ରହଣ କରାଯାଇଛି । ନଭେମ୍ବର ୧୬ ରୁ ୩୦ ଯାଏଁ ସାରା ରାଜ୍ୟରେ ଏଥିପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେବାକୁ ବାଣିଜ୍ୟ ଓ ପରିବହନ ବିଭାଗ ନିଷ୍ପତି ଗ୍ରହଣ କରିଛି । ଏହି ସମୟରେ ଚାରିଟି ‘ଇ’ ଯଥା- ଏନଫୋର୍ସମେଂଟ, ଇଂଜିନିୟରିଂ, ଏଜୁକେସନ ଓ ଏମର୍ଜେନ୍ସି କେୟାରକୁ ପ୍ରାଧାନ୍ୟ ଦିଆଯିବ ।
ସଡ଼କ ଦୁର୍ଘଟଣା ଜନିତ ଶୂନ ମୃତାହତ ପାଳନ ସମୟରେ ସଡ଼କ ନିୟମ ଉଲ୍ଲଙ୍ଘକାରୀଙ୍କ ବିରୋଧରେ ଶୂନ ସହନଶୀଳତା ନୀତି ଅବଲମ୍ୱନ କରାଯିବ । ସାରା ରାଜ୍ୟରେ କଡ଼ାକଡ଼ି ଯାଞ୍ଚ କରାଯିବ । ଏଥିପାଇଁ ସମସ୍ତ ଜିଲ୍ଲା ପ୍ରଶାସନକୁ ବିଭାଗ ପକ୍ଷରୁ ଏକ ମାର୍ଗଦର୍ଶିକା ପ୍ରଦାନ କରାଯାଇଛି । ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ ଏବଂ ଅନ୍ୟ ବିଭାଗ ସହ ମିଳିତ ଭାବରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଦ୍ୱାରା ଏନଫୋର୍ସମେଂଟ କାର୍ଯ୍ୟକ୍ରମ ବ୍ୟାପକ କରାଯିବ। ବିଶେଷକରି, ଜନଗହଳି ସ୍ଥାନ, ଟ୍ରାଫିକ ପଏଂଟ, ଶିକ୍ଷାନୁଷ୍ଠାନ, ମଲ୍. ବଜାର ଆଦି ସ୍ଥାନରେ ଟିମ୍ ମୁତୟନ ରହିବେ। ସଡ଼କରେ ବେପରୁଆ ଗାଡ଼ି ଚାଳନା କରି ନିଜ ସହ ଅନ୍ୟ ସଡ଼କ ବ୍ୟବହାକରୀଙ୍କ ପାଇଁ ବିପଦ ସୃଷ୍ଟି କରୁଥିବା ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ମୋଟର ଯାନ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ସେହିଭଳି ଚିହ୍ନଟ ହୋଇଥିବା ଦୁର୍ଘଟଣାପ୍ରବଣ ରାସ୍ତା ଉପରେ ମଧ୍ୟ ବିଶେଷ ନଜର ରହିବ । କିଭଳି ସେଠାରେ ଦୁର୍ଘଟଣାକୁ ହ୍ରାସ କରାଯାଇପାରିବ ସେଥିପାଇଁ ମଧ୍ୟ ପଦକ୍ଷେପ ଗ୍ରହଣ କରିବାକୁ ବିଭାଗ ପକ୍ଷରୁ ଜିଲ୍ଲା ପ୍ରଶାସନଙ୍କୁ କୁହାଯାଇଛି । ରାସ୍ତା ଇଞ୍ଜିନିୟରିଂ ସଂସ୍ଥା ମାନେ ଏ ଦିଗରେ ସକ୍ରିୟ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି। ତ୍ରୁଟି ଗୁଡ଼ିକୁ ସଂଶୋଧନ କରିବା, ରାସ୍ତା ସାଇନେଜ୍ ଲଗାଇବା ଭଳି ବିଷୟକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି ।
ଜନସାଧାରଣଙ୍କୁ ସଡ଼କ ସୁରକ୍ଷା ନିୟମ ପ୍ରତି ଅବଗତ କରିବା ଏବଂ ସେମାନଙ୍କ ଜୀବନ ରକ୍ଷା ପାଇଁ ଏହାର ପାଳନ କିଭଳି ଅନିବାର୍ଯ୍ୟ ସେ ସଂପର୍କରେ ସଚେତନତା କାର୍ଯ୍ୟକ୍ରମ ଗ୍ରହଣ କରାଯିବ। ଏଥିପାଇଁ ଉଭୟ ସରକାରୀ ଓ ବେସରକାରୀ ସଂସ୍ଥା ସହଭାଗିତାରେ ଉଦ୍ୟମ ହେବ । ଏତଦବ୍ୟତୀତ ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ତ୍ୱରିତ ସହାୟତା ପହଞ୍ଚାଇ ଜୀବନ ରକ୍ଷା ପାଇଁ ମଧ୍ୟ ଜନସାଧାରଣଙ୍କୁ ଉତ୍ସାହିତ କରାଯିବ।
ପୂର୍ବ ବର୍ଷମାନଙ୍କରେ ଶୂନ ମୃତାହତ ସପ୍ତାହ ପାଳନ କରାଯାଇଛି। ସେ ସମୟରେ ରାଜ୍ୟରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ଉଲ୍ଲେଖନୀୟ ଭାବେ ହ୍ରାସ ପାଇଥିଲା । ଏହାକୁ ଦୃଷ୍ଟିରେ ବିଭାଗ ଚଳିତ ଥର ଏହି କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରିବାକୁ ଶୂନ ମୃତାହତ ପକ୍ଷ ପାଳନ ପାଇଁ ନିଷ୍ପତି ନେଇଛି। ଯାହାର ଲକ୍ଷ୍ୟ ହେଉଛି, ସଡ଼କ ଦୁର୍ଘଟଣା ଓ ତଦଜନିତ ମୃତ୍ୟୁ ସଂଖ୍ୟା ହ୍ରାସ କରିବା ।
ପ୍ରଥମେ, ନଭେମ୍ବର ୧ରୁ ୧୫ ଯାଏଁ ଏହା ପାଳନ ପାଇଁ ନିଷ୍ପତି ହୋଇଥିଲା। ତେବେ ବାତ୍ୟା ମୋନ୍ଥାକୁ ଦୃଷ୍ଟିରେ ରଖି ଏହାକୁ ନଭେମ୍ବର ୧୬ରୁ ୩୦ ଯାଏଁ ପାଳନ ପାଇଁ ପରବର୍ତୀ ସମୟରେ ନିଷ୍ପତି ଗ୍ରହଣ କରାଯାଇଥିଲା । ବିକଶିତ ଓଡ଼ିଶା ଗଠନରେ ସଡ଼କ ଦୁର୍ଘଟଣା ହ୍ରାସକୁ ଏକ ପ୍ରମୁଖ ଲକ୍ଷ୍ୟ ଭାବରେ ସରକାର ରଖିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ “ସୁରକ୍ଷିତ ଭାବେ ଘରକୁ ଫେରନ୍ତୁ” ବା “କମ୍ ହୋମ୍ ସେଫ୍”କୁ ଜନସାଧାରଣଙ୍କ ନିକଟରେ ପହଂଚାଯାଉଛି । ପ୍ରତିଟି ଜୀବନ ମୂଲ୍ୟବାନ । ଗୋଟିଏ ବି ମୃତ୍ୟୁ, ବହୁତ ଅଧିକ । ତେଣୁ ପ୍ରତିଟି ଜୀବନ ରକ୍ଷା ପାଇଁ ସଡ଼କ ସୁରକ୍ଷାକୁ ଏକ ସାମୂହିକ ଦାୟିତ୍ୱ ଭାବେ ଗ୍ରହଣ କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା