
ଭୁବନେଶ୍ୱର,୧୩ ନଭେମ୍ବର (ହି.ସ)- ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ ଅବସରରେ ଗୁରୁବାର ଦିନ ନିମାପଡ଼ାର କାଜିପାଟଣା ଛକରୁ ନିମାପଡ଼ାର ବାରବାଟୀ ପଡ଼ିଆ ଯାଏଁ ଏକତା ପଦଯାତ୍ରା ଆୟୋଜିତ ହୋଇଯାଇଛି। ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏହି ପଦଯାତ୍ରାରେ ଯୋଗ ଦେଇଥିଲେ।
ଏକ୍ସରେ ଶ୍ରୀମତୀ ପରିଡା ଲେଖିଛନ୍ତି ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ ଅବସରରେ ଓଡ଼ିଶା ସମେତ ସମଗ୍ର ଦେଶରେ ଏକ ବର୍ଷବ୍ୟାପୀ କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ଏହି କ୍ରମରେ ଆଜି ନିମାପଡ଼ା ନିର୍ବାଚନମଣ୍ଡଳୀର କାଜିପାଟଣା ଛକରୁ ନିମାପଡ଼ାର ବାରବାଟୀ ପଡ଼ିଆ ଯାଏଁ ଏକତା ପଦଯାତ୍ରାରେ ଯୋଗଦେବାର ସୌଭାଗ୍ୟ ମିଳିଲା ।
'ଅଖଣ୍ଡ ଭାରତ'ର ସ୍ୱପ୍ନ ଦେଖି ଦେଶକୁ ଏକତାର ସୂତ୍ରରେ ବାନ୍ଧିଥିଲେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ । ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ 'ଏକ ଭାରତ ଶ୍ରେଷ୍ଠ ଭାରତ' ଆଦର୍ଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୀ ସର୍ଦ୍ଦାରଜୀଙ୍କ ସ୍ୱପ୍ନ ପୂରଣ ଦିଗରେ ଉତ୍ସର୍ଗୀକୃତ ଅଛନ୍ତି । ରାଷ୍ଟ୍ର ଏକତାର ପ୍ରତୀକ 'ଷ୍ଟାଚ୍ୟୁ ଅଫ୍ ୟୁନିଟି'ର ନିର୍ମାଣ ସେହି ପ୍ରତିବଦ୍ଧତାର ଉଦାହରଣ ।
ଆଜିର ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରତିଯୋଗିତାରେ ଭାଗନେଇ ସଫଳତା ପାଇଥିବା ପ୍ରତିଭାମାନଙ୍କୁ ପୁରସ୍କୃତ କରିଥିଲି । ଏହି ଅବସରରେ ସାଂସଦ, ଜଗତସିଂହପୁର ଡକ୍ଟର ବିଭୁ ପ୍ରସାଦ ତରାଇ , ପଞ୍ଚାୟତ ସମିତି ଅଧ୍ୟକ୍ଷ ଶଙ୍କର ଭୋଇ, ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସସ୍ମିତା ସାହୁ, ଜିଲ୍ଲା ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା କ୍ରୀଡ଼ା ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଏବଂ ନିମାପଡ଼ାର ଜନସାଧାରଣ ଓ ଛାତ୍ରଛାତ୍ରୀ ଯୋଗଦେଇଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା