

ସମ୍ବଲପୁର, ୧୭ ନଭେମ୍ବର(ହି.ସ.) – ସମ୍ବଲପୁର ଜିଲ୍ଲାରେ ଆସନ୍ତା ୨୮ ତାରିଖ ଠାରୁ ଖରିଫ୍ ଋତୁର ଧାନ ସଂଗ୍ରହ ଆରମ୍ଭ ହେବ। ଜିଲ୍ଳାର ୯ଟି ବ୍ଲକ୍?ର ୧୨୭ଟି ଧାନ କ୍ରୟକେନ୍ଦ୍ରରେ ଚାଷୀମାନଙ୍କ ଠାରୁ ଧାନ ସଂଗ୍ରହ କରାଯିବ। ପ୍ରତି ଧାନ ସଂଗ୍ରହ ଅବା ମଣ୍ଡିରେ ନୋଡ଼ାଲ ଅଧିକାରୀଙ୍କ ସହିତ ୩୨ ଜଣ ତଦାରଖ ଅଧିକାରୀ ଦାୟିତ୍ୱରେ ରହିବେ ବୋଲି ଜିଲ୍ଲାପାଳ ସିଦ୍ଧେଶ୍ୱର ବୋଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକରେ ସୂଚନା ଦିଆଯାଇଛି। ପ୍ରତି ମଣ୍ଡିରେ ଡିଜିଟାଲ ଆର୍ଦତ୍ରା ଯାଂଚ ମିଟର, ୱେ-ବ୍ରିଜ୍, ତାରପୋଲିନ୍, ପ୍ରତୀକ୍ଷା କକ୍ଷ, ପାନୀୟ ଜଳ, ସିସିଟିଭି ପ୍ରଭୃତି ଆନୁଷାଙ୍ଗିକ ବ୍ୟବସ୍ଥା ରହିବ। ମଣ୍ଡିରେ ପଞ୍ଜିକରଣ ପରେ ମୋବାଇଲ ଜରିଆରେ ଧାନ ନେବା ପାଇଁ ଚାଷୀଙ୍କୁ ଜଣାଇ ଦିଆଯିବ। ଚଳିତ ବର୍ଷ ୬୦ ହଜାର ୬୧୪ ଜଣ ଚାଷୀ ଧାନ ବିକ୍ରୟ କରିବା ପାଇଁ ଅଦ୍ୟାବଧି ପଞ୍ଜିକରଣ କରାଇଛନ୍ତି। ଧାନବିକ୍ରିର ୪୮ ଘଂଟା ମଧ୍ୟରେ ଚାଷୀମାନଙ୍କ ଖାତାକୁ ଧାନର ଏମ୍ଏସ୍ପି ମୂଲ୍ୟ ଜମା କରାଯିବ। ଏହି ବୈଠକରେ ଜିଲ୍ଲାର ବିଧାୟକ ତଥା ମନ୍ତ୍ରୀ ରବିନାରାୟଣ ନାୟକ, ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ, ଜିଲ୍ଲାପରିଷଦ ଅଧ୍ୟକ୍ଷା କୁମୁଦିନୀ ନାୟକ, ଏଡ଼ିଏମ୍ ଅଶୋକ ଭୋଇ, ସମସ୍ତ ଉପଜିଲ୍ଳାପାଳ, ଯୋଗାଣ ବିଭାଗ ଓ ନିୟନ୍ତ୍ରିତ ବଜାର କମିଟିର ଅଧିକାରୀମାନେ ଉପସ୍ଥିତ ଥିଲେ। ଚାଷୀମାନଙ୍କ ଉତ୍ପାଦନ ବୃଦ୍ଧି ଦୃଷ୍ଟିରୁ ଧାନ ସଂଗ୍ରହ ପାଇଁ ଭିତିଭୂମି ନିର୍ମାଣ କରାଯାଉଛି ଏବଂ ଧାନ ଭଣ୍ଡାରଣ ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ।
ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଶୈଳେଶ