
ସମ୍ବଲପୁର, ୧୭ ନଭେମ୍ବର (ହି.ସ.) ଅନ୍ତର୍ମୁଖୀ ହୋଇ ନିଜ ଆତ୍ମାକୁ ନିଜେ ଜାଣିପାରିଲେ ମଣିଷର ଜୀବନ ସାର୍ଥକ ହୋଇପାରିବ । ଏକଥା ଡ଼ା ଜନାର୍ଦ୍ଦନ ପୂଜାରୀ ଉତ୍ତମ ରୂପେ ଅନୁଭବ କରିଥିଲେ । ତେଣୁ ତାଙ୍କ ଜୀବନ ପଥ ଏହି ମାର୍ଗରେ ପରିଚାଳିତ ହୋଇଥିଲା ।
ମାର୍ଗଶିର କୃଷ୍ଣ ତ୍ରୟୋଦଶୀ ତିଥିରେ ଆଜି ଧମା ଅନ୍ତର୍ଗତ ବଉଁଶରା ଗ୍ରାମର କଲ୍ଯାଣ ଆଶ୍ରମରେ ଡା଼ ଜନାର୍ଦ୍ଦନ ପୂଜାରୀଙ୍କ ଶ୍ରାଦ୍ଧୋତ୍ସବରେ ମଞ୍ଚାସୀନ ଅତିଥି ମାନେ ମତବ୍ୟକ୍ତ କରିଛନ୍ତି । ମୁଖ୍ୟବକ୍ତା ଇଂ ବିଭୂତି ଭୂଷଣ ମାଝି ନିଜ ବ୍ଯକ୍ତବରେ କହିଲେ ଡାକ୍ତର ଭାବରେ ଜନାର୍ଦ୍ଦନ ପୂଜାରୀ ପ୍ରଚୁର ଅର୍ଥ ଉପାର୍ଜନ କରି ଭୋଗମୟ ଜୀବନ ଯାପନ କରି ପାରିଥାନ୍ତେ। ମାତ୍ର ତାଙ୍କର ବହୁମୁଖି ପ୍ରତିଭା ଓ ସାମର୍ଥ୍ୟ ଥିଲା । ସେ ଯେକୌଣସି ବୃତ୍ତିକୁ ଆପଣେଇ ପାରିଥାନ୍ତେ। ପ୍ରସିଦ୍ଧି ପାଇଥାନ୍ତେ। ମାତ୍ର ସେ ଆଦର୍ଶ ଜୀବନ ଯାପନ କରି ଭଗବତ ମାର୍ଗରେ ପରିଚାଳିତ ହୋଇଥିଲେ । ଗୀତା ସାର କୁ ଜୀବନରେ ଚରିତାର୍ଥ କରିଥିଲେ । ତାଙ୍କ ଜୀବନର ପ୍ରତିଟି କ୍ଷଣ ଅଦ୍ଭୂତ ଓ ଅନୁଧ୍ୟାନ ସାପେକ୍ଷ। ସର୍ବୋପରି ତାଙ୍କ ଜୀବନ ଅନୁକରଣୀୟ। ଭଗବାନ କର୍ମ ଅନୁରୂପୀ ଫଳ ଦେଇଥାନ୍ତି। ଫଳର ଆଶା ନ ରଖି ସେ କାର୍ଯ୍ୟ କରିଥିବାରୁ ତାଙ୍କ ପ୍ରତି ପ୍ରଭୁ କୃପା ରହିଥିଲା।
ସମ୍ମାନିତ ଅତିଥି ବରିଷ୍ଠ ସାମ୍ବାଦିକ ଅର୍ଜୁନ ରଞ୍ଜନ ପଣ୍ଡା ଡା଼ ପୂଜାରୀଙ୍କ ହିମାଳୟ ପରିକ୍ରମା ଓ ଗୁରୁ ମାନଙ୍କ ସାନିଧ୍ୟ ବିଷୟରେ କହିଥିଲେ । କଲ୍ଯାଣ ଆଶ୍ରମ ପରିଚାଳନା କମିଟିର ସଭାପତି ରାହାସ ବିହାରୀ ପଣ୍ଡା ଆଶ୍ରମରେ ଚାଲୁଥିବା ନିୟମିତ ଆଧ୍ଯାତ୍ମିକ ଗତିବିଧି ବାବଦରେ ସୂଚନା ଦେଇଥିଲେ । ସମ୍ପାଦକ ସୂର୍ଯ୍ୟ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରାରମ୍ଭରେ ଆଶ୍ରମ ତଟ ମହାନଦୀ କୂଳରେ ତର୍ପଣ, କୀର୍ତ୍ତନ ଓ ଡ଼ା ପୂଜାରୀଙ୍କ ପସନ୍ଦ ଯୋଗ୍ୟ ଗୀତାର ପଞ୍ଚଦଶ ଅଧ୍ୟାୟ ର ସାମୁ଼ହିକ ପାଠ କରାଯାଇଥିଲା । ଶେଷରେ ସାମୂହିକ ପ୍ରସାଦ ସେବନ କରାଯାଇଥିଲା ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ