
କୋରେଇ, ୧୮ ନଭେମ୍ବର (ହି.ସ.)- ଖାଲରୁ ପାଣିକୁ ନେଇ ଦୁଇ ପକ୍ଷ ମଧ୍ୟରେ ଗଣ୍ଡଗୋଳ ଓ ମାରପିଟ ନେଇ ଥାନାରେ ଅଭିଯୋଗ ହୋଇଛି । ପୁଲିସ ଅଭିଯୋଗଟିକୁ ଗ୍ରହଣ କରି ତଦନ୍ତ କରୁଛି । ପ୍ରକାଶଯେ, ପାଣିକୋଇଲି ଥାନା ଅର୍ନ୍ତଗତ ସଠିପୁର ଗ୍ରାମର ବିପିନ ବାରିକଙ୍କ ଇଟା ପଡ଼ୁଥିବାରୁ ତାଙ୍କର ନିର୍ଦ୍ଦେଶ କ୍ରମେ ତାଙ୍କର ଜଣେ ଶ୍ରମିକ ସେହି ଗ୍ରାମର ବାଳକୃଷ୍ନ ରଣା ନିକଟସ୍ଥ ଏକ ଖାଲକୁ ପାଣି ଆଣିବାକୁ ଯାଇଥିଲେ । ବାଳକୃଷ୍ନ ପାଣି ଆଣୁଥିବା ବେଳେ ସଠିପୁର ଗ୍ରାମର ନକୁଳ ଦାସଙ୍କ ପୁଅ ସନ୍ତୋଷ ବାଳକୃଷ୍ନକୁ ପାଣି ନେବା ଲାଗି ବିରୋଧ କରିବା ସହିତ ସେହି ପାଣି ଭର୍ତି ଖାଲରେ କାନଧରି ଛିଡ଼ା କରାଇ ଦେଇଥିଲା । ପରେ ବାଳକୃଷ୍ନ ପାଟି କରି ଡ଼ାକିବାରୁ ତା'ର ପାଟି ଶୁଣି ବିପିନ ଓ ତାଙ୍କ ଦୁଇ ପୁଅ ବିଶ୍ୱଜିତ ଓ ସତ୍ୟଜିତ ଘଟଣାସ୍ଥଳକୁ ଯାଇ ସନ୍ତୋଷକୁ ଏହାର କାରଣ ପଚାରିବାରୁ ସନ୍ତୋଷ ଓ ନକୁଳ ଅଶ୍ରାବ୍ୟ ଭାଷାରେ ତିନି ଜଣଙ୍କୁ ଗାଳି କରିବା ସହିତ ଠେଙ୍ଗା ଓ କୋଦାଳରେ ଆକ୍ରମଣ କରିଥିଲେ । ଘଟଣାଟି ଉଗ୍ରରୂପ ନେବା ପରେ ସନ୍ତୋଷ ରାଗି ଯାଇ ବିଶ୍ୱଜିତର ହାତର ଏକ ଆଙ୍ଗୁଳିକୁ କାମୁଡ଼ି ପକାଇଲା । ଫଳରେ ବିଶ୍ୱଜିତର ଆଙ୍ଗୁଳି ଅଧା କଟିଯାଇଥିଲା । ଏ ନେଇ ବିପିନ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଗମ୍ଭିରତାର ସହ ମାମଲାର ତଦନ୍ତ କରୁଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ