
ମାଲକାନଗିରି, ୧୮ ନଭେମ୍ବର (ହି.ସ.) ମାଲକାନଗିରି ଜିଲ୍ଲାର ମାଥିଲି ବ୍ଲକ ଅନ୍ତର୍ଗତ ଉପାନ୍ତ ମହୁପଦର ଗ୍ରାମର ଜଣେ ଦିବ୍ୟାଙ୍ଗ ଛାତ୍ର, ଅଷ୍ଟମ ଶ୍ରେଣୀ ପରେ ପାଠ ପଢ଼ିବା ଛାଡ଼ି ଦେଇଥିଲେ। ଏହି ସୂଚନା ଭାରପ୍ରାପ୍ତ ବିଆରପି ଓ ବରିଷ୍ଠ ଶିକ୍ଷକ ରତ୍ନାକର ପାଳଙ୍କୁ ମିଳିବା ସହିତ, ସେ ଏହାକୁ ମାଥିଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁମିତ ବିଶ୍ୱାସଙ୍କୁ ଅବଗତ କରିଥିଲେ।
ବିଇଓ ଶ୍ରୀ ବିଶ୍ୱାସଙ୍କ ଆଦେଶ ପରେ ଦିବ୍ୟାଙ୍ଗ ଛାତ୍ର ଜୟରାମ ମାଢ଼ି ଙ୍କୁ ପୁନଃ ବିଦ୍ୟାଳୟକୁ ଆଣିବା ପାଇଁ ଚେଷ୍ଟା ଆରମ୍ଭ ହେଲା। ମହୁପଦର ଆଶ୍ରମ ବିଦ୍ୟାଳୟର ଶିକ୍ଷୟିତ୍ରୀ ସଂଗୀତା ବିଶ୍ୱାସଙ୍କ ସହ ଯୋଗାଯୋଗ କରି ଶ୍ରୀ ପାଳ ଜୟରାମଙ୍କୁ ବୁଝାଇ ସ୍ଥାନୀୟ ଉଚ୍ଚ ବିଦ୍ୟାଳୟରେ ପୁନଃ ଭର୍ତ୍ତି କରାଇଥିଲେ।
କିନ୍ତୁ ଜୟରାମଙ୍କ ପିତା ପାଠ ପଢ଼ାଇବାକୁ ଅସ୍ବୀକାର କରିବାରୁ ପରିସ୍ଥିତି ପୁଣି ଜଟିଳ ହୋଇଥିଲା। ସୂଚନା ମିଳିବା ପରେ ତାଙ୍କ ପିତା–ମାତା ଓ ପଡ଼ୋଶୀଙ୍କୁ ବୁଝାଇ ପ୍ରତିଦିନ ବିଦ୍ୟାଳୟ ଯିବାକୁ ସମ୍ମତି କରାଯାଇଥିଲା। ଏବେ ଜୟରାମ ପ୍ରତ୍ୟହ ବିଦ୍ୟାଳୟକୁ ଆସୁଥିବାକୁ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସି. ଏଚ. ଧର୍ମରାଜ ପ୍ରକାଶ କରିଛନ୍ତି।
ଶିଶୁ କାଳରେ ଗୋଡ଼ ନିଆଁରେ ପୋଡ଼ି ଯାଇଥିବାରୁ ଜୟରାମ ଚାଲିବାରେ ଅସୁବିଧା ଭୋଗୁଥିଲେ। ଶିକ୍ଷା ବିଭାଗ ଏବଂ ଆରବିଏସକେ ଦ୍ୱାରା ଅପରେସନ ପରେ ଗୋଡ଼ କାମ କରୁଥିଲେ ମଧ୍ୟ, ଗୋଇଠୀ ବଙ୍କା ହୋଇରହିଥିଲା। ସେ ବାଉଁଶକୁ ଭରସା କରି ବିଦ୍ୟାଳୟ ଯାଉଥିଲେ।
ଆଜି ବିଇଓ ଶ୍ରୀ ବିଶ୍ୱାସଙ୍କ ନିର୍ଦ୍ଦେଶରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଛତିଶ ଚନ୍ଦ୍ର ନାୟକ, ଗୋଷ୍ଠୀ ସମ୍ବଳ ଅଧିକାରୀ ରତ୍ନାକର ପାଳ ଓ ସିଆରସି ଧନୁ ଓଡ଼ିଙ୍କ ଉପସ୍ଥିତିରେ ଜୟରାମଙ୍କୁ ଏକ ଟ୍ରାଇ–ସାଇକେଲ ପ୍ରଦାନ କରାଯାଇଛି।
ଏଥି ସହ ଦିବ୍ୟାଙ୍ଗ ଛାତ୍ରଙ୍କୁ ୨୦୦୦ ଟଙ୍କା ଟ୍ରାନ୍ସପୋର୍ଟ ଭତ୍ତା ମାଥିଲି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଦ୍ୱାରା ଦିଆଯାଇଛି।
ଟ୍ରାଇ–ସାଇକେଲ ପାଇ ଆନନ୍ଦରେ ଭରିଥିବା ଜୟରାମ କହିଛନ୍ତି ଯେ,
“ଏହି ସାଇକେଲରେ ପ୍ରତିଦିନ ବିଦ୍ୟାଳୟ ଯିବି–ଆସିବି, ଅଧିକ ପାଠ ପଢ଼ିବି।’’
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ