
ନୂଆପଡ଼ା, ୧୮ ନଭେମ୍ବର (ହି.ସ.)- ନୂଆପଡ଼ା ଜିଲ୍ଲା ଖଡିଆଳ ସ୍ଥିତ ରାଜା ଆର୍ତ୍ତତ୍ରାଣ ହାଇସ୍କୁଲ ପଡିଆ ଠାରେ ଖଡିଆଳ କ୍ରିକେଟ ଏବଂ ସ୍ପୋର୍ଟ ସଂଘ ପକ୍ଷରୁ ତୃତୀୟ ଫୁଟବଲ ମହାକୁମ୍ଭ ଶୁଭ ଉଦ୍ଘାଟିତ ହୋଇଯାଇଅଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ଖଡିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ଯୋଗ ଦେଇଥିବା ବେଳେ ଯୁବ କ୍ରୀଡାବିତଙ୍କୁ ସୁଯୋଗ ପ୍ରଦାନ ପ୍ରୟାସ ମାତ୍ର ବୋଲି କହିଥିଲେ । ସୁଯୋଗ ଦେଲେ ଅଞ୍ଚଳରେ ପ୍ରତିଭା ଅଛନ୍ତି ଓ ରାଜ୍ୟକୁ ପ୍ରତିନିଧିତ୍ଵ କରିବାର ଦକ୍ଷତା ମଧ୍ୟ ଅଛି ବୋଲି ପ୍ରକାଶ କରିଥିଲେ। ଆଜି ଠାରୁ ଆସନ୍ତା ୪ ଡିସେମ୍ବର ପର୍ଯ୍ୟନ୍ତ ଏହି ଫୁଟବଲ ମହାକୁମ୍ଭ ଅନୁଷ୍ଠିତ ହେବ। ଏହି ଫୁଟବଲ ମାହାକୁମ୍ଭରେ ମୋଟ ୬୯ ଗୋଟି ଦଳ ଯୋଗ ଦେବାର କାର୍ଯ୍ୟକ୍ରମ ରହିଅଛି। ବୋଡ଼େନ, ସିନାପାଲି ଏବଂ ଖଡିଆଳ ବ୍ଲକର ୬୮ ଗୋଟି ପଞ୍ଚାୟତରୁ ଗୋଟିଏ ଲେଖାଏଁ ଦଳ ଯୋଗ ଦେବା ସହ ଖଡିଆଳ ଏନଏସିର ଗୋଟିଏ ଦଳ ଯୋଗ ଦେବେ। ଆସନ୍ତା ଡ଼ିସେମ୍ବର ୪ ତାରିଖ ଦିନ ଫାଇନାଲ ଖେଳ ଅନୁଷ୍ଠିତ ହେବ।
ଏହି କାର୍ଯ୍ୟକ୍ରମରେ ତ୍ରିସ୍ତରୀୟ ପଞ୍ଚାୟତ ପ୍ରତିନିଧି, ଆଇନଜୀବୀ, ସମାଜସେବୀ, କ୍ରୀଡାବିତ୍, ସାମ୍ବାଦିକ, ଜନସାଧାରଣ, ଖେଳ ପ୍ରେମୀ ଦର୍ଶକ ମାନେ ଯୋଗ ଦେଇଥିଲେ। ପ୍ରତ୍ୟେକ ଦିନ ଦୁଇ ଗୋଟି ମେଚ ଅନୁଷ୍ଠିତ ହେବ। ଏହି ସବୁ ଖେଳ ଫ୍ଲଡ ଲାଇଟ୍ ରେ ଅନୁଷ୍ଠିତ ହେବ। ପ୍ରଥମ ଦିନରେ ପ୍ରଥମେ ସିନାପାଲି ଓ ରୋକାଲ ଫୁଟବଲ ଦଳ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିବା ବେଳେ ସିନାପାଲି ଦଲ ରୋକାଲ ଦଳକୁ ଦୁଇଗୋଟି ଗୋଲ ଦେଇ ସିନାପାଲି ଦଳ ବିଜୟ ଲାଭ କରିଥିଲା। ଦ୍ଵିତୀୟ ମେଚ ଖଡିଆଳ ବ୍ଲକ ବରଗାଁ ଓ ବୋଡ଼େନ ବ୍ଲକ ଲରକା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ମ୍ୟାଚ ରେଫରି ଭାବେ ତାପସ କୁମାର ପତି, ବଳରାମ ସରାଫ, ନିଲୁ ଭୋଇ, ଅମୂଲ୍ୟ ବାରିକ, ସ୍କୋର ରେ ବେଦାନ୍ତ ପ୍ରଧାନ, ଧାରା ବିବରଣୀ ପ୍ରକାଶ ଚନ୍ଦ୍ର ପାତ୍ର, ଧନଞ୍ଜୟ ମଲ୍ଲିକ, ଜଗଦୀଶ ନାଗ, ଭିମରାଜ ତାଣ୍ଡି, ବିପିନ ବିହାରୀ ବିଶି, ସହଯୋଗୀ କରିଥିବା ବେଳେ ସ୍କୋରର ଅନ୍ଵେଶ ମହାପାତ୍ର, ଆଧାର ଭେରିଫିକେଶନରେ ଗୋବିନ୍ଦ ପଣ୍ଡା ଓ ରୂପେଶ ଛତ୍ରିଆ ଦାୟିତ୍ଵ ସମ୍ପାଦନ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ