
ଭୁବନେଶ୍ୱର, ୧୮ ନଭେମ୍ବର (ହି.ସ)- ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ସମ୍ମିଳନୀର ପ୍ରଥମ ଦିନର ତୃତୀୟ ଅଧିବେଶନ ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।
ରାଜ୍ୟର ଶିଳ୍ପ ଅବିବୃଦ୍ଧି, ବ୍ୟବସାୟ ସୁବିଧା , ପ୍ରୋଜେକ୍ଚ ମନିଟରିଂ ଗ୍ରୁପ୍ (ପିଏମଜି ପୋର୍ଟାଲ) ମାଧ୍ୟମରେ ପ୍ରକଳ୍ପର ଅଗ୍ରଗତି ଅନୁଧ୍ୟାନ ଓ ସମୀକ୍ଷା, ପାରସ୍ପରିକ ଆଲୋଚନା ଆଧାରରେ ରାଜ୍ୟରେ ଶିଳ୍ପ ଇକୋସିଷ୍ଟମରେ ପରିବର୍ତନ ସଂପର୍କିତ ବିଷୟଭିତିକ ଏହି ଆଲୋଚନାରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ ଯେ, ପ୍ରଶାସନିକ ଅଧିକାରୀମାନେ ଯେତେବେଳେ ସମ୍ମିଳିତ ଭାବରେ ରାଜ୍ୟର ପ୍ରଗତି ପାଇଁ କାର୍ଯ୍ୟ କରିବେ, ସେତେବେଳେ
ଓଡ଼ିଶାର ଅଭିବୃଦ୍ଧି ଅଧିକ ତ୍ୱରାନ୍ୱିତ ହେବ । ପ୍ରକଳ୍ପ ଅନୁମୋଦନର ସରଳୀକୃତ ପଦ୍ଧତି ଯୋଗୁଁ ନିବେଶ
ଆକର୍ଷିତ କରିବାରେ ଓଡ଼ିଶାକୁ ସମସ୍ତେ ପ୍ରଥମିକତା ଦେଉଛନ୍ତି । ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ଜିଲ୍ଲାମାନଙ୍କରେ ବ୍ୟବସାୟ କରିବାର ସହଜତା ପ୍ରଦାନ କରିବାରେ ଜିଲ୍ଲାପାଳମାନଙ୍କ ଭୂମିକା ସଂପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ସିଏମଡି, ଓପିଟିସିଏଲ ଭାସ୍କର ଜ୍ୟୋତି ଶର୍ମା ଓଡ଼ିଶାରେ ଶକ୍ତି କ୍ଷେତ୍ର ଏବଂ ଏହା ଆକର୍ଷିତ କରୁଥିବା ନିବେଶ ଏବଂ ଶିଳ୍ପ ପାଇଁ ଅବଶ୍ୟକ ବିଦ୍ୟୁତ୍ ଯୋଗାଣ ବିଷୟରେ ବିସ୍ତୃତ ଉପସ୍ଥାପନ କରିଥିଲେ। ଅଧିବେଶନରେ “ପ୍ରଗତି” ତଦାରଖ ବ୍ୟବସ୍ଥା ମାଧ୍ୟମରେ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରାଯାଉଥିବା ସଂପର୍କରେ ଗୁରୁତ୍ୱ ଦିଆଯାଇଥିଲା । ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ କମିଶନର-ତଥା ଶାସନ ସଚିବ ଡି. ପ୍ରଶାନ୍ତ କୁମାର ରେଡ୍ଡୀ, ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦାର, ଅନୁଗୁଳ ଜିଲ୍ଲାପାଳ କଲେକ୍ଟର ଅବଦାଲ ଏମ ଅଖତର, ସୁନ୍ଦରଗଡ ଜିଲ୍ଲାପାଳ ଡକ୍ଟର ଶୁଭଙ୍କର ମହାପାତ୍ର, ଝାରସୁଗୁଡା ଜିଲ୍ଲାପାଳ କୁନାଲ ମୋତିରାମ ଚହ୍ୱାଣ ପ୍ରମୁଖ ଯୋଗଦେଇ ବ୍ୟବସାୟ ଅଭିବୃଦ୍ଧିର ଦ୍ରୁତ ଅଭିବୃଦ୍ଧି ସଂପର୍କରେ ବିଭିନ୍ନ ଉପସ୍ଥାପନା କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା