
କେନ୍ଦୁଝର, ୧୮ ନଭେମ୍ବର (ହି.ସ.)- ଆଜି ବିଶ୍ବହିନ୍ଦୁ ପରିଷଦ ପକ୍ଷରୁ ୧୨ ଘଣ୍ଟିଆ ଜିଲ୍ଲା ବନ୍ଦ ଡ଼ାକରା ଦିଆଯାଇଥିଲା । ଆଜି ସକାଳୁ ଜିଲ୍ଲାରେ ଅତ୍ୟାବଶ୍ୟକ ସେବାକୁ ଛାଡ଼ି ଦୋକାନ, ବଜାର, ସ୍କୁଲ୍, କଲେଜ, ଯାନବାହାନ ଚଳାଚଳ ବନ୍ଦ ରହିଥିଲା। ଅନୁପ୍ରବେଶକାରୀ, ଉପଦ୍ରବକାରୀ, ଅସାମାଜିକ କାର୍ଯ୍ୟରେ ଲିପ୍ତ ବ୍ୟକ୍ତିମାନଙ୍କୁ ଚିହ୍ନଟ କରି ଜିଲ୍ଲାରୁ ବାହାର କରିବା ଦାବିରେ ବନ୍ଦ ଡ଼ାକରା ଦିଆଯାଇଥିଲା । କେନ୍ଦୁଝର ସହର, ଚମ୍ପୁଆ, ଯୋଡ଼ା, ବଡ଼ବିଲ, ପାଟଣା, ଘସିପୁରା, ଆନନ୍ଦପୁର ଆଦି ଅଞ୍ଚଳରେ ବନ୍ଦ ର ପ୍ରଭାବ ଦେଖିବାକୁ ମିଳିଥିଲା । ଆଜି ସକାଳୁ ବିଶ୍ଵହିନ୍ଦୁ ପରିଷଦର ନେତା ଓ ସଦସ୍ୟମାନେ ପିକେଟିଂ କରି ବିଭିନ୍ନ ସ୍ଥାନରେ ବନ୍ଦ କରିଥିଲେ l ଜିଲ୍ଲାରେ ଯାନବାହାନ ଚଳାଚଳ ବନ୍ଦ ରହିଥିଲା । ଏହାର ପ୍ରଭାବରେ ଜିଲ୍ଲାରେ ସ୍ଵତଃସ୍ପୃତ ଦୋକାନ, ବଜାର ବନ୍ଦ ରହିଥିଲା । ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ଏହି ବନ୍ଦ ଶାନ୍ତିପୂର୍ଣ୍ଣ ଭାବେ କରାଯାଇଥିଲା ।
ପ୍ରକାଶ ଯେ, ଗତ ୧୫ ତାରିଖରେ ବାଂଶପାଳ ବ୍ଲକ ସଦର ଥାନା ଅଞ୍ଚଳରେ ଜଣେ ଦିବ୍ୟାଙ୍ଗ ନାବାଳିକା ଦୁଷ୍କର୍ମର ଶିକାର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ଏହି ମାମଲାରେ ଜଣେ ବଙ୍ଗାଳୀ ମୁସଲମାନ ଗିରଫ ହୋଇଛନ୍ତି ।
ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଜିଲ୍ଲାବ୍ୟାପୀ ଦିଆଯାଇଥିବା ବନ୍ଦ ପାଳନ ଡାକରା ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ସହ ଏକ ଆଲୋଚନା ପରେ ସମାପ୍ତ ହୋଇଛି। ସହଯୋଗ ପାଇଁ ବିଶ୍ୱ ହିନ୍ଦୁ ପରିଷଦର ଜିଲ୍ଲା ସଭାପତି ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି। ବର୍ତ୍ତମାନ ଯାନବାହନ ଚଳାଚଳ ସ୍ୱାଭାବିକ ରହିଛି।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA