ଖପ୍ରାଖୋଲ ପୋଲିସ ଦ୍ୱାରା ୧୦ ଶ୍ରମିକ ଉଦ୍ଧାର, ଦୁଇ ଅଭିଯୁକ୍ତ ଗିରଫ
ବଲାଙ୍ଗୀର, ୧୮ ନଭେମ୍ବର(ହି.ସ.) – ଅଂଚଳରେ ବୃଦ୍ଧି ପାଉଥିବା ବେଆଇନ ଦାଦନ ଚାଲାଣ ରୋକିବା ପାଇଁ ଖପ୍ରାଖୋଲ ପୋଲିସ ଏକ ସଫଳ ଅଭିଯାନ ଚଳାଇଥିବା ଦେଖିବାକୁ ମିଳିଛି। ଏହାର ଫଳ ସ୍ୱରୂପ ୨ ଶିଶୁ ସମେତ ୧୦ ଜଣ ଶ୍ରମିକଙ୍କୁ ଉଦ୍ଧାର କରିଛି ଖପ୍ରାଖୋଲ ପୋଲିସ। ପୋଲିସର ଦାଦନ ଶ୍ରମିକ ଉଦ୍ଧାର ଅଭିଯାନ ପେଟ୍ରୋ
ଖପ୍ରାଖୋଲ ପୋଲିସ ଦ୍ୱାରା ୧୦ ଶ୍ରମିକ ଉଦ୍ଧାର, ଦୁଇ ଅଭିଯୁକ୍ତ ଗିରଫ


ବଲାଙ୍ଗୀର, ୧୮ ନଭେମ୍ବର(ହି.ସ.) – ଅଂଚଳରେ ବୃଦ୍ଧି ପାଉଥିବା ବେଆଇନ ଦାଦନ ଚାଲାଣ ରୋକିବା ପାଇଁ ଖପ୍ରାଖୋଲ ପୋଲିସ ଏକ ସଫଳ ଅଭିଯାନ ଚଳାଇଥିବା ଦେଖିବାକୁ ମିଳିଛି। ଏହାର ଫଳ ସ୍ୱରୂପ ୨ ଶିଶୁ ସମେତ ୧୦ ଜଣ ଶ୍ରମିକଙ୍କୁ ଉଦ୍ଧାର କରିଛି ଖପ୍ରାଖୋଲ ପୋଲିସ। ପୋଲିସର ଦାଦନ ଶ୍ରମିକ ଉଦ୍ଧାର ଅଭିଯାନ ପେଟ୍ରୋଲ ପମ୍ପ ନିକଟସ୍ଥ ବଡ଼ଗୁର୍ଜିଭଟା ଗ୍ରାମ ନିକଟରେ ସଫଳ ହୋଇଥିଲା। ଶ୍ରମିକ ସର୍ଦ୍ଦାର ଘନଶ୍ୟାମ ଶବର ଓ ଗାଡି ଚାଳକ ତୱାସିର୍ ମହମ୍ମଦଙ୍କୁ ଘଟଣା ସ୍ଥଳରୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ। ଶ୍ରମିକମାନଙ୍କୁ ବେଆଇନ ବଇନା ଦେଇ ବିଜୟୱାଡାକୁ ଚାଲାଣ କରାଯାଉଥିବା ସୂଚନା ମିଳିଛି। ଘଟଣାରେ ବ୍ୟବହୃତ ବୋଲେରୋ ଗାଡିକୁ ମଧ୍ୟ ପୋଲିସ ଜବତ କରିଛି। ଏନେଇ ଖପ୍ରାଖୋଲ ଥାନା କେସ ନଂ ୨୬୭/୨୦୨୫ରେ ମାମଲା ରୁଜୁ କରି ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ତଦନ୍ତରେ ପ୍ରକାଶ ହୋଇଛି ଯେ, ଦୁଇ ଅଭିଯୁକ୍ତ ନୂଆପଡା ଜିଲ୍ଲାର କୋମନା ଥାନା ଅଧୀନସ୍ଥ ସୁଖଲିମୁଣ୍ଡା ଗ୍ରାମର ବସିନ୍ଦା। ଉଦ୍ଧାର ହୋଇଥିବା ସମସ୍ତ ଶ୍ରମିକମାନେ ନୂଆପଡା ଜିଲ୍ଲା ପାଇକମାଲ ଅଂଚଳର ବୋଲି ଖପ୍ରାଖୋଲ ପୋଲିସ ଜଣାଇଛି। ଏହି ଆପତ୍‌କାଳୀନ ଅଭିଯାନର ନେତୃତ୍ୱ ନେଇଥିବା ଖପ୍ରାଖୋଲ ଥାନାଧିକାରୀ ନରେନ୍ଦ୍ର ଛତରଙ୍କ ସମୟୋଚିତ ପଦକ୍ଷେପ ବେଆଇନ ଦାଦନ ଶ୍ରମିକ ଚାଲାଣ ପ୍ରତି ରୋକ ଲଗାଇବାର ଉଦ୍ୟମ ସ୍ୱାଗତଯୋଗ୍ୟ ବୋଲି ସାଧାରଣରେ ଆଲୋଚନା ହେଉଛି।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande