
ଭଦ୍ରକ, ୧୮ ନଭେମ୍ବର (ହି.ସ.) - ଗ୍ରାମାଂଚଳରେ କ୍ରୀଡାର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ସାଂସଦ ଖେଳରତ୍ନ ପୁରସ୍କାର-୨୦୨୫ ଆସନ୍ତା ୨୩ ତାରିଖରେ ଆରମ୍ଭ ହେବ। ଭଦ୍ରକ ଏସ୍ବିଡି ସ୍କୁଲ ଖେଳପଡିଆରେ ଏହାର ଶୁଭାରମ୍ଭ ହେବ। ୨୫ ତାରିଖରେ ଶେଷ ହେବ। ଏହି ଖଳ ମହୋତ୍ସବଟି ଭଦ୍ରକ ଲୋକସଭା ଆସନର ୭ଟି ନିର୍ବାଚନ ମଣ୍ଡଳୀରେ ଅନୁଷ୍ଠିତ ହେବ। ଏ ନେଇ ଏକ ପ୍ରସ୍ତୁତି ବୈଠକ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ସାଂସଦ ଅଭିମନ୍ୟୁ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ଜିଲା ବିଜେପି ସଭାପତି ଭଗବାନ ପଣ୍ଡା, ଜିଲାପାଳ ଦିଲ୍ଲୀପ ରାଉତରାଏ, ଅତିରିକ୍ତ ଜିଲାପାଳ ରବିନାରାୟଣ ସାହୁ, ଉପଜିଲାପାଳ ସୌରଭ ଚକ୍ରବର୍ତୀ, ଜିଲା କ୍ରୀଡାଧିକାରୀ ରମେଶ ଚନ୍ଦ୍ର ମହାନ୍ତି, ଡିଇପିଓ ରାଜେନ୍ଦ୍ର ନାୟକଙ୍କ ସମେତ ସବୁ ବିଦ୍ୟାଳୟର କ୍ରୀଡା ପ୍ରଶିକ୍ଷକମାନଙ୍କ ସହ ନିର୍ବାଚନ ମଣ୍ଡଳୀର କ୍ରୀଡାପ୍ରେମୀମାନେ ଯୋଗ ଦେଇଥିଲେ। ଅନୁଷ୍ଠିତ ହେବାକୁ ଥିବା ଏହି କ୍ରୀଡା ମହୋତ୍ସବ ୨୦୨୫ କୁ ଶୃଙ୍ଖଳିତ ଭାବେ ପରିଚାଳନା କରିବାକୁ ସାଂସଦ ଶ୍ରୀ ସେଠୀ ଗୁରୁତ୍ୱ ଦେଇଥିଲେ। ଏହି ମହୋତ୍ସବରେ ୭ଟି ନିର୍ବାଚନ ମଣ୍ଡଳୀର ୯୦୩୬ ପ୍ରତିଯୋଗୀ ଅଂଶଗ୍ରହଣ କରିବା ପାଇଁ ନାମ ପଂଜିକରଣ କରିଛନ୍ତି। ବାସୁଦେବପୁର ନିର୍ବାଚନ ମଣ୍ଡଳୀରେ ୯୩୧, ଭଦ୍ରକ ୧୯୨୯, ଭଣ୍ଡାରିପୋଖରୀ ୮୮୧, ଚାନ୍ଦବାଲି ୧୯୩, ଧାମନଗର ୧୧୯୮, ସିମୁଳିଆ ୧୦୪୪, ସୋର ୧୧୩୯ କ୍ରୀଡାବିତ୍ ନାମ ପଂଜିକରଣ କରିଛନ୍ତି। ଏହି ମହୋତ୍ସବରେ ୧୨ଟି କ୍ରୀଡାର ପ୍ରତିଯୋଗିତା ହେବ। ସେଗୁଡିକ ହେଲା ବ୍ୟାଡମିଟନ, ଫୁଟବଳ, କବାଡି, ଖୋ-ଖୋ, ଡଗ୍ ଅଫ୍ ୱାର୍କ, ସ୍କିପିଂ, ବ୍ୟାଡମିଂଟନ ଇଣ୍ଡିଭିଜୁଆଲ, ୧୦୦ ମିଟର ଦୌଡ, ସଟ୍ ଫୁଟ୍, ଡିସକସ୍ ଥ୍ରୋ, ଲଙ୍ଗ ଜମ୍ପ ଓ ସାଇକେଲିଂରେ ପ୍ରତିଯୋଗିତା ହେବ। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ