
କୋରେଇ, ୧୮ ନଭେମ୍ବର (ହି.ସ.)- ସାରା ରାଜ୍ୟରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଉକ୍ତ ଅନୁପ୍ରବେଶକାରୀ ମାନେ ରାଜ୍ୟର ଢିଲା ଆଇନ ଶୃଙ୍ଖଳା ବ୍ୟବସ୍ଥାର ଗଳାବାଟ ମଧ୍ୟ ଦେଇ ଚୋରି, ଡକାୟତି, ହତ୍ୟା, ଦୁଷ୍କର୍ମ ଭଳି ସଙ୍ଗୀନ ଅପରାଧ କରି ପୁଣି ନିଜ ଦେଶକୁ ଫେରାର ହୋଇଯାଉଛନ୍ତି । କେନ୍ଦୁଝର ଜିଲ୍ଲାରେ ଆଦିବାସୀ ସଂପ୍ରଦାୟର ଏକ ଦିବ୍ୟାଙ୍ଗ ନାବାଳିକାକୁ ଜଣେ ମୁସଲିମ ସଂପ୍ରଦାୟର ବାଂଲାଦେଶୀ ଅନୁପ୍ରବେଶକାରୀ ଦୁଷ୍କର୍ମ କରିବା ପରେ ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ କେନ୍ଦୁଝର ଜିଲ୍ଲା ବନ୍ଦ ଡ଼ାକରା ଦିଆଯାଇଛି । ଏ ନେଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିବା ଲାଗି ରାଜ୍ୟର ପୁଲିସ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ଉକ୍ତ ନିର୍ଦ୍ଦେଶ ବଳରେ ଯାଜପୁରର ଆରକ୍ଷୀ ଅଧିକ୍ଷକ ୟଶ ପ୍ରତାପ ଶ୍ରୀମଲଙ୍କ ନିର୍ଦ୍ଦେଶ କ୍ରମେ ପାଣିକୋଇଲି ଥାନାଧିକାରୀ ରଂଜିତ ମହାନ୍ତିଙ୍କ ନେତୃତ୍ୱରେ ସବଇନିସପ୍ଟେର ପ୍ରଶାନ୍ତ କୁମାର ଦାଶ, ଏଏସଆଇ ସୋମନାଥ ରାଉତ, ହାବିଲଦାର ସୁଲୋଚନ ବେହେରା ପ୍ରମୁଖ ଥାନା ଅଂଚଳରେ ବିଭିନ୍ନ ସ୍ଥାନରେ ଚଢଉ କରି ଦଶ ଜଣଙ୍କୁ ଥାନାରେ ଅଟକ ରଖିଥିଲେ । ପରେ ସେମାନଙ୍କର ଆଧାର କାର୍ଡ଼ ଓ ଅନ୍ୟାନ୍ୟ କାଗଜ ପତ୍ର ଯାଂଚ କରାଯାଇ ପଦକ୍ଷେପ ନିଆଯିବ ବୋଲି ଥାନାଧିକାରୀ ଜଣାଇବା ସହିତ ଯଦି ଥାନା ଅଂଚଳରେ କୈାଣସି ବ୍ୟକ୍ତିଙ୍କୁ ସ୍ଥାନୀୟ ବ୍ୟକ୍ତି ମାନେ ସନ୍ଦେହ କରନ୍ତି ତେବେ ୯୯୩୮୨୦୨୯୯୫ ନମ୍ବରରେ କିମ୍ବା ୧୦୦ରେ ଜଣାଇବାକୁ ଥାନାଧିକାରୀ ଶ୍ରୀ ମହାନ୍ତି ସ୍ଥାନୀୟ ଜନସାଧାରଣଙ୍କୁ ନିବେଦନ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ