

ଜୟପୁର, ୧୮ ନଭେମ୍ବର (ହି.ସ.)- ବ୍ରିଟିଶ ଅମଳର ପୋଲର ସୁରକ୍ଷା ଦାବିରେ ରାସ୍ତାରୋକ । ଜୟପୁର ନିକଟସ୍ଥ ପାତ୍ରପୁଟ ନିକଟରେ କୋଲାବ ନଦୀ ଉପରେ ବ୍ରିଟିଶ ଅମଳର ଏକ ଲୁହା ପୋଲ ରହିଛି। ଏହା ୧୯୩୧ ମସିହାରେ ନିର୍ମାଣ ହୋଇଥିଲା । ଜାତୀୟ ରାଜପଥ ନମ୍ବର ୩୨୬ ଉପରେ ଏହା ରହିଛି । ମାଲକାନଗିରି ଓ କୋରାପୁଟ ଜିଲ୍ଲାକୁ ଜାତୀୟ ରାଜପଥ ଦେଇ ଯିବାକୁ ହେଲେ ଏହା ଯୋଗାଯୋଗର ଏକମାତ୍ର ମାଧ୍ୟମ । ତେବେ ୯୪ ବର୍ଷର ଏହି ପୋଲ ଦୁର୍ବଳ ହୋଇ ପଡିଲାଣି। ବଡ ବଡ ଭାରି ଯାନ ଚଳାଚଳ ପୋଲ ପ୍ରତି ବିପଦ ସୃଷ୍ଟି କରୁଛି। ତେଣୁ ଏହି ଐତିହାସିକ ପୋଲର ସୁରକ୍ଷା ସହ ନୂଆ ପୋଲ ନିର୍ମାଣ ପାଇଁ ନିଷ୍ପତ୍ତି ହୋଇଥିଲେ ବି ପ୍ରଶାସନିକ ଅବହେଳା ଯୋଗୁଁ ଏହାର ନିର୍ମାଣ କାମ ଆରମ୍ଭ ହୋଇ ପାରିନାହିଁ। ତେଣୁ ଏହାର ପ୍ରତିବାଦରେ କୋଲାବ ବ୍ରିଜ୍ ସୁରକ୍ଷା ମଂଚ ଆନ୍ଦୋଳନକୁ ଓହ୍ଲାଇବା ସହ ୫ ଘଣ୍ଟା ପାଇଁ ଲୁହା ପୋଲ ନିକଟରେ ରାସ୍ତା ରୋକ କରିଛି । ଫଳରେ ମାଲକାନଗିରି ଓ କୋରାପୁଟ ଜିଲ୍ଲାକୁ ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି । ଘଟଣାସ୍ଥଳରେ ବୈପାରୀଗୁଡା ତହସିଲଦାର, ପୋଲିସ ସମେତ ରାଜପଥ ବିଭାଗର ନିର୍ବାହୀ ଯନ୍ତ୍ରୀ ଗୌରାଙ୍ଗ ମାଝୀ ପହଂଚି ଆଲୋଚନା ପରେ ରାଜପଥରୁ ଓହରିଛନ୍ତି ଆନ୍ଦୋଳନକାରୀ ।
ହିନ୍ଦୁସ୍ଥାନ ସମାଚାର / ପିକେପି