
କୋରେଇ, ୧୮ ନଭେମ୍ବର (ହି.ସ.)- ପାଣିକୋଇଲି ଛକରେ ଦିନକୁ ଦିନ ଟ୍ରାଫିକ ସମସ୍ୟା ବଢିବାରେ ଲାଗିଛି । ତୃଟିପୂର୍ଣ୍ଣ ଯାତାୟତ ବ୍ୟବସ୍ଥା ଓ ଟ୍ରାଫିକ ନିୟନ୍ତ୍ରଣ ନଥିବାରୁ ଦୈନିକ ଦୁର୍ଘଟଣା ବୃଦ୍ଧି ପାଇବାରେ ଲାଗିଛି । ଗୋଟିଏ ପଟେ ପରିବହନ ବିଭାଗ ଶୂନ ମୃତ୍ୟୁହାର ସପ୍ତାହ ପାଳନ କରୁଥିବା ବେଳେ ଅନ୍ୟପଟେ ଟ୍ରାଫିକ ସୁଧାର ଦିଗରେ ନିରବତା ଅବଲମ୍ବନ କରୁଛି । ପାଣିକୋଇଲି ଥାନା ଅନ୍ତର୍ଗତ ଜାତୀୟ ରାଜପଥର ୧୬ ଓ ୨୦ ମିଶ୍ରଣସ୍ଥଳୀ ପାଣିକୋଇଲି ବଜାର ମଧ୍ୟ ଦେଇ ପ୍ରତିଦିନ ହଜାର ହଜାର ଗାଡ଼ି ମୋଟର ଯିବା ଆସିବା କରୁଥିବାରୁ ଟ୍ରାଫିକ ସମସ୍ୟା ସୃଷ୍ଟି ହେବା ସହିତ ଦୁର୍ଘଟଣା ଘଟି ବହୁ ଧନଜୀବନ ଅକାରଣରେ କ୍ଷତିଗ୍ରସ୍ତ ହେଉଛି । ଏ ନେଇ ବାରମ୍ବାର ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ଗତ ଅକ୍ଟୋବର ୨୩ ତାରିଖ ଦିନ ବିଧାୟକ ଆକାଶ ଦାସ ନାୟକ, ଯାଜପୁର ଜିଲ୍ଲାପାଳ ଅମ୍ବର କୁମାର କରଙ୍କ ସମେତ ବିଭିନ୍ନ ପ୍ରଶାସନିକ ଅଧିକାରୀ ପାଣିକୋଇଲି ବଜାର ପରିଦର୍ଶନ କରିବା ସହିତ ଯଥାଶୀଘ୍ର ଜବରଦଖଲ ଉଚ୍ଛେଦ ପକ୍ରିୟା ଆରମ୍ଭ ହୋଇ ରାସ୍ତା ସମ୍ପ୍ରସାରଣ କରାଯିବ ବୋଲି ଶ୍ରୀ କର ସୂଚନା ଦେଇଥିଲେ । ଏ ନେଇ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଚଳିତ ମାସ ୧୭ ତାରିଖ ଦିନ ଉଭୟ ରାଜପଥର ପଥରପଦା ଓ ଅଳତିରି ମୌଜାର କଡକୁ ରାଜପଥ ସମ୍ପ୍ରସାରଣ ପାଇଁ ମାପ କରାଯାଇ ସରକାରୀ ଜମି ଚିହ୍ନଟ ହେବ ବୋଲି ବ୍ୟାସନଗର ତହସିଲଦାର ସର୍ବସାଧାରଣ ନୋଟିସ କରିଥିଲେ । ତେବେ ଏ ନେଇ ୨ ଦିନ ହେବ ତହସିଲଦାର ପ୍ରଶାନ୍ତ କୁମାର ପଣ୍ଡାଙ୍କ ସମେତ ଅତିରିକ୍ତ ତହସିଲଦାର ପ୍ରଶାନ୍ତ କୁମାର ପୁହାଣ, ରାଜପଥ ବିଭାଗର ରାଜସ୍ୱ ଅଧିକାରୀ ଶୈଳେନ୍ଦ୍ର ମହାନ୍ତି, ରାଜପଥ ବିଭାଗର ରାଜସ୍ୱ ନିରୀକ୍ଷକ ଗୋବିନ୍ଦ ସ୍ୱାଇଁ, ତହସିଲର ରାଜସ୍ୱ ସୁପରଭାଇଜର ଧନେଶ୍ୱର ସାହୁ, ପାଣିକୋଇଲି ରାଜସ୍ୱ ନିରୀକ୍ଷକ କାଟେ ପୁର୍ତୀ, ଅମୀନ ବିକାଶ ରାଉତ, ଅକ୍ଷୟ ପାଢୀ ସମେତ ପାଣିକୋଇଲି ବଜାରର କଟକ ବସଷ୍ଟପ ପଟକୁ ମାପଚୁପ କରିଥିଲେ । ୧୭ ତାରିଖ ଅଳତିରି ମୌଜା ମାପ କରାଯାଇଥିବା ବେଳେ ଆଜି ପଥରପଦା ମୌଜାର ପାଣିକୋଇଲି ଥାନା ଠାରୁ ବଜାର ରଂଜନ ସୁଇଟ୍ସ ପର୍ଯ୍ୟନ୍ତ ମାପ କରାଯାଇଛି । ଆହୁରି ଦୁଇ ଦିନ ମାପ ଚାଲିବ ବୋଲି ସୂଚନା ମିଳିଛି । ଆଇନ ଶୃଙ୍ଖଳା ରକ୍ଷା ନିମନ୍ତେ ପାଣିକୋଇଲି ଥାନାଧିକାରୀ ରଂଜିତ ମହାନ୍ତିଙ୍କ ନେତୃତ୍ୱରେ ଏଏସଆଇ ନିର୍ମଳ ରାଉତଙ୍କ ସମେତ ଏକ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ଥିଲେ । ଅପରପକ୍ଷେ ମାପଚୁପ ପରେ ବଜାର ଦୋକାନ କରି ଗୁଜୁରାଣ ମେଂଟାଉଥିବା ଉଠା ଦୋକାନି ମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି । ଜୀବିକା ହରାଇବାର ଭୟ ଘାରିଛି । ଉଠା ଦୋକାନି ମାନଙ୍କୁ ହଟାଇବା ପୂର୍ବରୁ ସେମାନଙ୍କ ପାଇଁ କିଛି ବନ୍ଦୋବସ୍ତ କରାଇବାକୁ ସାଧାରଣରେ ଦାବି ହୋଇଛି।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ