
-ଚଳଚ୍ଚିତ୍ର ଅଭିଲେଖାଗାର ପ୍ରତିଷ୍ଠା ନେଇ ଓଡ଼ିଶା ସରକାର ଓ ଫିଲ୍ମ ହେରିଟେଜ୍ ଫାଉଣ୍ଡେସନ୍ ମଧ୍ୟରେ ଏମ୍ଓୟୁ ସ୍ୱାକ୍ଷରିତ
ଭୁବନେଶ୍ୱର,୧୯ ନଭେମ୍ବର (ହି.ସ.)- ଚଳଚ୍ଚିତ୍ର ଆମ ସାମାଜିକ ସାଂସ୍କୃତିକ ଜୀବନର ବାସ୍ତବ ପ୍ରତିଛବି । ଏହାର ସଂରକ୍ଷଣ ଦ୍ୱାରା ଆମ ସ୍ମୃତିରୁ ହଜି ଯାଉଥିବା ଲୋକପ୍ରିୟ ସିନେମା ପୁଣି ଜୀବନ୍ତ ହୋଇଉଠିବ ବୋଲି କହିଛନ୍ତି ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ । କଲଭୂମି ଠାରେ ଅନୁଷ୍ଠିତ ହୋଇଥିବା ୧୦ମ ଚଳଚ୍ଚିତ୍ର ସଂରକ୍ଷଣ ଏବଂ ପୁନରୁଦ୍ଧାର କର୍ମଶାଳାର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସେ ଏହା କହିଛନ୍ତି ।
ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀ ପ୍ରଦିପ ବଳ ସାମନ୍ତ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ କହିଥିଲେ, ପୁରୁଣା ଓଡ଼ିଆ ଚଳଚ୍ଚିତ୍ର ଭବିଷ୍ୟତ ପିଢ଼ି ପାଇଁ ପ୍ରେରଣାର ଉତ୍ସ । ଏହାକୁ ସାଇତି ରଖିବା ଦାୟିତ୍ୱ ହେଉଛି ଆମର ।ଓଡ଼ିଶା ସରକାର ଓ ଫିଲ୍ମ ହେରିଟେଜ୍ ଫାଉଣ୍ଡେସନ୍ ମଧ୍ୟରେ ରାଜ୍ୟ ଚଳଚ୍ଚିତ୍ର ଅଭିଲେଖାଗାର ପ୍ରତିଷ୍ଠା ନେଇ ଏକ ଏମ୍ଓୟୁ ସ୍ୱାକ୍ଷରିତ ହୋଇଥିଲା । ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର କମିଶନର ତଥା ଶାସନ ସଚିବ ଗୁହା ପୁନମ ତାପସ କୁମାର ଏବଂ ଫିଲ୍ମ ହେରିଟେଜ୍ ଫାଉଣ୍ଡେସନ୍?ର ନିର୍ଦ୍ଦେଶକ ଶିବେନ୍ଦ୍ର ସିଂ ଡୁଙ୍ଗରପୁର ଏହି ଏମ୍ଓୟୁରେ ସ୍ୱାକ୍ଷର କରିଥିଲେ ।
ସୂଚନାଯୋଗ୍ୟ, ଫିଲ୍ମ ହେରିଟେଜ୍ ଫାଉଣ୍ଡେସନ୍, ଇଂଟରନ୍ୟାସନାଲ୍ ଫେଡେରେସନ୍ ଅଫ୍ ଫିଲ୍ମ ଆରକାଇଭସ୍ ଓ ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ମିଳିତ ସହଯୋଗରେ ଏହି “୧୦ମ ଚଳଚ୍ଚିତ୍ର ସଂରକ୍ଷଣ ଏବଂ ପୁନରୁଦ୍ଧାର କର୍ମଶାଳା ନଭେମ୍ବର ୧୨ ତାରିଖଠାରୁ ଆୟୋଜନ ହୋଇଥିଲା । ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ, କଳାଭୂମିଠାରେ ଆରମ୍ଭ ହୋଇଥିବା କର୍ମଶାଳା ଆଜି ଶେଷ ହୋଇଛି । କର୍ମଶାଳାରେ ଯୋଗ ଦେଇଥିବା ସମସ୍ତ ୫୯ଜଣ ଅଂଶଗ୍ରହଣକାରୀଙ୍କୁ ସାର୍ଟିଫିକେଟ୍ ଏବଂ ମେମେଣ୍ଟୋ ପ୍ରଦାନ କରାଯାଇଥିଲା ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା