
ଭଦ୍ରକ, ୧୯ ନଭେମ୍ବର (ହି.ସ.) - ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ସୁନ୍ଦରପୁର ପଂଚାୟତ ପାରଡିଆ ଗାଁର ବାସ କରୁଥିବା ଦଳିତ ଗରିବ ପରିବାରର ମନ୍ଦାକିନୀ ମଳିକ (୩୦ ) ସ୍ୱାମୀ - ଚିତରଞ୍ଜନ ମଳିକ ଏବେ ଦୁଃଖରେ ଜୀବନ ବିତାଉଛନ୍ତି । ଆର୍ôଥକ ସହାୟତା ପାଇଁ ଚାନ୍ଦବାଲି ଓ ଭଦ୍ରକ ଦୌଡୁଥିଲେ ବି ତାଙ୍କ କଥା କେହି ଶୁଣୁ ନଥିବା ସେ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି । ବିବାହ ପରେ ମନ୍ଦାକିନୀ ୨ଟି ପୁଅ ଓ ଗୋଟିଏ ଝିଅ ଜନ୍ମ କରିଥିଲେ । ଏହାପରେ ସେ ପରିବାର ନିୟନ୍ତ୍ରଣ ପାଇଁ ମନ ବଳାଇ ଥିଲେ । ବନ୍ଧ୍ୟାକରଣ ଅସ୍ତ୍ରୋପଚାର ପାଇଁ ସେ ନିଜ ଗାଁର ଆଶାଙ୍କୁ କହିଥିଲେ । ଆଶା ଦିଦି ସୁନ୍ଦରପୁର ଉପସ୍ୱାସ୍ଥ୍ୟକେନ୍ଦ୍ରର ଏଏନଏମଙ୍କୁ ଏ ବିଷୟରେ ଜଣାଇଥିଲେ । ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଗତ ମାର୍ଚ୍ଚ ୨ ତାରିଖରେ ତାଙ୍କର ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର କରିବା ପାଇଁ ସ୍ଥିର ହୋଇଥିଲା । ସେହିଦିନ ତାଙ୍କର ରକ୍ତ ଓ ଅନ୍ୟ ଆବଶ୍ୟକ ପରୀକ୍ଷା କରାଯାଇ ଅସ୍ତ୍ରୋପଚାର କରାଯାଇଥିଲା । ଭଦ୍ରକର ସ୍ତ୍ରୀ ଓ ପ୍ରସୂତି ରୋଗ ଡାକ୍ତର ମୁରଲୀଧର ପାଢୀ ଏହି ବନ୍ଧ୍ୟାକରଣ ଅସ୍ତ୍ରୋପଚାର କରିଥିଲେ । ଜୁନ ମାସ ନିଜ ପେଟରେ ପିଲା ବଢୁଥିବା ମନ୍ଦାକିନୀ ଅନୁଭବ କରି ଭଦ୍ରକ ମୁଖ୍ୟ ଚିକିତ୍ସାକେନ୍ଦ୍ରକୁ ଯାଇ ଗର୍ଭ ପରୀକ୍ଷା କରି ସେ ଗର୍ଭବତୀ ଥିବା ଜାଣିଥିଲେ । ଏ ବିଷୟରେ ଆରଡି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରିଣୀଙ୍କୁ ଅବଗତ କରିଥିଲେ । ପିଲାଜନ୍ମ ପରେ ତାଙ୍କୁ ନିୟମାନୁଯାୟୀ ଆର୍ôଥକ ସହାୟତ ଦିଆଯିବ ବୋଲି ତାଙ୍କୁ ପ୍ରତିଶ୍ରୁତି ଦିଆ ଯାଇଥିଲା । ଅସ୍ତ୍ରୋପଚାରର ଠିକ ୮ ମାସ ପରେ ନଭେମ୍ବର ୧ ତାରିଖରେ ମନ୍ଦାକୀନି ଏକ ପୁତ୍ର ସନ୍ତାନ ପ୍ରସବ କରିଥିଲେ । ସରକାରୀ ଆର୍ôଥକ ସହାୟତା ପାଇଁ ଏଏନଏମଙ୍କ ଠାରୁ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଦୌଡି ଦୌଡି ନୟାନ୍ତ ହେଲେଣି । ହେଲେ ୨୭୭ ଦିନ ପୂର୍ବରୁ ତାଙ୍କର ପ୍ରସବ ହୋଇ ଥିବାରୁ ସେ ସରକାରୀ ସାହାଯ୍ୟ ପାଇବେ ନାହିଁ ବୋଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ନିରାଶ ବାଣୀ ଶୁଣାଇଛନ୍ତି । ଏହାକୁ ନେଇ ମନ୍ଦାକିନୀ ଓ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି । ତୁରନ୍ତ ଏହାର ତଦନ୍ତ କରାଯାଇ ଅସ୍ତ୍ରୋପଚାର କରିଥିବା ଡାକ୍ତର ଓ ଏଥିରେ ସଂପୃକ୍ତ ଅନ୍ୟ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ପରିବାର ପକ୍ଷରୁ ଦାବି କରା ଯାଇଛି । ଏଥି ସହିତ ସେହି ଗରିବ ଦଳିତ ପ୍ରସୂତିଙ୍କୁ ଆର୍ôଥକ ସହାୟତା ଯୋଗାଇ ଦେବାକୁ ପରିବାର ପକ୍ଷରୁ ନିବେଦନ କରାଯାଇଛି । ଯଦି ଆର୍ôଥକ ସହାୟତା ୧୫ ଦିନ ମଧ୍ୟରେ ନମିଳେ ତେବେ ଆରଡି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଆଗରେ ଧାରଣାରେ ବସିବେ ବୋଲି ପ୍ରସୂତି ମନ୍ଦାକିନୀ ଚେତାବନୀ ଦେଇଛନ୍ତି ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ