
କେନ୍ଦୁଝର, 19 ନଭେମ୍ବର (ହି.ସ.)- ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ବିଦ୍ୟାଳୟ ସମୂହ, କେନ୍ଦୁଝର ପକ୍ଷରୁ ନରଣପୁର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଦୁଇଦିନିଆ ଜିଲ୍ଲାସ୍ତରୀୟ ଛାତ୍ରୋତ୍ସବ ସର୍ଗିଫୁଲ ଓ ବିଜ୍ଞାନମେଳା -୨୦୨୫ ବୁଧବାର ଦିନ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଉଦ୍ଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ କେନ୍ଦୁଝର ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଶିବଶଙ୍କର ମିଶ୍ର ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ନିଜ ବକ୍ତବ୍ୟରେ ପିଲାମାନଙ୍କଠାରେ ଥିବା ଅର୍ନ୍ତନିହିତ ପ୍ରତିଭାର ବିକାଶ ପାଇଁ ସରଗିଫୁଲ ଏକ ପ୍ରକୃଷ୍ଟ ମାଧ୍ୟମ ବୋଲି କହିଥିଲେ । ସରଗିଫୁଲ ଜଙ୍ଗଲ ଏକ ମୂଲ୍ୟବାନ ଫୁଲ । ତାର ପତ୍ର,ଚେର,ଫଳ ଏବଂ ଛାଲି ବହୁତ ବ୍ୟବହାରରେ ଆସେ । ସରଗିଫୁଲ ଆଦିମ ଆଦିବାସୀମାନଙ୍କ ଜୀବନ ସହ ଅଙ୍ଗାଙ୍ଗିଭାବେ ଜଡିତ । ସରଗିଫୁଲ ନାମକୁ ସଂଯୋଗ କରି ଛାତ୍ରୋତ୍ସବ “ସର୍ଗିଫୁଲ -୨୦୨୫” ଓ ବିଜ୍ଞାନମେଳା ଆୟୋଜନ କରିବା ସରକାରଙ୍କର ଏକ ଅଭିନବ ପଦକ୍ଷେପ । ଆଦିବାସୀ ଛାତ୍ରଛାତ୍ରୀଙ୍କ ଭିତରେ ଥିବା ବଣର ସରଗିଫୁଲ ବାସ୍ନା ଚହଟେଇବା ପାଇଁ ଏବଂ ସେମାନଙ୍କର ଅନ୍ତର୍ନିହିତ ଗୁଣର ବିକାଶ ପାଇଁ ଏଭଳି କାର୍ଯ୍ୟକ୍ରମ ବେଶ ସହାୟକ ହେବ ବୋଲି ଶ୍ରୀଯୁକ୍ତ ମିଶ୍ର ନିଜ ବକ୍ତବ୍ୟରେ ମତ ରଖିଥିଲେ । ବିଜ୍ଞାନମେଳାରେ ଛାତ୍ରଛାତ୍ରୀଙ୍କ ଆଗ୍ରହ ବଢୁଛି,ପିଲାମାନଙ୍କ ଦ୍ୱାରା ହେଉଥିବା ଅନେକ ନୂଆ ନୂଆ ପ୍ରକଳ୍ପରେ ପ୍ରତିଭା ଭରି ରହିଛି ଏବଂ ସେହି ପ୍ରତିଭାକୁ ଚିହ୍ନଟ କରି ତାହାର ବିକାଶ ପାଇଁ ଶିକ୍ଷକ ସମାଜ ଯତ୍ନ ନେଲେ ସେମାନେ ଭବିଷ୍ୟତରେ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷତା ହାସଲ କରି ସୁନାମ ଅର୍ଜନ କରିପାରିବେ ବୋଲି କହିଥିଲେ । ଜିଲ୍ଲା ମଙ୍ଗଳ ଅଧିକାରୀ ବିକାଶ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉଦ୍ଘାଟନୀ ଉତ୍ସବରେ ସମ୍ମାନୀତ ଅତିଥି ଭାବେ ଆଇଟିଡିଏ,ଚମ୍ପୁଆର ପ୍ରକଳ୍ପ ପ୍ରଶାସକ ରାମକୃଷ୍ଣ ଗଣ୍ଡଏଭଳି ଏକ କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭାକୁ ଉନ୍ମୋଚିତ କରିବା ପାଇଁ ପ୍ରକୃଷ୍ଠ କ୍ଷେତ୍ର ବୋଲି ବର୍ଣ୍ଣନା କରିଥିଲେ । ବିଜ୍ଞାନ ମେଳାରେ କୁନି ବୈଜ୍ଞାନିକଙ୍କ ଦ୍ୱାରା ହୋଇଥିବା ଅନେକ ପ୍ରକଳ୍ପରେ ଉନ୍ନତ ଚିନ୍ତାଧାରା ପରିପ୍ରକାଶରେ ସୁଯୋଗ ସୃଷ୍ଟି କରିଛି ବୋଲି ସେ ପ୍ରକାଶ କରିଥିଲେ । ମୁଖ୍ୟବକ୍ତା ଭାବେ ମିଳନୀ ସାହିତ୍ୟ ସଂସଦର ସଭାପତି ଦେବାଶିଷ ଚକ୍ରବର୍ତ୍ତୀ ଯୋଗ ଦେଇ ଆଦିବାସୀମାନେ ପ୍ରକୃତି ପ୍ରିୟ ଅଟନ୍ତି । ପ୍ରାକୃତିକ ଜ୍ଞାନର ପ୍ରୟୋଗ କରି ସେମାନେ ଜୀବନ ବଞ୍ଚିବାକୁ ଭଲ ପାଆନ୍ତି । ସେମାନଙ୍କୁ ସେମାନଙ୍କର ପରିବେଶରେ ବିକଶିତ ହେବା ପାଇଁ ସୁଯୋଗ ଦିଆଯିବା ଦରକାର । ବଣଜଙ୍ଗଲ ଛାଡି ସହରମାନଙ୍କରେ ବିସ୍ଥାପିତ ହେଲେ ଆଦିବାସୀମାନଙ୍କ ସମସ୍ୟାର ସମାଧାନ ହେବ ନାହିଁ କି ବିକାଶ ହେବ ନାହିଁ । ଅରଣ୍ୟର ବିକାଶ ହିଁ ଆଦିବାସୀମାନଙ୍କ ବିକାଶ ବୋଲି ଶ୍ରୀ ଚକ୍ରବର୍ତ୍ତୀ ନିଜ ଅଭିଭାଷଣରେ କହିଥିଲେ । ଅନ୍ୟତମ ସମ୍ମାନୀତ ଅତିଥି ଭାବେ କେନ୍ଦୁଝର ଜୋନ ଶିକ୍ଷା ମଣ୍ଡଳlଧିଶ ସଞ୍ଚିତା ବେହେରା, ଯୋଗ ଦେଇ
ସର୍ଗିଫୁଲ ଭଳି କାର୍ଯ୍ୟକ୍ରମ ଯୋଗୁଁ ଜିଲ୍ଲାସ୍ତରରେ ଅନ୍ତର୍ନିହିତ ଗୁଣର ବିକାଶ ହୋଇପାରୁଥିବାରୁ ବହୁ ଲୁକ୍କାୟିତ ପ୍ରତିଭା ଚୟନ କରାଯାଇପାରିଛି । ଏହି ପ୍ରତିଭାମାନେ ରାଜ୍ୟସ୍ତରରେ ମଧ୍ୟ ସଫଳତା ହାସଲ କରି ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣି ଦେଇଥିବାରୁ ଶିକ୍ଷକ,ଶିକ୍ଷୟତ୍ରୀମାନଙ୍କୁ ସେ ଧନ୍ୟବାଦ ଜଣାଇଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଜିଲ୍ଲା ମଙ୍ଗଳ ଅଧିକାରୀ ଙ୍କ କାର୍ଯ୍ୟାଳୟ ର ସ୍ୱତନ୍ତ୍ର ଅଧିକାରୀ ସୁନାରାମ ସିଂହ, ଶିକ୍ଷା ନିରୀକ୍ଷକ ସଞ୍ଜୟ କୁମାର ଧଳ ଯୋଗ ଦେଇ ପ୍ରତିଭା ଅନ୍ୱେଷଣ ପାଇଁ ଜିଲ୍ଲାସ୍ତରୀୟ ଉତ୍ସବ ସର୍ଗିଫୁଲ ଓ ବିଜ୍ଞାନମେଳା ବେଶ ସହାୟକ ହେଉଥିବା ପ୍ରକାଶ କରିଥିଲେ । ନିଜ ସଭାପତିତ୍ୱ ଅଭିଭାଷଣରେ ଜିଲ୍ଲା ମଙ୍ଗଳ ଅଧିକାରୀ ବିକାଶ କୁମାର ମହାନ୍ତି ୨୦୧୦ରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଯୋଗୁଁ ଦୃଷ୍ଟି ଆଢୁଆଳରେ ରହିଯାଉଥିବା ବହୁ ପ୍ରତିଭାଙ୍କୁ ଚିହ୍ନଟ କରାଯାଇ ଏହି ବର୍ଗର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବହୁ ସମ୍ଭାବନା ସୃଷ୍ଟି ହେଉଥିବା ପ୍ରକାଶ କରିବା ସହ କେନ୍ଦୁଝର ଜିଲ୍ଲାର ଅନ୍ତନିର୍ହିତ ପ୍ରତିଭା ରାଜ୍ୟ ଏବଂ ଦେଶରେ ଉଚ୍ଚ ପ୍ରଶଂସିତ ହୋଇଥିବା କହିଥିଲେ । କେନ୍ଦୁଝର ଜିଲ୍ଲାରୁ ଯାଇଥିବା ଆଦିବାସୀ ଲୋକନୃତ୍ୟ ଜାତୀୟସ୍ତରରେ ପୁରସ୍କୃତ ହୋଇଥିବାବେଳେ କ୍ରୀଡାରେ ମଧ୍ୟ ଅନେକ ସଫଳତା ମିଳିଥିବା ଶ୍ରୀ ମହାନ୍ତି ପ୍ରକାଶ କରିଥିଲେ । କେନ୍ଦୁଝର ଜିଲ୍ଲାର ଛାତ୍ରଛାତ୍ରୀଙ୍କ ପାରଦର୍ଶିତା ରହିଛି ଯାହାକି କେନ୍ଦୁଝର ପାଇଁ ଗୌରବ ଆଣି ଦେବ ବୋଲି ସେ ଆଶବ୍ୟକ୍ତ କରିଥିଲେ । ପ୍ରାରମ୍ଭରେ ନରଣପୁର ଉଚ୍ଚମଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ କିଶୋର ଚନ୍ଦ୍ର ରାଉତ ସ୍ୱାଗତ ଭାଷଣ ସହ ସର୍ଗିଫୁଲ କାର୍ଯ୍ୟକ୍ରମ ର ଆଭିମୁଖ୍ୟ ବିଷୟରେ ସମ୍ୟକ ବକ୍ତବ୍ୟ ପ୍ରଦାନ କରିଥିଲେ । ନରଣପୁର ଉଚ୍ଚ ମlଧ୍ୟମିକ ବିଦ୍ୟାଳୟ ର ପ୍ରଧାନଶିକ୍ଷୟିତ୍ରୀ ଅପରିମିତା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଦୁଇଦିନିଆ ଏହି ଜିଲ୍ଲାସ୍ତରୀୟ ଶିଶୁ ଉତ୍ସବ ସର୍ଗିଫୁଲ ଓ ବିଜ୍ଞାନମେଳା କାର୍ଯ୍ୟକ୍ରମରେ ତର୍କ,ସୃଜନାତ୍ମକ ଲେଖା, ସଂଗୀତ,ଗଣିତ,ବିଜ୍ଞାନ,କୁଇଜ୍,ଏକକ ଅଭିନୟ,ଗ୍ରୁପ ଡ୍ୟାନ୍ସ ଆଦି ବିଭାଗରେ ପ୍ରତିଯୋଗୀତା ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମକୁ କଦକଳା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷଜ ସୋମନାଥ ଆଇଚ,ରାଇଦିହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ନାୟକ, ଶୁଆକାଟୀ ଆଶ୍ରମ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିକାଶ ଶତପଥି, ଭଗାମୁଣ୍ଡା ଆଶ୍ରମ ସ୍କୁଲର ପ୍ରଧାନ ଶିକ୍ଷକ ସରୋଜ ନନ୍ଦ, ଜଗମୋହନପୁର ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୃଷ୍ଣାଞ୍ଜନ ଆଚାର୍ଯ୍ୟ, ଲଷ୍ମୀଧର ସାହୁ ଓ ନରଣପୁର ଉଚ୍ଚ ମlଧ୍ୟମିକ ବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗ ଅଧ୍ୟାପକ ସୌମ୍ୟକାନ୍ତ ସାହୁଙ୍କ ସମେତ ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ଓ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗର ୬ଟି ଉଚ୍ଚା ମାଧ୍ୟମିକ ବିଦ୍ୟାଳୟ,୩୧ଟି ଉଚ୍ଚ ବିଦ୍ୟାଳୟ,୫୭ଟି ଆଶ୍ରମ ବିଦ୍ୟାଳୟ,ବିଭିନ୍ନ ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ଓ ଅନ୍ଵେଷା ଛାତ୍ରବାସରୁ ଜିଲ୍ଲାସ୍ତରୀୟ ସରଗିଫୁଲ କାର୍ଯ୍ୟକ୍ରମରେ ବରିଷ୍ଠ ଓ କନିଷ୍ଠ ବର୍ଗରେ ସମୁଦାୟ ୧୬୦୦ଜଣ ଛାତ୍ରଛାତ୍ରୀ ଏବଂ ୧୩୫ଜଣ ଗାଇଡ ଶିକ୍ଷକ ଅଂଶଗ୍ରହଣ କରିଥିବାବେଳେ ବିଜ୍ଞାନମେଳାରେ ୩୪ଟି ପ୍ରକଳ୍ପରେ ୬୮ ଜଣ ଶିଶୁ ବିଜ୍ଞାନୀ ଏବଂ ୩୧ଜଣ ଗାଇଡ ଶିକ୍ଷକ/ଶିକ୍ଷୟିତ୍ରୀ ଅଂଶଗ୍ରହଣ କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA