
ଭୁବନେଶ୍ୱର,୧୯ ନଭେମ୍ବର (ହି.ସ.)- ଆଇ ସି ଏ ଆର ଅନ୍ତର୍ଗତ ଭାରତୀୟ ଜଳ ପରିଚାଳନା ପ୍ରତିଷ୍ଠାନ, ଭୁବନେଶ୍ୱରରେ ବୁଧବାର ଦିନ ପି ଏମ କିଶାନ ନିଧି ବଣ୍ଟନ ଓ କୃଷକ–ବୈଜ୍ଞାନିକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଯେ ଆଜି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପି ଏମ କିଶାନ ନିଧି ର ୨୧ ତମ କିସ୍ତି ବଣ୍ଟନର ଶୁଭାରମ୍ଭ କରିଛନ୍ତି । ପ୍ରାୟ ୯ କୋଟି କୃଷକଙ୍କ ଖାତାକୁ ସିଧାସଳଖ ୧୮୦୦୦ କୋଟି ଟଙ୍କା ପଠାଯାଇଛି । ଭାରତର କୃଷକଙ୍କ ଉନ୍ନତି ଆମ ସମସ୍ତଙ୍କର ଲକ୍ଷ୍ୟ । ଆପଣମାନେ ବୈଜ୍ଞାନିକ ଜ୍ଞାନ କୌଶଳ ଉପଯୋଗ କରି କୃଷି , ପଶୁପାଳନ ଓ ମତ୍ସ୍ୟ ଚାଷ ସହାୟତାରେ ନିଜର ଆୟ ବୃଦ୍ଧି ପାଇଁ ପ୍ରୟାସ କରନ୍ତୁ । ଅନ୍ୟତମ ଅତିଥି ପ୍ରତିଷ୍ଠାନର ନିର୍ଦ୍ଦେଶକ ଡକ୍ଟର ଅର୍ଜମାଦତ୍ତ ଷଡଙ୍ଗୀ କହିଲେ ଯେ ଆଇ ଆଇ ଡବ୍ଲ୍ୟୁ ଏମ ଚାଷୀ ମାନଙ୍କର ବିଭିନ୍ନ ଉତ୍ପାଦନ ପରିସଂସ୍ଥା (ଜଳସେଚିତ, ଅଣ ଜଳ ସେଚିତ, ଜଳଗ୍ରସ୍ତ କ୍ଷେତ୍ର ଇତ୍ୟାଦି) ପାଇଁ ଜଳ ସଞ୍ଚୟକାରୀ କୃଷି ପଦ୍ଧତିର ବିକାଶ କରିଛି । ଆପଣମାନେ ତାର ଫାଇଦା ନେବା ଉଚିତ । ଓଡିଶାର କୃଷି ଆୟ ଅନ୍ୟାନ୍୍ୟ ରାଜ୍ୟର କୃଷି ଆୟ ତୁଳନାରେ ବହୁତ କମ । ଜଳ ସଞ୍ଚୟ ସହିତ ଚାଷୀ ଆୟ ବୃଦ୍ଧି ଆମ ସମସ୍ତଙ୍କର ଲକ୍ଷ୍ୟ ହେବା ଉଚିତ । ସର୍ବ ପ୍ରଥମେ କୃଷି ଆୟ ବୃଦ୍ଧି ପାଇଁ କୃଷକ-ବୈଜ୍ଞାନିକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । କଟକ ଜିଲ୍ଲା ମୁକୁନ୍ଦପୁର, ବେଲେରା, ବାଙ୍ଗୀରିଶିଙ୍ଘା , ମୁଗ ଗହିରି, ଖୋର୍ଦ୍ଧା ଜିଲ୍ଲାର ଗାରେଡିପାଞ୍ଚଣ, ଜାମୁଝରୀ, ହରିଡାମଡା ଏବଂ ପୁରୀ ଜିଲ୍ଲାର ହଂସପଡା, ଭାଟବନ୍ଧ ଓ ଭିଲିଗ୍ରାମ ରୁ ପ୍ରାୟ ୧୫୦ ରୁ ଊର୍ଦ୍ଧ ପ୍ରଗତିଶୀଳ କୃଷକ ଯୋଗ ଦେଇ ନିଜ ନିଜର ସମସ୍ଯା ବୈଜ୍ଞାନିକଙ୍କ ସମ୍ମୁଖରେ ରଖିଥିଲେ । ମୁଖ୍ୟ ଅତିଥି ଚାଷୀ ମାନଙ୍କୁ ବିଭିନ୍ନ ଫସଲର ଉନ୍ନତ ପ୍ରଜାତିର ବିହନ ବଣ୍ଟନ କରିଥିଲେ । ପରେ ପ୍ରଧାନମନ୍ତ୍ରୀଙ୍କ କୃଷକ ଉଦ୍ଦେଶ୍ୟରେ ସମ୍ବୋଧନର ସିଧା ପ୍ରସାରଣ ଚାଷୀ ମାନଙ୍କୁ ବଡ ପରଦାରେ ପ୍ରଦର୍ଶିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ପ୍ରତିଷ୍ଠାନର ସମସ୍ତ ବୈଜ୍ଞାନିକ, ବୈଷୟିକ ଅଧିକାରୀ ଓ କର୍ମଚାରୀ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଡକ୍ଟର ବୀର କିଶୋର ସେଠୀ ଓ ଡକ୍ଟର ହେମନ୍ତ କୁମାର ଦାଶ ପରିଚାଳନା କରିଥିଲାବେଳେ ଡକ୍ଟର ସୁମନ୍ତ କୁମାର ମିଶ୍ର ଧନ୍ୟବାଦ ପ୍ରସ୍ତାବ ଦେଇଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା