
ସମ୍ବଲପୁର, ୨୦ ନଭେମ୍ବର(ହି.ସ.) – ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ୍ ସ୍ଥିତ ଭୀମଭୋଇ ଛକ ନିକଟରେ ଆଜି ପୁଣି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରକ୍ ଧକ୍କାରେ ଜଣେ ବ୍ୟବସାୟୀ ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ତୁରନ୍ତ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତି କରାଯାଇଛି। ପୋଲିସ ତଦନ୍ତ ବେଳେ ଦୁର୍ଘଟଣାର ଶିକାର ଜଣଙ୍କ ରେଢ଼ାଖୋଲ ଡିମିରିକୁଦା ଗ୍ରାମର ୬୦ ବର୍ଷ ବୟସ୍କ ବ୍ୟବସାୟୀ ସୁବାଷ ଖିଲାରୀ(୬୦) ବୋଲି ଜଣାପଡିଛି। ସେ ସାଇକେଲରେ ଯାଉଥିବାବେଳେ ଏକ ଦ୍ରୃତଗାମୀ ଟ୍ରକ୍ ତାଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ତାଙ୍କର ଉଭୟ ଗୋଡ଼ରେ ଗଭୀର ଆଘାତ ଲାଗି ସେ ଗୁରୁତର ହୋଇଛନ୍ତି। ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ବୁର୍ଲା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସୂଚନାଯୋଗ୍ୟ ବୁଧବାର ସମାନ ସ୍ଥାନରେ ଏକ ପାଉଁଶ ବୋଝେଇ ଗାଡି ଧକ୍କାରେ ଜଣେ ବାବାଙ୍କର ମୃତ୍ୟୁ ଘଟିଥିଲା। ସହରରେ ଦ୍ରୃତଗାମୀ ଭାରିଯାନର ଚଳାଚଳରେ କୌଣସି କଡ଼ାକଡ଼ି ନିୟମ ଲାଗୁ ହେଉନଥିବା ଯୋଗୁଁ ଏହି ଅଂଚଳ ଦୁର୍ଘଟଣା ପ୍ରବଣ ଅଂଚଳରେ ପରିଣତ ହେବାକୁ ଯାଉଛି। ଫଳରେ ସ୍ଥାନୀୟ ଅଂଚଳରେ ତୀବ୍ର ଉତେଜନା ସହ ଅସନ୍ତୋଷ ପ୍ରକାଶ ପାଇଛି।
ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଶୈଳେଶ