
କୋରେଇ, ୨୦ ନଭେମ୍ବର (ହି.ସ.)- ଯାଜପୁର ଜିଲା ପାଣିକୋଇଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଶର୍ମା ପେଟ୍ରୋଲ ପମ୍ପ ନିକଟରେ ଥିବା ଡ଼ାଇଭର୍ସନ ନିକଟରେ ଏକ ଟ୍ରକ ପଛରେ ପିଟି ହୋଇ ଦୁଇ ବାଇକ ଆରୋହୀ ଗୁରୁତର ହୋଇଛନ୍ତି । ପ୍ରକାଶଯେ, ଭୁବନେଶ୍ୱରର ନୂଆପଲ୍ଲୀ ଥାନା ଅନ୍ତର୍ଗତ ସାଲିଆ ସାହିର ଦୁଇ ଜଣ ଯୁବକ ଅଲ୍ଲୀ ସିଂ ଓ ବାପୁଲି ସିଂ ଏକ ବାଇକ ନମ୍ବର (ଓଡ଼ି୩୩ଏଇ୨୧୬୮) ଯୋଗେ ପାଣିକୋଇଲି ଅଭିମୂଖେ ଆସୁଥବା ବେଳେ ଉକ୍ତ ଡ଼ାଇଭର୍ସନ ନିକଟରେ ଥିବା ସର୍ଭିସ ରୋଡ଼ର ଡ଼ାଉଭର୍ସନ ନିକଟରେ ଏକ ଆଇଚର ଟ୍ରକ ନମ୍ବର (ଓଡ଼ି୦୨ସିଏ‘୪୫୨୯) ହଠାତ ବୁଲାଣୀ ବୁଲିଯିବାରୁ ବାଇକ ଆରୋହୀ ଦୁଇ ଜଣ ଭାରସାମ୍ୟ ହରାଇ ଟ୍ରକ ପଛରେ ପିଟି ହୋଇଯିବା ସହିତ ଟ୍ରକ ଭିତରେ ପଶିଯାଇଥିଲେ । ଫଳରେ ଉଭୟେ ଗୁରୁତର ହୋଇଥିଲେ । ଖବର ପାଇ ସ୍ଥାନୀୟ ଲୋକ ମାନେ ଓ ସମାଜସେବା ସଙ୍ଗଠନର ସଦସ୍ୟ ମାନେ ଉଭୟଙ୍କୁ ସ୍ଥାନୀୟ ଏକ ବେସରକାରୀ ଡ଼ାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ନିମନ୍ତେ ଭର୍ତି କରିଥିଲେ । ପରେ ଜାତୀୟ ରାଜପଥ ଆମ୍ବୁଲାନ୍ସ ପହଂଚିବାରୁ ସେମାନଙ୍କୁ ଯାଜପୁର ମୂଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଅଛି । ପୁଲିସ ବାଇକ ଓ ଟ୍ରକକୁ ଜବତ କରିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ