
କୋରେଇ, ୨୦ ନଭେମ୍ବର (ହି.ସ.)- ଯାଜପୁର ଜିଲା ପାଣିକୋଇଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ପାଣିକୋଇଲି ବଜାର ଉପରେ ଆଜି ସକାଳ ୭ଟା ୩୦ ସମୟରେ ଏକ ଦୁର୍ଘଟଣାରେ ଟ୍ରକ ତଳେ ବାଇକ ପଶିଯାଇଥିବା ବେଳେ ବାଇକ ଆରୋହୀ ଅଳ୍ପକେ ବର୍ତି ଯାଇଛନ୍ତି । ପ୍ରକାଶଯେ, ଯାଜପୁର ରୋଡ଼ ପଟୁ ଏକ ୧୬ ଚକିଆ ଟ୍ରକ ନମ୍ବର (ଏପି ୦୪-ଟିଡ଼ବ୍ଲ୍ୟୁ ୮୫୨୯) ପାଣିକୋଇଲି ବଜାର ଅତିକ୍ରମ କରି ଭଦ୍ରକ ଅଭିମୂଖେ ଯାଉଥିବା ବେଳେ ସର୍ଭିସ ରୋଡରୁ କଳିଙ୍ଗ ନଗରସ୍ଥିତ ଜିନ୍ଦଲ ପ୍ଲାଂଟର କର୍ମଚାରୀ ଥିବା ଯାଜପୁର ଥାନା ଅଡ଼ଙ୍ଗ ଗ୍ରାମର ଭରତ ସାହୁ ଡ଼ିଉଟି ସାରି ନିଜ ବାଇକ (ଓଡ଼ି୩୪କ୍ୟୁ୭୪୮୩) ଯୋଗେ ରାସ୍ତା ଅତିକ୍ରମ କରୁଥିବା ବେଳେ ଟ୍ରକ ସହିତ ଧକ୍କା ହୋଇଥିଲେ । ଫଳରେ ଟ୍ରକଟି ବାଇକଟିକୁ କିଛି ବାଟ ଗୋଷାଡ଼ି ନେଇଥିଲା । କିନ୍ତୁ, ସୈାଭାଗ୍ୟବଶତଃ ଭରତ ମୃତ୍ୟୁ ମୁଖରୁ ବର୍ତି ଯାଇଥିବା ବେଳେ ବାଇକଟି ସଂପୁର୍ଣ ଭାଙ୍ଗିରୁଜି ଯାଇଛି । ଖବର ପାଇ ପାଣିକୋଇଲି ପୁଲିସ ବାଇକ ଓ ଟ୍ରକଟିକୁ ଜବତ କରିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ