
ମାଲକାନଗିରି, ୨୦ ନଭେମ୍ବର (ହି.ସ.)-
ହୃଦଘାତରେ ଜଣେ ବସ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି । ମୃତ ବସ୍ ଡ୍ରାଇଭରଙ୍କ ପାଇଁ ମାଲକାନଗିରି ସହରରେ ଶୋକର ଛାୟା ଖେଳିଯାଇଛି । ମାଲକାନଗିରି ଓଏସଆରଟିସି କାର୍ଯ୍ୟ lଳୟ କର୍ମଚାରୀ ପାଳନ କରିଛନ୍ତି ଶୋକସଭା। ମୃତକ ହେଉଛନ୍ତି ମାଲକାନଗିରି ବାଲିସାଗର ସାହିର ପି. ସାଇକ୍ରିଷ୍ଣା (୪୫) l
ସୂଚନା ମୁତାବକ, ବୁଧବାର ରାତ୍ର ୧୦ ଟାରେ ଆନ୍ଧ୍ରପ୍ରଦେଶର ବିଜୟନଗରମ ବସଷ୍ଟାଣ୍ଡ ଠାରୁ ମାଲକାନଗିରି ଅଭିମୁଖେ ଓଏସଆରଟିସି ବସ ଛାଡିଥିଲା । ରାତ୍ର ଦୁଇଟାରେ ବସ କୋରାପୁଟ ଜିଲ୍ଲା କୁନ୍ଦୁଲି ଶିମିଳିଗୁଡା ରାସ୍ତାରେ ଆସୁଥିବା ବେଳେ ହଠାତ ବସ୍ ଡ୍ରାଇଭର ପି. ସାଇକ୍ରିଷ୍ଣା ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଅସହ୍ୟ ଯନ୍ତ୍ରଣା ହେବା ସତ୍ତ୍ୱେ ଗାଡ଼ିଟିକୁ ଜଙ୍ଗଲ ରାସ୍ତା ପାର କରି ରାସ୍ତା କଡ଼ରେ ଥିବା ଏକ ଦୋକାନ ନିକଟରେ ରଖିଥିଲେ । କାରଣ ବସରେ ଥିବା ଯାତ୍ରୀ ରାତି ଅଧରେ ଯେପରି କେହି ହଇରାଣ ନ ହୁଅନ୍ତୁ । ବସ୍ ଅଟକାଇ ବସ୍ ମଧ୍ୟରେ ଶୋଇଥିବା ଅନ୍ୟ ଜଣେ ଡ୍ରାଇଭର ପୂର୍ଣ୍ଣଚନ୍ଦ୍ର ରାୟଙ୍କୁ ଉଠାଇ କହିଥିଲେ, ଭାଇ ମୋ ଛାତି ବିନ୍ଧୁଛି । ଗାଡ଼ି ଚଲାଇବା ସମ୍ଭବ ନୁହଁ । ଯାତ୍ରୀମାନେ ଯେପରି ହଇରାଣ ନ ହୁଅନ୍ତି ତୁମେ ଗାଡ଼ି ଚଲାଇ ନେଇ ସୁରକ୍ଷିତ ଭାବେ ମାଲକାନଗିରିରେ ଛାଡିବ କହି ଅଚେତ ହୋଇ ପଡି ଯାଇଥିଲେ। ବସ୍ କଣ୍ଡକ୍ଟର ବାଲାଜୀ ନାୟକ ସଙ୍ଗେ ସଙ୍ଗେ ଏକ ଅଟୋ ଯୋଗେ ପି. ସାଇକ୍ରିଷ୍ଣାଙ୍କୁ କୋରାପୁଟ ହସ୍ପିଟାଲକୁ ନେଇ ଯାଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ପି.ସାଇକ୍ରିଷ୍ଣାଙ୍କର ବୁଧବାର ମଧ୍ୟ ରାତ୍ରରେ ମୃତ୍ୟୁ ହୋଇଯାଇଛି । ଯାତ୍ରୀ ଯେପରି ହଇରାଣ ନ ହୁଅନ୍ତି ଅନ୍ୟ ଜଣେ ଡ୍ରାଇଭର ସୁରକ୍ଷିତ ଭାବରେ ଆଜି ସକାଳେ ବସ ଟିକୁ ମାଲକାନଗିରିରେ ପହଞ୍ଚାଇଛନ୍ତି। ଆଜି ସକାଳେ କୋରାପୁଟରୁ ପି.ସାଇକ୍ରିଷ୍ଣାଙ୍କ ମୃତଦେହ ମାଲକାନଗିରିରେ ପହଁଚିବା ପରେ ସହର ବାସୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ମାଲକାନଗିରି ଓଏସଆରଟିସି କାର୍ଯ୍ୟାଳୟ ଡିଟିଏମ ଅରୋଷି ସାହୁ, ଏଟିଏମ ନିଖିଲ ଓଝା ଓ ଅନ୍ୟାନ୍ୟ କର୍ମଚାରୀ କାର୍ଯାଳୟରେ ଏକ ଶୋକସଭା ପାଳନ କରି ସାଇକ୍ରିଷ୍ଣାଙ୍କୁ ଶେଷ ଦର୍ଶନ କରି ମୃତପରିବାରଙ୍କୁ ଭେଟି ସାନ୍ତ୍ୱନା ଦେବା ସହ ସମବେଦନା ଜଣାଇଛନ୍ତି। ସାଇକ୍ରିଷ୍ଣାଙ୍କର ଦୁଇଟି ପୁଅ ଓ ପତ୍ନୀ ଅଛନ୍ତି l ସେ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ l ଏପରି ସ୍ଥିତିରେ ମୃତ ସାଇକ୍ରିଷ୍ଣାଙ୍କ ପରିବାରକୁ ସରକାରଙ୍କ ପକ୍ଷରୁ ସହାୟତା ଯୋଗାଇ ଦେବା ପାଇଁ ସାଧାରଣରେ ଦାବି ହେଉଛି।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ