
ଜୟପୁର, ୨୦ ନଭେମ୍ବର (ହି.ସ.)-
ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ (ସିୟୁଓ), କୋରାପୁଟର ସଂସ୍କୃତ ବିଭାଗ ଏବଂ ମହର୍ଷି ସାନ୍ଦୀପନୀ ରାଷ୍ଟ୍ରୀୟ ବେଦ ବିଦ୍ୟା ପ୍ରତିଷ୍ଠାନଙ୍କ ମିଳିତ ଆନୁକୂଲ୍ୟରେ ଆୟୋଜିତ ହୋଇଥିବା ଜାତୀୟ ବେଦିକ ସେମିନାର ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍ରେ ଉଦଯାପିତ ହୋଇଯାଇଛି। ସମାପନ ସମାରୋହରେ ବେଦ ଓ ତାହାର ସଠିକ ଅର୍ଥକୁ ସାଧାରଣ ଲୋକଙ୍କ ପାଖକୁ ପହଞ୍ଚାଇବା ପାଇଁ ଆହ୍ୱାନ ଦିଆଯାଇଥିଲା ।
ସମାପନ ସଭାରେ ସିୟୁଓର ଭାରପ୍ରାପ୍ତ କୁଳପତି ପ୍ରଫେସର ନରସିଂହ ଚରଣ ପଣ୍ଡା ସଭାପତିତ୍ଵ କରିଥିଲେ ମଞ୍ଚରେ ଉତ୍କଳ ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ରଘୁନାଥ ପଣ୍ଡା ଏବଂ ପ୍ରଫେସର ଗୋପାଳ କୃଷ୍ଣ ଦାଶ, ବିଶ୍ୱଭାରତୀ, ଶାନ୍ତିନିକେତନର ପ୍ରଫେସର ଅରୁଣ ରଂଜନ ମିଶ୍ର, ସିୟୁଓର ଅର୍ଥ ଅଧିକାରୀ ଦୁର୍ଯୋଧନ ସେଠୀ ଏବଂ ସଂସ୍କୃତ ବିଭାଗର ଭାରପ୍ରାପ୍ତ ମୂଖ୍ୟ ତଥା ସେମିନାର ସମନ୍ୱୟକ ଡ଼ଃ. ନବୀନ କୁମାର ପ୍ରଧାନ ଉପସ୍ଥିତ ଥିଲେ। ଡ଼ଃ. ବିରେନ୍ଦ୍ର କୁମାର ଷଡଙ୍ଗୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।
ସଭାପତିତ୍ଵ ଅଭିଭାଷଣରେ ପ୍ରଫେସର ପଣ୍ଡା କହିଥିଲେ ଯେ, ବେଦ ଭାରତର ଅମୂଲ୍ୟ ବୈଦିକ ସମ୍ପଦ ଓ ଏହାର ମନ୍ତ୍ରମାନଙ୍କ ଗୁଢ଼ ଅର୍ଥ ସଠିକ ଅଧ୍ୟୟନ ଓ ଉଚ୍ଚାରଣରେ ହିଁ ପ୍ରକାଶିତ ହୁଏ। ସେ ଲୋକମାନଙ୍କ ମଧ୍ୟରେ ବେଦ ସଚେତନତା ବୃଦ୍ଧି ପାଇଁ ଏହି ପ୍ରକାର ସେମିନାର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଉଳ୍ଲେଖ କରିଥିଲେ।
ପ୍ରଫେସର ରଘୁନାଥ ପଣ୍ଡା ବେଦ ଅଧ୍ୟୟନରେ ସଂସ୍କୃତ ବ୍ୟାକରଣର ମହତ୍ତ୍ୱ ଉପରେ ମଧ୍ୟ ଆଲୋକପାତ କରିଥିଲେ। ପ୍ରଫେସର ଦାଶ ବିଭିନ୍ନ ସୂତ୍ର ଓ ମନ୍ତ୍ରମାନଙ୍କ ସାଧାରଣ ଜୀବନରେ ପ୍ରାସଙ୍ଗିକତା ବିଷୟରେ ଅଲୋଚନା କରିଥିଲେ। ପ୍ରଫେସର ମିଶ୍ର ବେଦମାନଙ୍କ ଆଧ୍ୟାତ୍ମିକ ଓ ସାଂସ୍କୃତିକ ମହତ୍ତ୍ୱକୁ ବର୍ଣ୍ଣନା କରିବା ସହ ଵେଦାଙ୍ଗମାନଙ୍କ ଅବଦାନ ଉପରେ ଗୁରୁତ୍ବ ଦେଇଥିଲେ । ଶ୍ରୀ ସେଠୀ ବିଭାଗକୁ ସେମିନାର ସଫଳ ଆୟୋଜନ ପାଇଁ ଅଭିନନ୍ଦନ ଜଣାଇଥିଲେ।
ଡ଼ଃ. ପ୍ରଧାନ ଧନ୍ୟବାଦ ଜଣାଇଲେ ଏବଂ ଡ଼ଃ. ଦେବାଶିଷ କର୍ମକାର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ସଂସ୍କୃତ ଶିକ୍ଷକ, ବିଦ୍ୱାନ୍ ଓ ଛାତ୍ରଛାତ୍ରୀମାନେ ସେମିନାରରେ ଯୋଗଦେଇଥିଲେ ବୋଲି ବିଶ୍ବବିଦ୍ୟାଳୟର ଲୋକସମ୍ପର୍କ ଅଧିକାରୀ ଡ଼ଃ. ଫଗୁନାଥ ଭୋଇ ଜଣାଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପିକେପି