
ଭଦ୍ରକ, ୨୦ ନଭେମ୍ବର (ହି.ସ.) - କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଧାମନଗର ଗସ୍ତରେ ଆସନ୍ତା ୨୨ ତାରିଖ ଶନିବାର ଦିନ ଆସୁଛନ୍ତି। ଏହି ଅବସରରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ ବୋଲି ଗୋହିରାଟିକିରି ଉନ୍ନୟନ ପରିଷଦ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଧାମନଗର ଜଳସେଚନ ଡାକ ବଙ୍ଗଳା ଠାରେ ସୂଚନା ଦିଆଯାଇଛି। କେନ୍ଦ୍ରମନ୍ତ୍ରୀ ଶନିବାର ସକାଳେ ଭଦ୍ରକରୁ ଆସି ଐତିହାସିକ ପୀଠ ତଥା ପର୍ଯ୍ୟଟନସ୍ଥଳୀ ଗୋହିରାଟିକିରିରେ ପହଂଚିବେ। ଶେଷ ସ୍ୱାଧୀନ ରାଜା ମୁକୁନ୍ଦଦେବ ଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ନିକଟସ୍ଥ ମଠ ପରିଦର୍ଶନ କରିବେ। ଏହାପରେ ଦେଶର ପ୍ରଥମ ଗୃହମନ୍ତ୍ରୀ ତଥା ମହାନ ସ୍ୱାଧୀନତା ସଂଗ୍ରାମୀ ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ତମ ଜନ୍ମ ଜୟନ୍ତୀ ଅବସରରେ ଏକତା ପଦଯାତ୍ରାରେ ସାମିଲ ହେବେ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସ୍ଥାନୀୟ ବିଧାୟକ ତଥା ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ, ଭଦ୍ରକ ବିଧାୟକ ସିତାଂଶୁ ଶେଖର ମହାପାତ୍ର ଓ ଭଦ୍ରକ ଜିଲ୍ଲା ସଭାପତି ଭଗବାନ ପଣ୍ଡା ଗୋହିରାଟିକିରିଠାରୁ ଦୋବଲ କାଳୀ ବଜାର ପର୍ଯ୍ୟନ୍ତ ପଦଯାତ୍ରା କରିବେ। ଏହାଛଡ଼ା ସ୍କୁଲ କଲେଜ ଛାତ୍ରଛାତ୍ରୀ, ସ୍ଥାନୀୟ ବୁଦ୍ଧିଜୀବୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ଏହି ପଦଯାତ୍ରାରେ ସାମିଲ ହେବେ। ପଦଯାତ୍ରା ପରେ ଦୋବଲ କାଳୀପଡ଼ିଆରେ ଆୟୋଜିତ ସଭାରେ ଧାମନଗର ର ବିକାଶ ପାଇଁ ବିଭିନ୍ନ ଭିତିଭୂମି ପ୍ରକଳ୍ପର ଶିଳାନ୍ୟାସ କରିବେ କେନ୍ଦ୍ରମନ୍ତ୍ରୀ। ପ୍ରାୟ ୧୦୧ କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ୨୨ ଟି ପ୍ରକଳ୍ପର ଶିଳାନ୍ୟାସ କରିବେ। ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ ପାଣ୍ଠିରୁ ୧୫ କୋଟି ଟଙ୍କାରେ ହେବାକୁ ଥିବା ଧାମନଗର ମହାବିଦ୍ୟାଳୟ ବିକାଶ ପ୍ରକଳ୍ପ, ପର୍ଯ୍ୟଟନ ବିଭାଗ ପକ୍ଷରୁ ୨.୪୬ କୋଟିରେ ଗୋହିରାଟିକିରି ନିକଟ ସେନାପତିଆ ପୋଖରୀର ପାରିପାର୍ଶ୍ୱିକ ଉନ୍ନତିକରଣ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ପ୍ରାୟ ୧୦ କୋଟି ଟଙ୍କା ବ୍ୟୟରେ ଲୁଣିଆ ସହିଦ ସ୍ମାରକୀ ପୀଠର ଉନ୍ନତିକରଣ ଓ ଗୋହିରାଟିକିରିଠାରେ ୫ କୋଟି ଟଙ୍କା ବ୍ୟୟରେ ଗୋହିରାଟିକିରି ଗବେଷଣା କେନ୍ଦ୍ର ଓ ଆର୍ଟ ଗ୍ୟାଲେରୀ ପ୍ରକଳ୍ପର ଶିଳାନ୍ୟାସ କରାଯିବ। ସେହିପରି ଜଳସଂପଦ ବିଭାଗ ପକ୍ଷରୁ ୨୫.୮୫ କୋଟି ଟଙ୍କା ବ୍ୟୟରେ ହେବାକୁଥିବା ୧୦ ଟି ପ୍ରକଳ୍ପ, ପୂର୍ତ ଓ ଗୃହ ନିର୍ମାଣ ବିଭାଗ ପକ୍ଷରୁ ୧୮ କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ୩ଟି ପ୍ରକଳ୍ପ, ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ହେବାକୁ ଥିବା ୨୧.୨୫କୋଟି ଟଙ୍କାର ୩ଟି ପ୍ରକଳ୍ପ ଓ ଡ୍ରେନେଜ ବିଭାଗ ପକ୍ଷରୁ ୪.୧୧ କୋଟି ଟଙ୍କାରେ ହେବାକୁ ଥିବା ୨ ଟି ପ୍ରକଳ୍ପର ଶିଳାନ୍ୟାସ କରାଯିବ। ଗୋହିରାଟିକିରି ଗବେଷଣା କେନ୍ଦ୍ର ଓ ଆର୍ଟ ଗ୍ୟାଲେରୀ ପ୍ରତିଷ୍ଠା ହେଲେ ଓଡ଼ିଶାର ଗରିମାମୟ ଇତିହାସ ବିଶ୍ୱ ଦରବାରରେ ପହଂଚିପାରିବ। ବିଶ୍ୱର କୋଣ ଅନୁକୋଣରେ ଥିବା ଐତିହାସିକମାନେ ଏହା ଉପରେ ଗବେଷଣା କରିପାରିବେ ବୋଲି ଗୋହିରାଟିକିରି ଉନ୍ନୟନ ପରିଷଦ କହିଛି। ଏହି ଅବସର ଏହି ସାମ୍ବାଦିକ ସମ୍ମିଳନୀ ରେ ମନ୍ତ୍ରୀ ଙ୍କ ପ୍ରତିନିଧି ଅଶୋକ ପୁହାଣ,କୈଳାସ ମହାପାତ୍ର,ଅରବିନ୍ଦ ପତି,ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଶରତ ମହାନ୍ତି,ସରପଂଚ ଅଶୋକ ପଣ୍ଡା,ରଞ୍ଜିତି ମହାନ୍ତି,ପ୍ରମୋଦ ସୂତାର,ବିଜୟ ରାମ ପ୍ରମୁଖ ଉପସ୍ଥିତ ଥିଲେ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ