ନାବାଳିକାକୁ ଦୁଷ୍କର୍ମ ମାମଲା : ଦୋଷୀକୁ୧୦ ବର୍ଷ ଜେଲ ଓ ଜୋରିମାନା
Pocso Court Judgment News from phulbani
ନାବାଳିକାକୁ ଦୁଷ୍କର୍ମ ମାମଲା : ଦୋଷୀକୁ୧୦ ବର୍ଷ ଜେଲ ଓ ଜୋରିମାନା


କନ୍ଧମାଳ, ୨୦ ନଭେମ୍ବର (ହି.ସ.)- ଫୁଲବାଣୀ ଫାଷ୍ଟ୍ ଟ୍ରାକ୍ ପୋସ୍କୋ କୋର୍ଟର ବିଚାରପତି କୈଳାସ ଚନ୍ଦ୍ର ସ୍ବାଇଁ ଆଜି ଏକ ୧୬ ବର୍ଷିୟା ନାବାଳିକାକୁ ଦୁଷ୍କର୍ମ ମାମଲାର ୧୪ ଜଣ ସାକ୍ଷୀ, ଡ଼ାକ୍ତରୀ ରିପୋର୍ଟ ଓ ପୀଡିତାଙ୍କ ବୟାନ ଆଧାରରେ ବିଚାର କରି, ମାମଲାର ଦୋଷୀ ଦାରିଙ୍ଗବାଡ଼ି ଥାନା ଅଞ୍ଚଳର ତପନ ନାୟକ (୨୫)କୁ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୫ ହଜାର ଟଙ୍କା ଜୋରିମାନା ଦଣ୍ଡାଦେଶ ଦେଇଛନ୍ତି। ଜୋରିମାନା ଅନାଦେୟ ତାକୁ ଆଉ ଅଧିକ ୨ ବର୍ଷ ୩ ମାସ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି। ସରକାରଙ୍କ ତରଫରୁ ଫାଷ୍ଟ୍ ଟ୍ରାକ୍ ପୋସ୍କୋ କୋର୍ଟର ସ୍ଵତନ୍ତ୍ର ପି.ପି. ବନମାଳୀ ବେହେରା ମାମଲା ପରିଚାଳନା କରୁଥିଲେ।

ସୂଚନା ଅନୁସାରେ, ଗତ ୨୦୧୭ ମସିହା ମାର୍ଚ୍ଚ ୪ ତାରିଖ ରାତି୧୦ଟା ସମୟରେ ପୀଡିତା ଶୌଚ ପାଇଁ ଯାଇଥିବା ବେଳେ ଅଭିଯୁକ୍ତ ନିରୋଳା ଦେଖି ତାଙ୍କ ସହିତ ବିବାହର ପ୍ରଲୋଭନ ଦେଖାଇ ଜବରଦସ୍ତି ପୀଡିତାଙ୍କୁ ନିଜ ଘରକୁ ନେଇ ତା'ର ଇଛା ବିରୁଦ୍ଧରେ ଦୁଷ୍କର୍ମ କରିଥିଲା। କିଛି ଦିନ ପରେ ଅଭିଯୁକ୍ତ ପୀଡିତାଙ୍କୁ ଏକୁଟିଆ ଛାଡ଼ି ଦେଇ କେଉଁ ଆଡ଼େ ପଳାଇ ଯାଇଥିଲା ଏବଂ ଫୋନ୍ ରେ ମୁଁ ବିବାହିତ ତୁ ତମ ଘରକୁ ପଳାଇଯା ବୋଲି କହିଥିଲା। ତେଣୁ ପୀଡିତା ବାପ ଘରକୁ ଆସି ସବୁ ଘଟଣା କହି ଦାରିଙ୍ଗିବାଡ଼ି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁଯାୟୀ, ଥାନାଧିକାରୀ ଏକ ମାମଲା ୪୩/ ୨୪.୦୩.୨୦୧୭ ରୁଜୁ କରି ଏସ୍ ଆଇ ଶ୍ରୀକାନ୍ତ ଖମାରିଙ୍କୁ ଘଟଣାର ତଦନ୍ତ ଭାର ଦେଇଥିଲେ। ତଦନ୍ତ ପରେ ଅଭିଯୁକ୍ତକୁ ଗିରଫ କରି କୋର୍ଟରେ ହାଜର କରାଯାଇଥିଲା। ଆଜି ସେହି ମାମଲାର ବିଚାର କରି ବିଚାରପତି ଉପରୋକ୍ତ ରାୟ ପ୍ରକାଶ କରିଛନ୍ତି। ଏଥିସହ, ପୀଡିତାଙ୍କୁ କ୍ଷତିପୂରଣ ବାବଦକୁ ୫ ଲକ୍ଷ ଟଙ୍କା ପ୍ରଦାନ କରିବା ପାଇଁ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande