
ଜୟପୁର , 20 ନଭେମ୍ବର (ହି.ସ.)ମୌଳିକ ସୁବିଧାରୁ ବଞ୍ଚିତ ଗାଁ ଲୋକଙ୍କ ଭୋଟ ବର୍ଜନ ଚେତାବନୀ l ଗାଁ କୁ ପକ୍କା ରାସ୍ତା ଆଉ ପାଣି ସୁବିଧା ହେଲେ ଭୋଟ ଦେବେ, ନଚେତ ଭୋଟ ଦେବେନି ଗାଁ ଲୋକେ l ଏଭଳି ନିଷ୍ପତ୍ତି ନେଇଛନ୍ତି କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ କୋଲାର ପଂଚାୟତ ର ସୁନ୍ଦରଯୋଡି ଗାଁ ଲୋକେ l ବିଭିନ୍ନ ମୌଳିକ ସୁବିଧାରୁ ବଂଚିତ ରହିଛନ୍ତି ଗାଁର ଲୋକେ । ବଣ ପାହାଡ ଘେରା ଏହି ଗାଁରେ ଆଜି ବି ସ୍ଥିତିରେ ସୁଧାର ନାହିଁ । ଯେଉଁଠି ଭଲ ରାସ୍ତାଟିଏ ନଥିବାରୁ ଲୋକେ ବହୁ ଅସୁବିଧା ଭୋଗୁଛନ୍ତି । ଆଉ ପିଇବା ପାଣି ସୁବିଧା ନଥିବାରୁ ପ୍ରତିଦିନ ହନ୍ତସନ୍ତ ହେଉଛନ୍ତି ନିରୀହ ଗାଁ ଲୋକେ l ବାଧ୍ୟ ହୋଇ ଛୁଆଁ ପାଣି ଉପରେ ଭରସା କରିଛନ୍ତି l ବୈପାରୀଗୁଡା ବ୍ଲକ ଅନ୍ତର୍ଗତ କୋଲାର ପଂଚାୟତର ସରନ୍ଦଯୋଡି ଗାଁ ରେ ମୋଟ କୁଡ଼ିଏ ଘର ପରିବାର ବସବାସ କରନ୍ତି l ଆଜି ପର୍ଯ୍ୟନ୍ତ ପକ୍କା ରାସ୍ତା ନିର୍ମାଣ ହୋଇ ନଥିବାରୁ ଗ୍ରାମବାସୀ ୨କିମି ଦୂର ଚାଲି ଚାଲି ଜାତୀୟ ରାଜପଥକୁ ଯାଉଛନ୍ତି। ପରେ କୌଣସି ଗାଡ଼ିରେ ଭତ୍ତା କିମ୍ବା ରାସନ୍ ସାମଗ୍ରୀ ଆଣିବା ନିମନ୍ତେ ପ୍ରାୟ ୯କିମି ଦୂର ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇଥାନ୍ତି। ୫ କିଲୋ ଚାଉଳ ପାଇଁ ଗାଡ଼ି ଭଡ଼ା ବାବଦକୁ ଶହେ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି। ଅନ୍ୟପଟେ ସରନ୍ଦାଯୋଡ଼ି ରାସ୍ତାରେ ପାହାଡ଼ିଆ ନଦୀ ବାଟ ଅଗାଳୁଥିବାରୁ ବର୍ଷାଦିନେ ଗ୍ରାମବାସୀ ଏକପ୍ରକାର ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଥାନ୍ତି। ଗାଁରେ ବିଦ୍ୟାଳୟ କିମ୍ବା ଅଙ୍ଗନବାଡ଼ି କେନ୍ଦ୍ର ନଥିବାରୁ ପିଲାଙ୍କୁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। କୋମଳମତି ଶିଶୁମାନେ ପ୍ରାକ୍ ଶିକ୍ଷା ପାଇଁ ନାଳ ପାର ହୋଇ ଚାଲି ଚାଲି ୩ କିମି ଦୂର ଚିଲିମାଳ ଅଙ୍ଗନବାଡ଼ି କେନ୍ଦ୍ରକୁ ଯାଉଛନ୍ତି। ଏଥିସହ ଛାତ୍ରଛାତ୍ରୀମାନେ ୬ କିମି ଦୂର ମୁଦୁଲିଗୁଡ଼ା ବିଦ୍ୟାଳୟକୁ ପଢ଼ିବା ପାଇଁ ଯାଇଥାନ୍ତି। କିନ୍ତୁ ବର୍ଷାଦିନେ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ଡୋରି ବନ୍ଧା ହୋଇଯାଇଥାଏ। ଗାଁରେ ପାନୀୟ ଜଳ ସମସ୍ୟା ଦେଖାଦେଇଛି। ଏକମାତ୍ର ନଳକୂପରୁ ଗୋଳିଆ ପାଣି ବାହାରୁଥିବାରୁ ବାଧ୍ୟ ହୋଇ ଗ୍ରାମବାସୀ ଚୁଆ ପାଣି ପିଉଛନ୍ତି। ଏହି ଦୂଷିତ ପାଣି ପିଇ ଲୋକେ ରୋଗାକ୍ରାନ୍ତ ହେଉଥିବା ଅଭିଯୋଗ ହୋଇଛି। ଗାଁକୁ କୌଣସି ଗାଡ଼ି କିମ୍ବା ଆମ୍ବୁଲାନ୍ସ ଯାଇପାରୁନଥିବାରୁ ଜରୁରୀ ସମୟରେ ଗର୍ଭବତୀ ଓ ରୋଗୀଙ୍କୁ ଭାରରେ ବୋହି ଜାତୀୟ ରାଜପଥ ପର୍ଯ୍ୟନ୍ତ ନିଆଯାଉଛି। ପରେ ଆମ୍ବୁଲାନ୍ସ କିମ୍ବା ଅନ୍ୟ କୌଣସି ଗାଡ଼ିରେ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଉଛି। ଏଭଳି ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ସରନ୍ଦାଯୋଡ଼ି ଗ୍ରାମବାସୀଙ୍କ ପ୍ରତି ପ୍ରଶାସନର ଦୃଷ୍ଟି ନପଡ଼ିବା ପରିତାପର ବିଷୟ ପାଲଟିଛି। ଏ ସମସ୍ତ ସମସ୍ୟାର ସମାଧାନ ନ ହେଲେ ଆଗାମୀ ଦିନରେ ଭୋଟ ଦେବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ଗାଁ ଲୋକେ l
---------------
ହିନ୍ଦୁସ୍ଥାନ ସମାଚାର / ପିକେପି