
ପୁରୀ, ୨୦ ନଭେମ୍ବର (ହି.ସ.)- ମାର୍ଗଶୀର ମାସ ଚତୁର୍ଦ୍ଦଶୀ ତିଥିଠାରୁ ଶ୍ରୀମନ୍ଦିରରେ ତିନିଦିନ ବ୍ୟାପି ଦେବଦୀପାବଳି ପାଳିତ ହେଉଅଛି । ପିତୃପୁରୁଷଙ୍କ ଉଦ୍ଦେଶ୍ଯରେ କାର୍ତ୍ତିକ ଅମାବାସ୍ୟା ତିଥିରେ ଶ୍ରାଦ୍ଧ ତର୍ପଣ ଓ ଦୀପଦାନ କରିବା ବିଧି ରହିଛି । ମହାପ୍ରଭୁ ଶ୍ରୀଜଗନ୍ନାଥ ମାର୍ଗଶୀର ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ, ଅମାବାସ୍ୟା ଓ ଶୁକ୍ଳ ପ୍ରତିପଦ ତିଥିରେ ତିନିଦିନ ଧରି ପିତୃଗଣଙ୍କୁ ଶ୍ରାଦ୍ଧ ଓ ଦୀପଦାନ କରାଯାଉଛି । ଏହି ତିନିଦିନ ଶ୍ରୀଜଗନ୍ନାଥ ଶ୍ରାଦ୍ଧ ବେଶ ହୋଇଥାନ୍ତି । ପ୍ରଭୁ ବାମନ ରୂପରେ ସତ୍ୟଯୁଗରେ ଅଦିତି ଓ କଶ୍ୟପ, ତ୍ରେତୟା ଯୁଗରରେ ଶ୍ରୀରାମ ରୂପରେ କୌଶଲ୍ୟା ଓ ଦଶରଥ, ଦ୍ବାପର ଯୁଗରେ ଶ୍ରୀକୃଷ୍ଣ ରୂପରେ ଦେବକୀ ଓ ବସୁଦେବ, କଳିଯୁଗରେ ଶ୍ରୀଜଗନ୍ନାଥ ଗୁଣ୍ଡିଚା ଓ ଇନ୍ଦ୍ରଦ୍ୟୁମ୍ନଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ପ୍ରଦାନ ଓ ଦୀପଦାନ ନୀତି ହୋଇଥାଏ । ଶ୍ରାଦ୍ଧ ବେଶରେ କାଶୀଧଡ଼ିଆ ବସ୍ତ୍ରରେ ଭୂଷିତ ହୋଇଥିଲେ । ଶ୍ରୀବିଗ୍ରହ ମାନେ ନଳିଭୂଜ, କୁଣ୍ଡଳ, ଚନ୍ଦ୍ରସୂର୍ଯ୍ୟ, ଆଡ଼କାନି, ତଡ଼ଗି, ହରିଡ଼ାଶାଳି ପ୍ରଭୃତି ସୁବର୍ଣ୍ଣ ଅଳଙ୍କାର ପରିଧାନ କରିଥାନ୍ତି । ମାର୍ଗଶିର ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀରେ ସନ୍ଧ୍ୟାଧୂପ ନୀତି ବଢ଼ି ଧୋପଖାଳ ହେବାପରେ ରତ୍ନସିଂହାସନ ତଳେ ଭଣ୍ଡାରମେକାପ ଚାଉଳରେ ଗୋଟିଏ ଗଛ ନିର୍ମାଣ କରିଥିଲେ । ପାଳିଆ ମେକାପ ବଇଠାମାନଙ୍କରେ ଘୃତ ପୂର୍ଣ୍ଣକରି ଚାଉଳ ଗଛରେ ବତୀ ବସାଇଥିଲେ । ସମୁଦାୟ ଅଠେଇଶଟି ବତୀ ବସା ଯାଇଥିଲା । ତନ୍ମଧ୍ୟରୁ ଶ୍ରୀଜଗନ୍ନାଥଙ୍କ ନିମନ୍ତେ ଦଶଗୋଟି, ଶ୍ରୀବଳଭଦ୍ରଙ୍କ ସେଥି ମଧ୍ୟରୁ ନଅଟି ଓ ଦେବୀ ସୁଭଦ୍ରାଙ୍କ ନିମନ୍ତେ ନଅଟି ଦୀପ ବସାଯାଇଥିଲା । ତିନିଗୋଟି ସୁନାଆଳତି ଲଗାଇବା ପରେ ପୂଜାପଣ୍ଡା ସେବକ ଚାଉଳଗଛ ଓ ଦୀପମାନଙ୍କୁ ସଂସ୍କାର କରଥିଲେ । ଏହାପରେ ପୂଜାପଣ୍ଡା, ପତି ମହାପାତ୍ର ଓ ମୁଦିରସ୍ତ ସେବକମାନେ ସିଂହାସନ ଉପରକୁ ଉଠି ତିନିବାଡ଼ରେ ବନ୍ଦାପନା କରିବା ପରେ ତିନୋଟି ମହାଦୀପରେ ବନ୍ଦାପନା କରାଯାଇଥିଲା । ପରେ ପୂଜକ ତିନିଜଣ ମହାଦୀପ ଗୁଡ଼ିକୁ ହାତରେ ଧରି ଜୟବିଜୟ ଦ୍ୱାରର ଭିତର ପାଖକୁ ଆସିଥିଲେ । ସେଠାରେ ଆସ୍ଥାନ ପଢ଼ିଆରୀ କରିଥିବା ଚାଉଳ ଗଛକୁ ଜଣେ ପୂଜାପଣ୍ଡା ସଂସ୍କାର କରି ପାଣି ଛଡ଼ାଇଥିଲେ । ସେହି ମହାଦୀପ କଳସଗୁଡ଼ିକୁ ପାଳିଆ ଚୁନରାଙ୍କୁ ଦିଆଯାଇଥିଲା । ଚୂନରା ସେବକ ବଡ଼ଓଡ଼ିଆ ମଠ ପ୍ରଦତ୍ତ ତେଲ ଓ ଘିଅ ନେଇ ଶ୍ରୀମନ୍ଦିରର ଅଁଳାବେଢ଼ା ଉପରେ ଦୀପ ଜଳେଇଥିଲେ । ସେହିଠାରେ ଚନ୍ଦ୍ରଉଦିଆ ଜାଳି ଗଜପତି ମହାରାଜଙ୍କୁ ମହାପ୍ରଭୁ ଶଙ୍ଖେପୁରାଇ ଚକ୍ରେ ଆଢୁଆଳ କରନ୍ତୁ କହି ହରିବୋଲ ଡାକ ଦେଇଥିଲେ । ମହାପ୍ରଭୁଙ୍କର ଶ୍ରାଦ୍ଧବେଶ ଦେଖିବା ଲାଗି ଶ୍ରୀମନ୍ଦିରରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ ଲାଗି ରହିଥିଲା । ପିତୃଶ୍ରାଦ୍ଧର ଦ୍ୱିତୀୟ ଦିବସରେ ଭକ୍ତମାନେ ପ୍ରଭୁଙ୍କ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଗଣଦୀପ ଗୁରୁବାର ଲଗାଇଛନ୍ତି । ପିତୃଶ୍ରାଦ୍ଧର ତୃତୀୟ ଦିବସରେ ପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ଭୂଦେବୀ ଓ ଶ୍ରୀଦେବୀଙ୍କ ସହ ଜଗନ୍ନାଥ ବଲ୍ଲଭ ମଠକୁ ବିଜେ କରିବେ । ସେଠାରେ ବନ୍ଦାପନା ଭଳି କେତେକ ନୀତି ସମ୍ପାଦନ ହେବାପରେ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ ।
ହିନ୍ଦୁସ୍ଥାନ ସମାଚାର / ବିଜୟ