
ଭୁବନେଶ୍ୱର, ୨୦ ନଭେମ୍ବର (ହି.ସ.) - ନୂଆପଡାର ନବ ନିର୍ବାଚିତ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ବିଧାୟକ ଭାବେ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି। ଗୁରୁବାର ମଧ୍ୟାହ୍ନରେ ବିଧାନସଭା ବାଚସ୍ପତି ସୁରମା ପାଢୀ ତାଙ୍କୁ ଶପଥ ପାଠ କରାଇଛନ୍ତି । ଶପଥ ଗ୍ରହଣ ଉତ୍ସବରେ ଢୋଲକିଆଙ୍କ ମା, ପତ୍ନୀଙ୍କ ସମେତ ବିଜେପିର ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ।
ଶପଥ ଗ୍ରହଣ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଜୟ କହିଛନ୍ତି ମୋ ପାଇଁ ଆଜି ସ୍ମରଣୀୟ ଦିନ। ଆଜି ମୋ ବାପାଙ୍କ ଜନ୍ମ ଜୟନ୍ତୀ। ମୁଖ୍ୟମନ୍ତ୍ରୀ ଓ ବାଚସ୍ପତିଙ୍କୁ ଧନ୍ୟବାଦ ଏଭଳି ଦିନରେ ମତେ ଶପଥ ପାଠ କରାଇଛନ୍ତି। ନୂଆପଡା ବିକାଶ ପାଇଁ ମୁଁ ଯେଉଁ ପ୍ରଣ ନେଇଥିଲି ତାହା କରିବି। ଏହି ବିଜୟ ନୂଆପଡା ବାସୀ ତଥା ମୋ ବାପା ରାଜୁ ଢୋଲକିଆଙ୍କ ସହ ବିଜେପି କର୍ମକର୍ତାଙ୍କ ବିଜୟ ବୋଲି କହିଛନ୍ତି ଜୟ ଢୋଲକିଆ।
ସେହିପରି ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ କହିଛନ୍ତି ଆମେ ୮୧ ରୁ ୮୨ ହେଲୁ। ଆଗକୁ ନୂଆପଡାର ଭବିଷ୍ୟତ ଉଜ୍ୱଳ। ନୂଆପଡା ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେଇଛନ୍ତି। ଚାଷୀଠୁ ନେଇ ପର୍ଯ୍ୟଟନ ସହ ଶିଳ୍ପର ବିକାଶ ହେବ।
ସୂଚନାଯୋଗ୍ୟ ଯେ ୨୦୨୪ ବିଧାନସଭା ନିର୍ବାଚନରେ ରାଜେନ୍ଦ୍ର ଢୋଲକିଆ ବିଜେଡିରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ହେଲେ ଅସୁସ୍ଥତା ଯୋଗୁ ତାଙ୍କର ଦେହାନ୍ତ ହୋଇଥିଲା ।ଏହାପରେ ଚଳିତ ନଭେମ୍ବର ୧୧ ତାରିଖରେ ନୂଆପଡ଼ାରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା। ନଭେମ୍ବର ୧୪ରେ ହୋଇଥିବା ଭୋଗ ଗଣତିରେ ଜୟ ଢୋଲକିଆ ବିପୁଳ ସଂଖ୍ୟାରେ ବିଜୟୀ ହୋଇଥିଲେ । ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସର ଘାସିରାମ ମାଝୀ ଏବଂ ବିଜେଡିର ସ୍ନେହାଙ୍ଗିନୀ ଛୁରିଆଙ୍କୁ ଜୟ ଢୋଲକିଆ ପରାଜିତ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା