
ମାଲକାନଗିରି, ୨୧ ନଭେମ୍ବର (ହି.ସ.)- ବିଶିଷ୍ଟ ରାଜନୀତିଜ୍ଞ ତଥା ଜନନାୟକ ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ମାଲକାନଗିରି ଜିଲ୍ଲାରେ ପାଳିତ ହୋଇଯାଇଛି । ଆଜି ମାଲକାନଗିରି ଜିଲ୍ଲା ସଦର ମହକୁମା ସ୍ଥିତ ବଙ୍ଗାଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହରେକୃଷ୍ଣ ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜୟନ୍ତୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଜିଲ୍ଲା ସୂଚନା ଲୋକସମ୍ପର୍କ ଅଧିକାରୀ ପ୍ରମିଳା ମାଝୀ, ମୁଖ୍ୟଵକ୍ତା ଭାବେ ପୂର୍ବତନ ସାହିତ୍ୟ ଏକାଡେମୀ ସଦସ୍ୟ ସାମ୍ବାଦିକ ରତ୍ନାକର ଦାଶ, ସମ୍ମାନୀତ ଅତିଥି ଭାବେ ବରିଷ୍ଠ ଶିକ୍ଷୟତ୍ରୀ ପ୍ରଭାରାଣୀ ଦାସ ଓ ପ୍ରମିଳା ଦେବୀ ଉପସ୍ଥିତ ରହି ବିଦ୍ୟାଳୟ ପରିସରରେ ପ୍ରତିଷ୍ଠିତ ଉତ୍କଳ କେଶରୀ ଡ. ହରେକୃଷ୍ଣ ମହତାବଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଡ. ମହତାବ ଏକାଧାରରେ ଗାନ୍ଧି ବାଦୀ, ସ୍ଵାଧୀନତା ସଂଗ୍ରାମୀ, ରାଷ୍ଟ୍ରନୀତିଜ୍ଞ, କୂଟନୀତିଜ୍ଞ, ଐତିହାସିକ, ଶିଶୁସାହିତ୍ୟିକ, ଔପନ୍ୟାସିକ, କବି, ନାଟ୍ୟକାର, ପ୍ରାବନ୍ଧିକ, ନିଭୀକ ଓ ନବ ଉତ୍କଳର ନିର୍ମାତା ଥିଲେ । ତାଙ୍କର ତ୍ୟାଗ, ତିତିକ୍ଷା ଓ ସେବା ଜାତି ତଥା ଦେଶ ପାଇଁ ଅବିସ୍ମରଣୀୟ ମହାନ୍ ଦାନ । ଉତ୍କଳଭୂମିର ଅନ୍ୟତମ ବରପୁତ୍ର ଓ ସୁଯୋଗ୍ୟ ସନ୍ତାନ ହେଉଛନ୍ତି ସ୍ୱର୍ଗତ ଡକ୍ଟର ହରେକୃଷ୍ଣ ମହତାବ । ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଭଲ ମଣିଷ ହେବା ପାଇଁ ଅତିଥିମାନେ ଛାତ୍ର ଛାତ୍ରୀଙ୍କୁ ଦିଗଦର୍ଶନ ଦେଇଥିଲେ। ବିଦ୍ୟାଳୟର ଛାତ୍ରୀମାନେ ଦେଶାତ୍ମକବୋଧ ସଙ୍ଗୀତ ଗାନ କରିଥିଲେ।
ଏହି ଅବସରରେ ବିଦ୍ୟାଳୟର ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହି ଡ. ମହତାବଙ୍କ ସ୍ମୃତିଚାରଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ