
ଜୟପୁର, ୨୧ ନଭେମ୍ବର (ହି.ସ.)- ଓଡିଶାର ସମ୍ପନ୍ନ ଆଦିବାସୀ ସଂସ୍କୃତିକ ଐତିହ୍ୟକୁ ସୁରକ୍ଷିତ କରିବା ଓ ଜନଜାତିୟ ସମୁଦାୟମାନଙ୍କର କଥାକୁ ଦୃଢ଼ ଭାବରେ ସାମ୍ନାକୁ ଆଣିବା ପାଇଁ କେନ୍ଦ୍ରୀୟ ଓଡିଶା ବିଶ୍ୱବିଦ୍ୟାଳୟ (ସିୟୁଓ), କୋରାପୁଟ ଓ ୟୁନିସେଫ୍ ଓଡିଶା ମିଳିତ ଭାବରେ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍ରେ ‘ଜନଜାତୀୟ ସଂଚାର କେନ୍ଦ୍ର ସ୍ଥାପନ ପାଇଁ ରଣନୀତିମୂଳକ ସହଯୋଗରେ ଅବତୀର୍ଣ୍ଣ ହୋଇଛନ୍ତି। ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ଜନଜାତିୟ ସମୁଦାୟର ସାମାଜିକ–ଆର୍ଥିକ ସଶକ୍ତିକରଣ, ପାରମ୍ପରିକ ଜ୍ଞାନ ଓ ପ୍ରଥାମାନଙ୍କ ସୁରକ୍ଷା ଏବଂ ସମୃଦ୍ଧି ସହିତ ସମାନ ସୁଯୋଗ ନିଶ୍ଚିତ କରି ରାଜ୍ୟର ଉନ୍ନୟନ ମୂଖ୍ୟଧାରାରେ ତାଙ୍କୁ ଅନ୍ତର୍ଭୁକ୍ତ କରିବା।
୨୦ ନଭେମ୍ବର ୨୦୨୫ ରେ ସୁନାବେଡା ସ୍ଥିତ ସିୟୁଓ କ୍ୟାମ୍ପସ୍ରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବିଶ୍ବବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ପ୍ରଫେସର ନରସିଂହ ଚରଣ ପଣ୍ଡା ଓ ୟୁନିସିଏଫ ଓଡିଶାର ଫିଲ୍ଡ ଅଫିସ୍ର ଚିଫ୍ ଉଇଲିଆମ୍ ହାନ୍ଲନ୍ ଔପଚାରିକ ଭାବେ ଉଦ୍ଦେଶ୍ୟ ପତ୍ରକୁ ସ୍ବାକ୍ଷର କରିଥିଲେ । ଏହି ଅବସରରେ ବିଶ୍ବବିଦ୍ୟାଳୟର ବିତ୍ତ ଅଧିକାରୀ ଦୁର୍ଯୋଧନ ସେଠୀ, ପତ୍ରକାରିତା ଏବଂ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ମୂଖ୍ୟ ଡ଼. ନିଖିଲ କୁମାର ଗୌଡ଼ ଓ ଅଧ୍ୟାପକ ମଣ୍ଡଳୀ, ୟୁନିସେଏଫ ଓଡିଶାର ଏସବିସି ବିଶେଷଜ୍ଞ ଡ଼. ସୁଗତ ରାୟ, ସି୍ୟୁଓ ର ଲୋକସମ୍ପର୍କ ଅଧିଲାରୀ ଡ଼. ଫଗୁନାଥ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।
ଏହି ପଦକ୍ଷେପକୁ ବିଶ୍ୱବିଦ୍ୟାଳୟ ପାଇଁ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ବୋଲି ବ୍ୟାଖ୍ୟା କରି ପ୍ରଫେସର ପଣ୍ଡା କହିଥିଲେ ଯେ, “ବିଶ୍ବବିଦ୍ୟାଳୟରେ ଜନଜାତୀୟ ସଂଯୋଗ କେନ୍ଦ୍ର ସ୍ଥାପନ ହେବା ଆମ ପାଇଁ ଗର୍ବର ବିଷୟ । ଏହା ଛାତ୍ରଛାତ୍ରୀ ଓ ଜନଜାତୀୟ ସମୁଦାୟ—ସମସ୍ତଙ୍କୁ ସଶକ୍ତ କରିବ ଓ ଆଦିବାସୀ ବହୁଳ ଅଞ୍ଚଳମାନଙ୍କ ସାମଗ୍ରିକ ବିକାଶରେ ମୂଲ୍ୟବାନ ଭୂମିକା ନିର୍ବାହ କରିବ । ଏହା ସହ ଜନଜାତୀୟ ଅଧିକାର ଓ ପ୍ରତିନିଧିତ୍ୱକୁ ସୁଦୃଢ କରିବାରେ ଏହା ହେଉଛି ଐତିହାସିକ ପଦକ୍ଷେପ”। ଟିସିସି ଜନଜାତୀୟ ସଂସ୍କୃତି, ପରମ୍ପରା ଓ ସଂଯୋଗ ପ୍ରଥାମାନଙ୍କର ସୁସଂଗଠିତ ପ୍ରଲେଖନ କରିବ। ଏହା ସ୍ଥାନୀୟ ଭାଷାମାନରେ ବିଭିନ୍ନ ସାମଗ୍ରୀ ତିଆରି କରି ଏହାର ପ୍ରଚଳନକୁ ବୃଦ୍ଧି କରିବ । ଛାତ୍ରଛାତ୍ରୀ, ଗବେଷକ ଓ ସମୁଦାୟ ପ୍ରତିନିଧିମାନଙ୍କ ପାଇଁ ଏହା ଏକ ସକ୍ରିୟ ମଞ୍ଚ ଭାବେ କାର୍ଯ୍ୟ କରି ବିଶେଷ ଭାବେ ଶିକ୍ଷା, ସ୍ୱାସ୍ଥ୍ୟ, ପୋଷଣ, କିଶୋର ବିକାଶ ଓ ଜଳବାୟୁ ସହନଶୀଳତା ବିଷୟରେ ଅନୁସନ୍ଧାନ ଓ ଆଲୋଚନାକୁ ପ୍ରୋତ୍ସାହନ ଯୋଗାଇବ । ସହଭାଗୀତାମୂଳକ ପ୍ରକଳ୍ପ, କାର୍ଯ୍ୟଶାଳା ଓ କ୍ଷେତ୍ର ପରିଦର୍ଶନ ମାଧ୍ୟମରେ ଏହି କେନ୍ଦ୍ର ପାରମ୍ପରିକ ଜ୍ଞାନକୁ ଆଧୁନିକ ଜ୍ଞାନ ଓ ଉନ୍ନୟନ ଆବଶ୍ୟକତା ସହିତ ସମନ୍ୱୟ କରିବ।
ସହଯୋଗର ଗୁରୁତ୍ୱ ଉଲ୍ଲେଖ କରି ଉଇଲିଆମ୍ ହାନ୍ଲନ୍ ଜୁନିୟର କହିଥିଲେ ଯେ, ଏହି ଭାଗୀଦାରୀ ଆମର ମିଳିତ ଦୃଷ୍ଟିକୋଣକୁ ପ୍ରତିଫଳିତ କରେ—ଯାହା ଉନ୍ନୟନର କେନ୍ଦ୍ରବିନ୍ଦୁରେ ଜନଜାତୀୟ ଦୃଷ୍ଟିଭଙ୍ଗୀକୁ ସ୍ଥାନ ଦେବାକୁ ଗୁରୁତ୍ୱ ଦେବ ।
ସେ କହିଲେ ଯେ, ଟ୍ରାଇବାଲ୍ କମ୍ୟୁନିକେସନ୍ ସେଲ୍ ପ୍ରମାଣଭିତ ତଥ୍ୟ ସୃଷ୍ଟି, କ୍ଷମତା ବୃଦ୍ଧି, ଏବଂ ସାରଗର୍ଭକ ଆଲୋଚନା ପାଇଁ ଅର୍ଥପୂର୍ଣ୍ଣ ମଞ୍ଚ ସୃଷ୍ଟି କରିବାରେ ପରିବର୍ତ୍ତନତ୍ମକ ଭୂମିକା ନିଭାଇବ। ଏହା ଶେଷ ପର୍ଯ୍ୟନ୍ତ ଓଡିଶାର ଜନଜାତୀୟ କ୍ଷେତ୍ରରେ ଶିଶୁମାନଙ୍କ ଏବଂ ପରିବାରମାନଙ୍କ ଅଧିକାର ସୁଦୃଢ଼ କରିବା ସହିତ ସେମାନଙ୍କର ସମୁଚିତ କଳ୍ୟାଣକୁ ବିକଶିତ କରିବାରେ ମୁଖ୍ୟଭୂମିକ ଗ୍ରହଣ କରିବ ।
ଏହି କେନ୍ଦ୍ରର ଉଦ୍ଦେଶ୍ୟ ସପର୍କରେ ଆଲୋକିତ କରି, ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ମୂଖ୍ୟ ଡ଼ଃ ନିଖିଲ କୁମାର ଗୌଡ଼ କହିଥିଲେ ଯେ ବିଭାଗଦ୍ୱାରା ପରିଚାଳିତ ହେବାକୁଥିବା ଏହି ଟ୍ରାଇବାଲ୍ କମ୍ୟୁନିକେସନ୍ ସେଲ୍ ଗବେଷଣା, ଡକ୍ୟୁମେଣ୍ଟେସନ୍, କ୍ଷମତା ବୃଦ୍ଧିକରଣ ଏବଂ ସମୁଦାୟ ସଂପୃକ୍ତିକରଣ ପାଇଁ ଗୋଟିଏ ଉତ୍କୃଷ୍ଟ କେନ୍ଦ୍ର ଭାବେ କାର୍ଯ୍ୟ କରିବ। ୟୁନିସେଫ୍ ପକ୍ଷରୁ ପ୍ରାପ୍ତ ସହଯୋଗ ଓ ନିରନ୍ତର ସମର୍ଥନ ସହିତ ଏହି ସେଲ୍ ଜାତିୟ ଅନୁଭୂତି, ସଂସ୍କୃତିକ ପରିପେକ୍ଷ୍ୟ ଓ ଆଦିବାସୀ ସମାଜର ଜୀବନଅନୁଭବକୁ ସଠିକ ଭାବରେ ପ୍ରତିଫଳିତ କରିଥିବା ସଂଯୋଗ ମଡେଲ୍ ବିକାଶ କରିବାକୁ ଲକ୍ଷ୍ୟରଖିଛି।
ଚୁକ୍ତିପତ୍ର ସ୍ବାକ୍ଷର ସମୟରେ ଡ଼ଃ ସୌରଭ ଗୁପ୍ତା, ଡ଼ଃ ପ୍ରଦୋଷ କୁମାର ରଥ, ଡ଼ଃ ଗୌରବ ରଞ୍ଜନ, ଶ୍ରୀ ସୁମିତ କୁମାର ବେହେରା, ଡ଼ଃ ସୋନି ପାଢ଼ି, ଡ଼ଃ ତଲତ ଜହାଁ ବେଗମ୍ ଓ ଲୋକସମ୍ପର୍କ ଅଧିକାରୀ ଡ଼ଃ ଫଗୁନାଥ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ।
ଓଡିଶାରେ ପ୍ରାୟ ୯.୬ ମିଲିଅନ୍ ଜନଜାତୀୟ ଲୋକ–ରାଜ୍ୟର ୨୩ ଶତାଂଶ ଜନସଂଖ୍ୟା–ନିବାସ କରୁଛନ୍ତି। ଶିକ୍ଷା, ସ୍ୱାସ୍ଥ୍ୟ, ପୋଷଣ ଓ କିଶୋର କଳ୍ୟାଣ କାର୍ଯ୍ୟକ୍ରମରେ ଅନେକ ସମସ୍ୟା ରହିଥିବରୁ ପରିପ୍ରେକ୍ଷିତରେ ଟ୍ରାଇବାଲ୍ କମ୍ୟୁନିକେସନ୍ ସେଲ୍ ସଂସ୍କୃତି-ସେନ୍ସିଟିଭ୍ ସଂଯୋଗ, ପାରମ୍ପରିକ ଜ୍ଞାନ ପ୍ରଣାଳୀ ସୁରକ୍ଷା ଓ ଜନଜାତିୟ ସମୁଦାୟର ସକ୍ରିୟ ଅଂଶଗ୍ରହଣକୁ ପ୍ରୋତ୍ସାହନ ଦେବ।
ଏହି ମିଳିତ ପ୍ରୟାସ ଓଡିଶାର ଜନଜାତୀୟ ସମୁଦାୟମାନଙ୍କ ସାମଗ୍ରିକ କଲ୍ୟାଣ ପାଇଁ ସମ୍ମାନପୂର୍ଣ୍ଣ ସମ୍ବାଦ, ସଚେତନ କାର୍ଯ୍ୟ ଓ ତଥ୍ୟ-ଭିତ୍ତିକ ଉପସ୍ଥାପଣକୁ ମଜବୁତ କରିବାରେ ଏକ ଦୃଢ଼ ପଦକ୍ଷେପ ବୋଲି ବିଶ୍ବବିଦ୍ୟାଳୟର ଲୋକସମ୍ପର୍କ ଅଧିକାରୀ ଡ଼ଃ. ଫଗୁନାଥ ଭୋଇ ଜଣାଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପିକେପି