
ପୁରୀ, ୨୧ ନଭେମ୍ବର (ହି.ସ.)- ପୁରୀ ଜିଲ୍ଲା କୋଣାର୍କ ଥାନା ଅନ୍ତର୍ଗତ ବାଲିଦୋକାନ ରଇତ ସାହି ନିକଟ ଏକ ପଡ଼ିଆରେ ଆଜି ସକାଳେ ଜଣେ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଠାବ ହୋଇଛି । ଯୁବକଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ତେବେ ସମ୍ପୃକ୍ତ ଯୁବକଙ୍କ ପରିଚୟ ବର୍ତମାନ ସୁଦ୍ଧା ମିଳିପାରିନାହିଁ । ଖବର ପାଇ କୋଣାର୍କ ପୋଲିସ ଘଟଣାସ୍ଥଳରେ ପହଂଚି ଛାନଭିନ୍ ଆରମ୍ଭ କରିଛି । ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହକୁ ଜବତ କରିଛି । ପୋଲିସ ପକ୍ଷରୁ ଶବ ଚିହ୍ନଟ ପ୍ରକ୍ର୍ରିୟା ଜାରି ରହିଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏନେଇ ଅଧିକ ତଥ୍ୟ ମିଳିପାରିବ ବୋଲି ପୋଲିସ କହିଛି । ଅନ୍ୟପକ୍ଷରେ ଏହି ଖବର ପ୍ରଚାରିତ ହେବା ପରେ ସେଠାରେ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ