
ଜୟପୁର, ୨୧ ନଭେମ୍ବର (ହି.ସ.)-
ରାଜ୍ୟରେ ଔଷଧୀୟ ଉଦ୍ଭିଦ ଚାଷକୁ ପ୍ରୋତ୍ସାହିତ କରିବା ନିମନ୍ତେ ଓଡ଼ିଶା ବନାଞ୍ଚକ ଉନ୍ନୟନ ସଂସ୍ଥା ଓ ରାଜ୍ୟ ଔଷଧୀୟ ଉଦ୍ଭିଦ ପରିଷଦର ମିଳିତ ସହଯୋଗରେ ଏକ ସମନ୍ୱିତ ପ୍ରକଳ୍ପ ପ୍ରସ୍ତୁତ କରାଯାଇଛି। ଏହି ପ୍ରକଳ୍ପଟିକୁ ସଫଳ ରୂପାୟନ ଦେବା ଲାଗି ସ୍ୱାମୀନାଥନ ରିସର୍ଚ୍ଚ ଫାଉଣ୍ଡେସନ ଭଳି ଖ୍ୟାତି ସମ୍ପନ୍ନ ଅନୁଷ୍ଠାନ ସହିତ ଓଡ଼ିଶା ସରକାର ଅନୁବନ୍ଧିତ ହୋଇଛନ୍ତି।
ଏହି ପରିପ୍ରେକ୍ଷୀରେ ଫାଉଣ୍ଡେସନ ର ନିର୍ଦ୍ଦେଶକ ପ୍ରଶାନ୍ତ ପରିଡ଼ା, ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆଙ୍କ ଉପସ୍ଥିତିରେ ଏକ ବୁଝାମଣା ପତ୍ର (ଏମଓୟୁ) ସ୍ବାକ୍ଷରିତ ହୋଇଛି। ଅନ୍ୟ ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭି. କାର୍ତ୍ତିକ, ସୁରେଶ ପନ୍ତ, ଡଃ. କେ. ମୁରୁଗେଶନ, ପ୍ରକଳ୍ପ ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ବାଉଁଶ ଓ ଔଷଧୀୟ ଉଦ୍ଭିଦ ଉପରେ ଏକ ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବାଉଁଶ ଓ ଔଷଧୀୟ ଉଦ୍ଭିଦର ଚାଷ ଓ ଉପଯୁକ୍ତ ବିନିଯୋଗ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଔଷଧୀୟ ଉଦ୍ଭିଦ ଚାଷ ଓ ବିକାଶ ଉପରେ ପର୍ଯ୍ୟବେସିତ ଉକ୍ତ ପ୍ରକଳ୍ପଟି ପ୍ରାଥମିକ ସ୍ତରରେ ୫ଟି ଜିଲ୍ଲା ଯଥା - କୋରାପୁଟ, କନ୍ଧମାଳ, ବରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ କାର୍ଯ୍ୟକାରୀ ହେବ।
ଏଥିରେ ଉଚ୍ଚ ଗୁଣବତ୍ତା ଥିବା ସ୍ଥାନୀୟ ଔଷଧୀୟ ଉଦ୍ଭିଦ ଗୁଡ଼ିକୁ ବହୁଳ ମାତ୍ରାରେ ଚାଷ କରିବା ସଙ୍ଗେ ସଙ୍ଗେ ସେସବୁରୁ ମୂଲ୍ୟଯୁକ୍ତ ଦ୍ରବ୍ୟ ପ୍ରସ୍ତୁତ କରାଯାଇ କଳିଙ୍ଗ ହର୍ବ ବ୍ରାଣ୍ଡ ନାମରେ ବଜାରରେ ଉପଲବ୍ଧ କରାଯିବ। ଏହାଦ୍ବାରା ଓଡ଼ିଶାର ଅନେକ ଚାଷୀ ଉପକୃତ ହୋଇପାରିବେ। ଏହି ପ୍ରକଳ୍ପ ସଫଳ ହେଲେ ପରବର୍ତ୍ତୀ ପର୍ଯ୍ୟାୟରେ ଏହାକୁ ଅନ୍ୟ ଜିଲ୍ଲା ମାନଙ୍କୁ ପ୍ରସାରିତ କରାଯିବାର ଯୋଜନା ରହିଛି।
ହିନ୍ଦୁସ୍ଥାନ ସମାଚାର / ପିକେପି