
ସମ୍ବଲପୁର, ୨୧, ନଭେମ୍ବର (ହି.ସ.) ନିଖିଳ ଓଡ଼ିଶା ଓକିଲ ସଂଘ(ଏଓଏଲ୍ଏ)ର ଦୁଇଗୋଷ୍ଠୀର ଏକତ୍ରୀରଣ ପାଇଁ ସମ୍ବଲପୁର ଜିଲା ଓକିଲ ସଂଘର ଉଦ୍ୟମ ବାସ୍ତବ ରୁପ ନେଇଛି । ଗତ ୨୦୧୬ରୁ ଦୀର୍ଘ ୯ ବର୍ଷ ଦୁଇ ପୃଥକ ଗୋଷ୍ଠୀଙ୍କ ମଧ୍ୟରେ ରହିଥିବା ଫାଟରେ ଜବନୀକା ପଡ଼ିଛି । ଏନେଇ ଶୁକ୍ରବାର ଜିଲା ଓକିଲ ସଂଘର ସମ୍ମଳନୀ କକ୍ଷରେ ସଂଘର ସଭାପତି ପ୍ରଦୀପ କୁମାର ବହିଦାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଖବରଦାତା ସମ୍ମଳିନୀରେ ଉଭୟ ଗୋଷ୍ଠୀର ମିଶ୍ରଣ ସମ୍ପର୍କରେ ଘୋଷଣା କରା ଯାଇଥିଲା । ଏଥିରେ ବ୍ରହ୍ମପୁର ଓକିଲ ସଂଘ ସଦସ୍ୟ ତଥା ଗୋଟିଏ ଏଓଏଲ୍ଏର ସଭାପତି ଶିଶିର ରଞ୍ଜନ ପାଢ଼ୀ ଓ ହାଇକୋର୍ଟ ଏଡ୍ଭୋକେଟ୍ ତଥା କାର୍ଯ୍ୟକାରୀ ସଭାପତି ବିଭୁପ୍ରସାଦ ତ୍ରିପାଠୀ ଯୋଗଦେଇ ମିଳିତ ଭାବେ ଘୋଷଣା କରିଛନ୍ତି । ଏଓଏଲ୍ଏର ସାଧାରଣ ସମ୍ପାଦକ ପ୍ରସନ୍ନ କୁମାର ନନ୍ଦ, ସମ୍ବଲପୁର ଓକିଲ ସଂଘର ସଭାପତି ପ୍ରଦୀପ କୁମାର ବହିଦାର, ସାଧାରଣ ସମ୍ପାଦକ ପ୍ରଦ୍ୟୋତ କୁମାର ଶର୍ମା, ପୂର୍ବତନ ସଭାପତି ସତ୍ୟ ନାରାୟଣ ପଣ୍ଡା ଓ ଡ. ପ୍ରମୋଦ ରଥଙ୍କ ଉପସ୍ଥିତିରେ ଉଭୟ କର୍ମକର୍ତ୍ତା ଏହି ଘୋଷଣା କରିବା ସହ ଏଥିରେ ସମ୍ବଲପୁର ଜିଲା ଓକିଲ ସଂଘର ଉଦ୍ୟମକୁ ପ୍ରଶଂସା କରିଥିଲେ । ସେହିପରି ଉଭୟ ଗୋଷ୍ଠୀ ଏକାଠି ହୋଇ ଆଇନଜୀବୀଙ୍କ ସ୍ୱାର୍ଥ ପାଇଁ କାର୍ଯ୍ୟ କରିବେ ବୋଲି ଖବରଦାତା ସମ୍ମିଳନୀରେ ଉଭୟ ସୂଚନା ଦେଇଛନ୍ତି । ତେଣୁ ପୂର୍ବ ଘୋଷଣା ଅନୁାସାରେ ଆସନ୍ତା ଡିସେମ୍ବର ୨୯ ଓ ୩୦ ତାରିଖରେ ନିଖିଳ ଏଓଏଲ୍ଏର ବାର୍ଷିକ ସମ୍ମିଳନୀ(ଉସôବ) ସମ୍ବଲପୁରଠାରେ ଆୟୋଜିତ ହେବ । ଉକ୍ତ ବାର୍ଷିକ ସମ୍ମିଳନୀରେ ଏଓଏଲ୍ଏ ସଭାପତି ପାଢ଼ୀ ସଭାପତିତ୍ୱ କରିବେ । ସମ୍ମିଳନୀର ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ରାଜ୍ୟରେ ଆଇନଜୀବୀ ଏକାଡେମୀ ପ୍ରତିଷ୍ଠା ଓ ୨୦୨୩ରେ ସମ୍ବଲପୁର ଓକିଲ ସଂଘର ସଦସ୍ୟଙ୍କ ନାମରେ ରୁଜୁ ହୋଇଥିବା ମାମଲା ପ୍ରତ୍ୟାର ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି ।
ଏହି ଅବସରରେ ଏଓଏଲ୍ଏର ସଭାପତି ପାଢ଼ୀ କହିଛନ୍ତି ଯେ, ପୂର୍ବରୁ ନିଖିଳ ଓଡ଼ିଶା ଆଇନଜୀବୀ ସଂଘ(ଏଓଏଲ୍ଏ) ଦୁଇ ଗୋଷ୍ଠୀରେ ବିଭକ୍ତ ହୋଇ ପୃଥକ ଭାବେ କାର୍ଯ୍ୟ କରୁଥିଲା । ଏପରକି ଡିସେମ୍ବର ୨୯ ଓ ୩୦ ତାରିଖରେ ଉଭୟ ଗୋଷ୍ଠୀ ପୃଥକ ଭାବେ ଭିନ୍ନ ଭିନ୍ନ ସ୍ଥାନରେ ବାର୍ଷିକ ଉସôବ ପାଳନ କରୁଥିଲେ । ତେବେ ସମ୍ବଲପୁର ଓକିଲ ସଂଘର ଉଦ୍ୟମ ଓ ସହଯୋଗରେ ଆସନ୍ତା ୨୦୨୫ର ବାର୍ଷିକ ସମ୍ମଳନୀକୁ ଉଭୟ ଗୋଷ୍ଠୀ ଏକାଠି ହୋଇ ପାଳନ କରିବୁ । ଆଜିଠାରୁ ଏଓଏଲ୍ଏରର ଗୋଟିଏ ସଂଘ ଓ ଏକ ହୋଇ ସମସ୍ତ କାର୍ଯ୍ୟ ସମ୍ପାଦନ କରିବକୁ ଆମେ ନିଷ୍ପତ୍ତି ନେଇଛୁ ବୋଲି ସେ କହିଥିଲେ ।
ସେହିପରି କାର୍ଯ୍ୟକାରୀ ସଭାପତି ତ୍ରିପାଠୀ କହିଛନ୍ତି ଯେ, ନିଖିଳ ଓଡ଼ିଶା ଆଇନଜୀବୀ ସଂଘ(ଏଓଏଲ୍ଏ) ରାଜ୍ୟର ସର୍ବୋଚ୍ଚ ଏବଂ ସର୍ବପୁରାତନ ଆଇନଜୀବୀ ସଂଘ । ଏହି ସଂଘରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସମ୍ପର୍କର ସେତୁ ବାନ୍ଧିବାରେ ସକ୍ଷମ ହେଇଥିବା ସମ୍ବଲପୁର ଜିଲା ଓକିଲ ସଂଘକୁ ମୋର କୃତଜ୍ଞତା । ଆସନ୍ତା ଡିସେମ୍ବର ୨୯ ଓ ୩୦ ତାରିଖରେ ସମ୍ବଲପୁରରେ ଏଓଏଲ୍ଏର ଗୋଟିଏ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହେବ । ଏଥିରେ ସଭାପତି ଶିଶିର କୁମାର ପାଢ଼ୀ ଅଧ୍ୟକ୍ଷତା କରିବେ । ବର୍ଷିକ ସମ୍ମିଳନୀର ଦୁଇ ପ୍ରମୁଖ ପ୍ରସଙ୍ଗ ମଧ୍ୟରେ ପ୍ରଥମଟି ହେଉଛି ଆଇନଜୀବଙୀଙ୍କ ପ୍ରଶିକ୍ଷଣ ପାଇଁ ଏକ ଆଇନଜୀବୀ ଏକାଡେମୀ ସ୍ଥାପନ ଓ ଦ୍ୱିତୀୟଟି ହେଉଛି ୨୦୨୩ ମସିହାରେ ସମ୍ବଲପୁର ଓକିଲ ସଂଘର ସଦସ୍ୟଙ୍କ ନାମରେ ରୁଜୁ ହୋଇଥିବା ମାମଲା ପ୍ରତ୍ୟାହାର । ରାଜ୍ୟ ସରକାରଙ୍କୁ ସଂଘ ପକ୍ଷରୁ ଏହି ଦୁଇଟି ପ୍ରସ୍ତାବ ଦିଆଯାଇଛି । ଆଇନଜୀବୀ ବାର୍ଷିକ ସମ୍ମଳନୀ ପୂର୍ବରୁ ରାଜ୍ୟ ସରକାର ଉକ୍ତ ପ୍ରସଙ୍ଗ ଦ୍ୱୟରେ ବିଦ୍ଧିବଦ୍ଧ ନିଷ୍ପତ୍ତି ନେଇ ପାରିଲେ ତାହା ଆଇନର ଶାସନ ବ୍ୟବସ୍ଥାକୁ ଆହୁରି ଆହୁରି ସୁଦୃଢ଼ ଓ ଋଦ୍ଧିମନ୍ତ କରିବାରେ ସହାୟକ ହେବ ବୋଲି ସେ କହିଛନ୍ତି । ଏଥିରେ ଜିଲା ଓକିଲ ସଂଘର ସମସ୍ତ କର୍ମକର୍ତ୍ତା, ସଦସ୍ୟ ଓ ବରିଷ୍ଠ ଓକିଲ ଯୋଗ ଦେଇଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ