
ଭଦ୍ରକ, ୨୧ ନଭେମ୍ବର (ହି.ସ.) - ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ମହରମପୁର ପଂଚାୟତ ଅଧୀନ ୧୧ନଂ ୱାର୍ଡରେ ପ୍ରଧାନମନ୍ତ୍ରୀ ଆବାସ ଗୃହ ନିର୍ମାଣ ନହୋଇ ହିତାଧିକାରୀ ଟଙ୍କା ଉଠାଇ ନେଇଥିବା ପଂଚାୟତର ଜଣେ ବ୍ୟକ୍ତି ସୂଚନା ଅଧିକାର ବଳରେ ଜାଣିବାକୁ ପାଇଥିଲେ।ପରେ ସେହି ୱାର୍ଡର ୩ଜଣ ହିତାଧିକାରୀ ଘର ତିଆରି ନକରି ସମ୍ପୂର୍ଣ୍ଣ ଟଙ୍କା ଉଠାଇ ନେଇଥିବା ଅଭିଯୋଗରେ ଦର୍ଶାଯାଇଥିଲା । ଗତ ଅଗଷ୍ଟ ମାସ ୨୫ତାରିଖରେ କେତେକ ୱାର୍ଡ଼ବାସୀ ଏନେଇ ବ୍ଲକ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଳିତ ଅଭିଯୋଗ ଶୁଣାଣି ଶିବିରରେ ଅଭିଯୋଗ କରି ଏହାର ନିରପେକ୍ଷ ତଦନ୍ତ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଜଣାଇଥିଲେ । ଅଭିଯୋଗର ତଦନ୍ତ କରି ରିପୋର୍ଟ ଦେବାକୁ ଜିଲାପାଳ ଦିଲୀପ ରାଉତରାଏ ବିଡ଼ିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବିଡ଼ିଓ ନିରଞ୍ଜନ ବାରିକ ଏହାର ତଦନ୍ତ କରି ଗତ ୧୧ତାରିଖ ଚିଠି ନଂ ୪୭୭୭ରେ ଜିଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି । ବିଡ଼ିଓ ଶ୍ରୀ ବାରିକ ରିପୋର୍ଟରେ ଦର୍ଶାଇଛନ୍ତି ଯେ ୱାର୍ଡ଼ର ଜଣେ ମହିଳା ହିତାଧିକାରୀ ପକ୍କା କାନ୍ଥ ଥିବା ଆଜବେଷ୍ଟ ଘରେ ରହୁଥିବା ବେଳେ ନୂତନ ଭାବେ ତିଆରି ପ୍ରଧାନମନ୍ତ୍ରୀ ଆବାସ ଦେଖାଇବାରେ ବିଫଳ ହୋଇଥିଲେ । ତେବେ ସେହି ହିତାଧିକାରୀଙ୍କୁ ୨ୟ କିସ୍ତି ଟଙ୍କା ମିଳିସାରିଛି । ଏହି ଅବହେଳା ନେଇ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ କୈଫିୟତ ତଲବ କରାଯାଇଥିବା ବେଳେ କିସ୍ତି ଟଙ୍କା ଆଦାୟ କାର୍ଯ୍ୟ ଚାଲୁ ରହିଥିବା ଦର୍ଶାଯାଇଛି । ସେହିପରି ଅନ୍ୟଜଣେ ହିତାଧିକାରୀ ଘର ତିଆରି କରିଥିବା ଦର୍ଶାଇଥିବାରୁ ତାଙ୍କୁ ତିଆରି ହୋଇଥିବା ଘରର ପ୍ଲଟ ନଂ ଏବଂ ଜମିଜମା ରେକର୍ଡ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ରେକର୍ଡ ମିଳିବା ପରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଡ଼ିଓ ବାରିକ ଦର୍ଶାଇଛନ୍ତି । ତେବେ କାର୍ଯ୍ୟାନୁଷ୍ଠାନରେ ବିଳମ୍ବ ହେଉଥିବା ନେଇ ଅଭିଯୋଗକାରୀ ଅସନ୍ତୋଷ ପ୍ରକାଶ କରିବା ସହ ଆସନ୍ତା ୨୪ତାରିଖରେ ଅନୁଷ୍ଠିତ ହେବାକୁଥିବା ମିଳିତ ଅଭିଯୋଗ ଶୁଣାଣି ଶିବିରରେ ପୁଣିଥରେ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିବେ ବୋଲି ଜଣାପଡିଛି । ସୂଚନାଯୋଗ୍ୟ ଯେ ଗତ ୨୦୨୧-୨୨ ଏବଂ ୨୦୨୪-୨୫ ଆର୍ôଥକ ବର୍ଷରେ ମହରମପୁର ପଂଚାୟତ ଅଧୀନ ୧୧ନଂ ୱାର୍ଡ଼ର ୩ଜଣ ହିତାଧିକାରୀ ଘର ନକରି ଟଙ୍କା ଉଠାଇଥିବା ନେଇ ବିଡ଼ିଓଙ୍କ ନିକଟରେ କେତେକ ୱାର୍ଡ଼ବାସୀ ଅଭିଯୋଗ କରିଥିଲେ । ମାତ୍ର କୌଣସି କାର୍ଯ୍ୟାନୁଷ୍ଠାନ ନିଆ ନଯିବାରୁ ଶଶାଙ୍କ ଶେଖର ରାଉଳ, ଅପୂର୍ବରଞ୍ଜନ ବଳ,ସୁବାସ ଚନ୍ଦ୍ର ଦାସ, ସୁଲୋଚନା ଦାଶ, ସୁବାସ ଚନ୍ଦ୍ର ବଳ, ମୁରଲୀଧର ବଳ, କମଳାକାନ୍ତ ବଳ, ଅଲେଖ ଚରଣ ବେହେରା, ଶରତ ବଳ ପ୍ରମୁଖ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ