
କୋଲକାତା, ୨୧ ନଭେମ୍ବର (ହି.ସ.)- ଶୁକ୍ରବାର ସକାଳେ ପଶ୍ଚିମବଙ୍ଗ ଏବଂ ଉତର-ପୂର୍ବ ଭାରତରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି, ଯାହା ଫଳରେ ଅନେକ ଜିଲ୍ଲାରେ ଲୋକମାନେ ଭୟଭୀତ ହୋଇ ଘର ଏବଂ କୋଠା ଛାଡି ପଦାକୁ ବାହାରି ଆସିଥିଲେ । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ଭୂମିକମ୍ପର କେନ୍ଦ୍ରସ୍ଥଳ ବାଂଲାଦେଶର ନରସିଙ୍ଗଡି ଥିଲା, ଯେଉଁଠାରେ ସକାଳ ୧୦ଟା ୮ ମିନିଟ୍ ରେ ସହରରୁ ୧୩ କି.ମି. ଦକ୍ଷିଣ-ଦକ୍ଷିଣପଶ୍ଚିମରେ ୫.୭ ତୀବ୍ରତାର ଭୂମିକମ୍ପ ରେକର୍ଡ କରାଯାଇଛି । ଏହାର ଗଭୀରତା ୧୦ କିଲୋମିଟର ବୋଲି ରିପୋର୍ଟ କରାଯାଇଛି ।
କୋଲକାତାରେ ହଠାତ୍ ଭୂମିକମ୍ପ ଅନୁଭୂତ ହେବା ମାତ୍ରେ, ଅନେକ ଅଂଚଳରେ ଲୋକମାନେ ସୁରକ୍ଷିତ ସ୍ଥାନ ଖୋଜିବା ପାଇଁ ରାସ୍ତାକୁ ଚାଲି ଆସିଥିଲେ । ପାର୍କ ଷ୍ଟ୍ରିଟ୍, କାକୁରଗାଛି, ବିଟି ରୋଡ୍ ଏବଂ ସଲ୍ଟ ଲେକ୍ ଭଳି ଅଂଚଳରେ ଲୋକମାନେ ଭୟରେ ଘରୁ ପଦାକୁ ବାହାରି ଆସିଥିଲେ । ବାହାରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । କିଛି ସ୍ଥାନରେ, ବହୁମହଲା କୋଠାର ବାସିନ୍ଦାମାନେ ଭୂମିକମ୍ପ ସମୟରେ କାନ୍ଥ ଏବଂ ଆସବାବପତ୍ର ଥରୁଥିବା ଅନୁଭବ କରିଥିବା କହିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ