
ଭୁବନେଶ୍ୱର, ୨୧ ନଭେମ୍ବର (ହି.ସ)- ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପିସିସିର ବରିଷ୍ଠ ମୁଖପାତ୍ର ରଜନୀ କୁମାର ମହାନ୍ତି କହିଛନ୍ତିପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ପୁତ୍ର ତଥା ଭବାନୀପାଟଣା ଯୁବ ବିଧାୟକ ସାଗର ଚରଣ ଦାସଙ୍କୁ ଜୀବନରେ ମାରିଦେବାର ଧମକ ମିଳିଛି । ଗତକାଲି ସକାଳେ କଂଗ୍ରେସ ଦଳର ଜଣେ ଜୋନ ସଭାପତି ତଥା ବିଧାୟକ ଶ୍ରୀ ଦାସଙ୍କ ସମର୍ଥକ ଦେବାନନ୍ଦ ଜୋଷୀଙ୍କୁ ୪/୫ ଜଣ ମୁଖା ପିନ୍ଧା ଦୁର୍ବୁତ ତାଙ୍କୁ ଘରୁ ଉଠାଇ ଆଣି ବିଧାୟକ ଶ୍ରୀ ଦାସ କୁଆଡେ ଅଛନ୍ତି ବୋଲି ପଚାରିଥିଲେ ଏବଂ ନ କହିଲେ ଜୀବନରେ ତାଙ୍କୁ ଏବଂ ବିଧାୟକଙ୍କୁ ହତ୍ୟା କରାଯିବ ବୋଲି ଧମକ ଦେଇଥିଲେ ।
ରାଜ୍ୟର ଜଣେ ଉଦୀୟମାନ ଓ ପ୍ରସିଦ୍ଧ ବିଧାୟକଙ୍କୁ ହତ୍ୟା ଧମକ ମିଳିବା ଦର୍ଶାଉଛି ଯେ ରାଜ୍ୟରେ ମୋହନ ସରକାରଙ୍କ ନୁହଁ ଦୁର୍ବୃତଙ୍କ ଶାସନ ଚାଲିଛି । ପୋଲିସ ଦୁର୍ବୃତଙ୍କୁ ଧରି ପୁଣି ଛାଡି ଦେବା ଓଡ଼ିଶାରେ ଜଙ୍ଗଲରାଜର ଯୁଗ ଆରମ୍ଭ ହୋଇଗଲାଣି ବୋଲି ସୂଚାଉଛି ।ସୁରକ୍ଷା କଣ କେବଳ ମୋହନ ବାବୁ, କେଭି ସିଂଦେଓ, ପ୍ରଭାତୀ ମହାଶୟା ଏବଂ ମନ୍ତ୍ରୀମଣ୍ଡଳଙ୍କ ପାଇଁ କି ?ତେବେ କଂଗ୍ରେସ ଦାବୀ କରୁଛି ଅପରାଧୀଙ୍କ ଦଣ୍ଡବିଧାନ ହେଉ । ବିଧାୟକ ଶ୍ରୀ ଦାସ ଡିଜିପିଙ୍କୁ ଲିଖିତ ଚିଠି ଲେଖି ସାରିଛନ୍ତି ।ଯଦି ପୁଲିସ ଅପରାଧୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ନାହିଁ ତେବେ କଂଗ୍ରେସ ପକ୍ଷରୁ ଡିଜିପି ଅଫିସ ଘେରାଓ କରି ତାଙ୍କୁ ଅଫିସ ଛଡ଼ାଯିବ ନାହିଁ । ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଅଫିସ ଯିବାକୁ ଦେବ ନାହିଁ ବୋଲି ଶ୍ରୀ ମହାନ୍ତି ପ୍ରକାଶ କରିଛନ୍ତି ।
ଅନ୍ୟତମ ମୁଖପାତ୍ର ବିଭୁତି ମହାପାତ୍ର କହିଲେ, କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ବାଲି ଚୋରୀ ଉପରେ ଏକ ଗମ୍ଭୀର ଅଭିଯୋଗ ଆଣିବାର ଦୁଇଦିନ ପରେ ଧମକ ଘଟଣା ଘଟିଛି । ପୂର୍ବରୁ ରାଜ୍ୟରେ ମନ୍ତ୍ରୀ ନବ ଦାସଙ୍କୁ ଏବଂ ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ହତ୍ୟା କରା ଯାଇଥିଲା ଏବଂ ବର୍ତ୍ତମାନ ଜଣେ ବିଧାୟକଙ୍କୁ ଖୋଲାଖୋଲି ଧମକ ମିଳୁଛି । ଏହି ଘଟଣା ଯୋଗୁଁ କଂଗ୍ରେସ ବିଚଳିତ । ପିସିସି ସଭାପତିଙ୍କ ଯୋଗୁଁ କଂଗ୍ରେସର ଓ ବିଧାୟକ ସାଗର ଦାସଙ୍କ ଲୋକପ୍ରିୟତା ବୃଦ୍ଧିକୁ ସହ୍ୟ କରି ନ ପାରି, ଭୟରେ ଏଭଳି ହୀନକାଣ୍ଡ ଘଟାଇଛନ୍ତି । ତେବେ ଏହି ହତ୍ୟା ଧମକ ପଛରେ କେଉଁ ବଡ଼ ବଡ଼ିଆ ବ୍ୟକ୍ତି ବିଶେଷ ଅଛନ୍ତି ତାଙ୍କ ବିରୋଧରେ ସରକାର ତଥା ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି କହିବା ସହ ବିଧାୟକ ଶ୍ରୀ ଦାସଙ୍କୁ ଉଚ୍ଚତ୍ତମ ସୁରକ୍ଷା ପ୍ରଦାନ କରାଯାଉ ବୋଲି ମୁଖପାତ୍ର ଶ୍ରୀ ମହାପାତ୍ର ଦାବୀ ଜଣାଇଛନ୍ତି । ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା