
ଭୁବନେଶ୍ୱର, ୨୧ ନଭେମ୍ବର (ହି.ସ)- ମତ୍ସ୍ୟଚାଷ କ୍ଷେତ୍ରରେ ଆମ ପାଖରେ ବିପୁଳ ସମ୍ଭାବନା ରହିଛି । ଓଡ଼ିଶାରେ ୫୭୪.୭ କିମି ସୁଦୀର୍ଘ ଉପକୂଳ, ୪.୧୮ ଲକ୍ଷ ହେକ୍ଟର ଖାରିଜଳକ୍ଷେତ୍ର, ୭.୧୨ ଲକ୍ଷ ହେକ୍ଟର ମଧୁର ଜଳକ୍ଷେତ୍ର (ନଦୀ, ଜଳଭଣ୍ଡାର ଓ ପୋଖରୀ ଇତ୍ୟାଦି) ମତ୍ସ୍ୟ ସମ୍ପଦ ପାଇଁ ଅମୂଲ୍ୟ ବରଦାନ । ଏହାର ସଦୁପଯୋଗ କରି ଆଗକୁ ବଢିବା ପାଇଁ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ଆହ୍ୱାନ ଦେଇଥିଲେ । ସ୍ଥାନୀୟ ଓୟୁଏଟି କୃଷି ଶିକ୍ଷା ସଦନଠାରେ ଆୟୋଜିତ ରାଜ୍ୟ ସ୍ତରୀୟ ବିଶ୍ୱ ମତ୍ସ୍ୟ ଦିବସ-୨୦୨୫ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ସେ ଏହା କହିଛନ୍ତି । ଏହା ସହ କହିଥିଲେ, ଶ୍ରେଷ୍ଠ ହେବାକୁ ହେଲେ, ଆମକୁ ଆତ୍ମନିର୍ଭର ହେବାକୁ ପଡ଼ିବ ।
ଏହି ଅବସରରେ ମନ୍ତ୍ରୀ ଆଭାସୀ ମାଧ୍ୟମରେ ପୁରୀର ତାଳବଣିଆ (ତଳ ମହଲା) ଠାରେ ସ୍ୱାସ୍ଥ୍ୟକର ମାଛ ବଜାର, ଗଞ୍ଜାମ ଜିଲ୍ଲାର ହୁମ୍ମାଠାରେ ସ୍ୱାସ୍ଥ୍ୟକର ଶୁଖୁଆ ବଜାର (ଉଭୟ ଖୁଚୁରା ଏବଂ ହୋଲସେଲ ବଜାର), ଅନୁଗୁଳର ମତ୍ସ୍ୟ ଚାଷୀ ତାଲିମ କେନ୍ଦ୍ର, କେନ୍ଦ୍ରାପଡ଼ା ଜିଲ୍ଲାର ତାଳଚୁଆରେ ବିଏଫଓ କାର୍ଯ୍ୟାଳୟ ଭଳି ସମ୍ପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର ଉଦଘାଟନ କରିଥିଲେ। ଏହା ସହ କଟକର ଖପୁରିଆରେ ମତ୍ସ୍ୟ ନିର୍ଦ୍ଦେଶାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ତତସହିତ ମନ୍ତ୍ରୀ ଓଡ଼ିଶା ମତ୍ସ୍ୟ ୱେବ୍ ପୋର୍ଟାଲ୍”ର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗର “ବାର୍ଷିକ କାର୍ଯ୍ୟାବଳୀ ବିବରଣୀ” ଏବଂ “ମତ୍ସ୍ୟ କ୍ଷେତ୍ର ମାର୍ଗଦର୍ଶିକା”ର ଉନ୍ମୋଚନ ହୋଇଥିଲା ।
ଓଡ଼ିଶାର ରାଜ୍ୟ ମାଛର ମାନ୍ୟତା ପାଇଥିବା “ମହାନଦୀ ମହାସୀର” ମାଛର ସୁରକ୍ଷା, ସରଂକ୍ଷଣ ଓ ଉତ୍ପାଦନ ବୃଦ୍ଧି ପାଇଁ ସ୍ୱତନ୍ତ୍ର ଗବେଷଣା କରିବାକୁ ରାଜ୍ୟ ସରକାର ଓ ସିଫା ମଧ୍ୟରେ ଏକ ବୁଝାମଣାପତ୍ର ଆଜି ସ୍ୱାକ୍ଷରିତ ହୋଇଛି । ଏହି ଅବସରରେ ୧୦ ଜଣ ହିତାଧିକାରୀଙ୍କୁ ବିଭିନ୍ନ ଯୋଜନା ମାଧ୍ୟମରେ ସଂପୂର୍ଣ୍ଣ କରିଥିବା ପ୍ରକଳ୍ପଗୁଡିକ ପାଇଁ ସବସିଡି ପ୍ରଦାନ କରଯାଇଥିଲା । କଇଁଛଙ୍କ ସୁରକ୍ଷା ପାଇଁ ଟେଡ ବିତରଣ କରାଯାଇଥିବା ବେଳେ ସଚେତନତା ସୃଷ୍ଟି ପାଇଁ ମନ୍ତ୍ରୀ ସଚେତନତା ରଥର ଶୁଭାରମ୍ଭ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ ଯୋଗ ଦେଇ, ମତ୍ସ୍ୟ କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଥିଲେ। ସିଡ୍ (ମାଛ ବିହନ ବା ମଞ୍ଜି), ଫିଡ୍ (ମାଛ ଖାଦ୍ୟ), ୱିଡ୍ (ମାଛ ଉତ୍ପାଦନ ବୃଦ୍ଧିରେ ପ୍ରତିରୋଧକ)ର ସୁପରିଚାଳନା ସହ ରପ୍ତାନୀକୁ ଅଗ୍ରାଧିକାର ଦେବାକୁ ସେ ନିଜ ଅଭିଭାଷଣରେ କହିଥିଲେ ।
ସମବାୟ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ରାଜେଶ ପ୍ରଭାକର ପାଟିଲ ମତ୍ସ୍ୟ ସମବାୟ ସମିତି ମାଧ୍ୟମରେ ମତ୍ସ୍ୟଚାଷର ସମୃଦ୍ଧି କାମନା କରିଥିବା ବେଳେ ଓଡିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ଭିତ୍ତିଭୂମି ବିକାଶ ଓ ଗବେଷଣା ଉପରେ ଗୁରୁତ୍ୱ ଦେବାକୁ କହିଥିଲେ । ମତ୍ସ୍ୟ ନିର୍ଦ୍ଦେଶକ ମହମ୍ମଦ ସାଦ୍ଦିକ୍ ଆଲାମ୍ ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଅତିରିକ୍ତ ମତ୍ସ୍ୟ ନିର୍ଦ୍ଦେଶକ(ବୈଷୟିକ) ଶ୍ରୀ ସୁବ୍ରତ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ସିଫାର ନିର୍ଦ୍ଦେଶକ ଡକ୍ଟର ପ୍ରମୋଦ କୁମାର ସାହୁ, ଆପିକଲର ପରିଚାଳନା ନିର୍ଦ୍ଦେଶକ ଶୁଭ୍ରାଂଶୁ ମିଶ୍ର, ଉଦ୍ୟାନ କୃଷି ନିର୍ଦ୍ଦେଶକ କାଲୁଙ୍ଗେ ଗୋରଖ ୱାମନ୍, ଏମପେଡାର ଉପ ନିର୍ଦ୍ଦେଶକ ଆଚମନ୍ ଲହରୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।
ସୂଚନାଯୋଗ୍ୟ ଯେ, ମତ୍ସ୍ୟଜୀବୀ, ମତ୍ସ୍ୟ ଚାଷୀ, ମତ୍ସ୍ୟ ଉଦ୍ୟୋଗୀ ଓ ବିଶ୍ୱବ୍ୟାପୀ ମତ୍ସ୍ୟ ବ୍ୟବସାୟ ସହ ଜଡ଼ିତ ଜନସାଧାରଣଙ୍କ ଅବଦାନକୁ ସ୍ୱୀକୃତି ଦେବା ଲକ୍ଷ୍ୟରେ ପ୍ରତିବର୍ଷ ନଭେମ୍ବର ୨୧ ତାରିଖରେ ବିଶ୍ୱ ମତ୍ସ୍ୟ ଦିବସ ପାଳନ କରାଯାଏ । ରାଜ୍ୟରେ ୧୬ ଲକ୍ଷରୁ ଅଧିକ ମତ୍ସ୍ୟଜୀବୀ, ମତ୍ସ୍ୟ ଚାଷୀ, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ, ଉଦ୍ୟୋଗୀ ଓ ଯୁବଗୋଷ୍ଠୀ ସମ୍ପୃକ୍ତ ଥିବା ମତ୍ସ୍ୟକ୍ଷେତ୍ରର ବିକାଶ ପାଇଁ ଓଡ଼ିଶା ସରକାର ଅଗ୍ରାଧିକାର ଦେଉଛନ୍ତି । ୨୦୨୪ -୨୫ ବର୍ଷ ରେ ୧୧.୯୨ ଲକ୍ଷ ମେଟ୍ରିକ ଟନ ମାଛ ଉତ୍ପାଦନ ସହ ଓଡ଼ିଶା ସର୍ବ ଭାରତୀୟ ସ୍ତରରେ ସର୍ବାଧିକ ମାଛ ଉତ୍ପାଦନ ରେ ୪ର୍ଥ ସ୍ଥାନରେ ପହଞ୍ଚିଛି । ଓଡ଼ିଶାରେ ମାଛର ଚାହିଦା ଅଧିକ । ଶତକଡା ୯୪ ଭାଗ ଲୋକ ମାଛ ଖାଇବାକୁ ଭଲ ପାଇଥାନ୍ତି । ଆମ ରାଜ୍ୟରେ ମୁଣ୍ଡପିଛା ମାଛର ବାର୍ଷିକ ଆହରଣ ୧୯.୧୬ କେଜି ଯାହାକି ଜାତୀୟ ହାରଠାରୁ ଦୁଇଗୁଣରୁ ଅଧିକ । ବିଗତ ଦୁଇ ଦଶନ୍ଧିରେ ରାଜ୍ୟରେ ସାମୁଦ୍ରିକ ଖାଦ୍ୟ ରପ୍ତାନି ୧୨ ଗୁଣ ବୃଦ୍ଧି ପାଇ ୨୦୨୪-୨୫ ରେ ୯୧,୯୩୦ ମେଟ୍ରିକ ଟନରେ ପହଞ୍ଚିଛି ଏବଂ ୪, ୭୧୦ କୋଟି ଟଙ୍କାର ବୈଦେଶିକ ମୁଦ୍ରା ଅର୍ଜନ କରିବାରେ ଆମ ରାଜ୍ୟ ସକ୍ଷମ ହୋଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା