
ଧର୍ମଶାଳା, ୨୧ ନଭେମ୍ବର (ହି.ସ.)- ରାଜ୍ୟରେ ଲୁଚି ରହିଥିବା ବାଂଲାଦେଶୀଙ୍କ ଯାଂଚ ପ୍ରକ୍ରିୟା ଆରମ୍ଭ ହୋଇଛି । ବିଭିନ୍ନ ଅଂଚଳରେ ଦୀର୍ଘ ଦିନ ଧରି ରହି ଆସୁଥିବା ବାଂଲାଦେଶୀଙ୍କ ଉପରେ ପୁଲିସ କଡା ଅଭିମୁଖ୍ୟ ଗ୍ରହଣ କରିଛି । ଯାଜପୁର ଜିଲାରେ ହଜାର ହଜାର ସଂଖ୍ୟାରେ ବାଂଲାଦେଶୀମାନେ ରହୁଥିବା ବିଶେଷ ସୂତ୍ରରୁ ଜଣାପଡିବା ପରେ ଜିଲାର ବିଭିନ୍ନ ଥାନା ଅଂଚଳରେ ଚଢଉ କରାଯାଉଛି । ବେଆଇନ ଭାବେ ରହୁଥିବା ବାଂଲାଦେଶୀଙ୍କୁ ପୁଲିସ ଯାଂଚ ସହ ସେମାନଙ୍କ ପରିଚୟ ଖୋଜିବାରେ ଲାଗିଛି । ରସୁଲପୁର ବ୍ଲକ ବ୍ରହ୍ମବରଦା ଥାନା ଅଂଚଳରେ ଅନେକ ଜିଲା ତଥା ରାଜ୍ୟ ବାହାରୁ ରାଜମିସ୍ତ୍ରୀ, ଫେରିବାଲା, ଗୁପଚୁପ ବ୍ୟବସାୟୀ ବ୍ୟବସାୟ ଆଳରେ ବିଭିନ୍ନ ସ୍ଥାନରେ ରହି ଆସୁଛନ୍ତି । ପୁଲିସ ଏମାନଙ୍କୁ ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରିଛି । ଥାନା ଅଧିକାରିଣୀ ଜୟନ୍ତୀ ମଲ୍ଲିକ ଗୁରୁବାର ରାତିରେ ବ୍ରହ୍ମବରଦା ଅଂଚଳରୁ ଏକାଧିକ ସନ୍ଦିଗ୍ଧଙ୍କୁ ଥାନାକୁ ନେଇ ପଚରାଉଚୁରା କରିଥିଲେ । ସେମାନଙ୍କ ଆଧାର କାର୍ଡ ଓ ଅନ୍ୟ ପ୍ରମାଣପତ୍ର ଯାଂଚ ପରେ ଛାଡି ଦେଇଥିବା ଜଣାପଡିଛି ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ