ବିଳମ୍ବ ହେଉଛି ପଣ୍ଡୁଆ ସେତୁ ନିର୍ମାଣ କାର୍ଯ୍ୟ : ତେଜୁଛି ଜନ ଅସନ୍ତୋଷ : ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ
ଧର୍ମଶାଳା, ୨୧ ନଭେମ୍ବର (ହି.ସ.)- ସରକାର ପରିବର୍ତନ ପରେ ବହୁ ବିକାଶମୂଳକ କାର୍ଯ୍ୟ ଅଧପନ୍ତରିଆ ହୋଇ ପଡିଛି । ଯାହାକୁ ନେଇ ସବୁଠି ଅସନ୍ତୋଷ ପ୍ରକାଶ ପାଇଛି । ଯାଜପୁରରୁ କେନ୍ଦ୍ରାପଡା ଜିଲାକୁ ସଂଯୋଗ କରୁଥିବା କଳାମାଟିଆ-ବିଂଝାରପୁର ରାସ୍ତାର ପଣ୍ଡୁଆ ନଦୀରେ ଉଚ୍ଚ ସେତୁ ନିର୍ମାଣରେ ଅହେତୁକ ବିଳମ୍ବ
ବିଳମ୍ବ ହେଉଛି ପଣ୍ଡୁଆ ସେତୁ ନିର୍ମାଣ କାର୍ଯ୍ୟ : ତେଜୁଛି ଜନ ଅସନ୍ତୋଷ : ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ


ଧର୍ମଶାଳା, ୨୧ ନଭେମ୍ବର (ହି.ସ.)- ସରକାର ପରିବର୍ତନ ପରେ ବହୁ ବିକାଶମୂଳକ କାର୍ଯ୍ୟ ଅଧପନ୍ତରିଆ ହୋଇ ପଡିଛି । ଯାହାକୁ ନେଇ ସବୁଠି ଅସନ୍ତୋଷ ପ୍ରକାଶ ପାଇଛି । ଯାଜପୁରରୁ କେନ୍ଦ୍ରାପଡା ଜିଲାକୁ ସଂଯୋଗ କରୁଥିବା କଳାମାଟିଆ-ବିଂଝାରପୁର ରାସ୍ତାର ପଣ୍ଡୁଆ ନଦୀରେ ଉଚ୍ଚ ସେତୁ ନିର୍ମାଣରେ ଅହେତୁକ ବିଳମ୍ବକୁ ନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରି ଏନେଇ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଯାଜପୁର ଓ କେନ୍ଦ୍ରାପଡା ଜିଲା ଅଧିନ ବରୀ, ବିଂଝାରପୁର, ଆଳି, ପଟ୍ଟାମୁଣ୍ଡାଇ ଓ କେନ୍ଦ୍ରାପଡା ବ୍ଲକର ଅଧିବାସୀଙ୍କ ଅଭିଯୋଗ ମୁତାବକ, ଏହି ଦୁଇ ଜିଲାର ବାସିନ୍ଦା ମୌଳିକ ସେବା ପାଇଁ ଏହି ସେତୁ ଉପରେ ନିର୍ଭରଶୀଳ । ଏହି ସେତୁ ଦେଇ କଟକ, ଭୁବନେଶ୍ୱର, ପାରାଦୀପ ଆଦି ସ୍ଥାନକୁ ଗଲେ ୨୦ରୁ ୩୦ କି.ମି. ରାସ୍ତା କମ୍ ରହିବ । ୨୦୧୮-୧୯ ରେ ରାଜ୍ୟ ସରକାର ପଣ୍ଡୁଆ ନଦୀ ଉପରେ ସେତୁ ନିର୍ମାଣ ନିମନ୍ତେ ୨୬ କୋଟି୬୫ ଲକ୍ଷ ଟଙ୍କାରେ ଭିତିପ୍ରସ୍ତର ସ୍ଥାପନ କରିଥିଲେ । ଇତିମଧ୍ୟରେ ୬ ବର୍ଷ ବିତିଯାଇଥିଲେ ମଧ୍ୟ କାର୍ଯ୍ୟ ଅଧପନ୍ତରିଆ ହୋଇ ପଡିଛି । ସେତୁର ପ୍ରବେଶ ପଥ ନିମନ୍ତେ ଜମି ଅଧିଗ୍ରହଣ ହୋଇନାହିଁ । ଯେଉଁଥି ପାଇଁ ସେତୁ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ଏନେଇ ସ୍ଥାନୀୟ ଲୋକେ ଜିଲା ପ୍ରଶାସନ ଓ ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ଏଯାବତ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ଫଳରେ ନିରାଶ ହୋଇ ଅସମ୍ପୁୂର୍ଣ୍ଣ ସେତୁକୁ ସମ୍ପୁର୍ଣ୍ଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି । ତୁରନ୍ତ ଏହାର ସମାଧାନ ନ ହେଲେ ନିକଟ ଭବିଷ୍ୟତରେ ଏକ ଜନ ଆନ୍ଦୋଳନ କରାଯିବ ବୋଲି ସ୍ଥାନୀୟ ଲୋକେ ଚେତାବନୀ ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande