
ମାଲକାନଗିରି, ୨୨ ନଭେମ୍ବର (ହି.ସ.)-
ମାଥିଲି ବ୍ଲକ କମାରପାଲ୍ଲୀ ପଞ୍ଚାୟତ ସୋଡିଗୁଡ଼ା ଗ୍ରାମର ୧୭ ପରିବାର ଆଜି ସ୍ବଧର୍ମକୁ ଫେରିଛନ୍ତି | ଆଦିବାସୀ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ପରେ ପୁଣି ନିଜ ଧର୍ମକୁ ଫେରି ନିଜ ମଧ୍ୟରେ ଥିବା ପାତର ଅନ୍ତରକୁ ଭୁଲି ଏକାଠି ରହିବା ପାଇଁ ଶପଥ ନେଇଛନ୍ତି ।
ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ସୋଡିଗୁଡ଼ା ଗ୍ରାମରେ ବୈଠକ ବସିଥିଲା । କମାରପାଲ୍ଲୀ ପଞ୍ଚାୟତ ସମେତ ମହୁପଦର ପଞ୍ଚାୟତର ଶତାଧିକ ମହିଳା, ପୁରୁଷ ବୈଠକରେ ଏକତ୍ର ହୋଇଥିଲେ । ବୈଠକରେ ପୁଲିସ ଓ ବ୍ଲକ ପ୍ରଶାସନ ଅଞ୍ଚଳବାସୀ ଜାତି, ଧର୍ମ ଭେଦଭାବ ଭୁଲି କିପରି ଶୃଙ୍ଖଳାରେ ରହିବେ ସେ ନେଇ ଆଲୋଚନା
କରିଥିଲେ । ବୈଠକରେ ନିଜ ପରମ୍ପରାକୁ ଭୁଲି ଅନ୍ୟ ଧର୍ମ ଗ୍ରହଣ କରିଥିବା ୧୭ ପରିବାର ପୁଣି ସ୍ବଧର୍ମକୁ ଫେରିଆସିଥିଲେ | ଆଦିବାସୀ ସମାଜରେ
ରହିଥିବା ସମସ୍ତ ପର୍ବପର୍ବାଣୀ ସହ ରୀତିନୀତିକୁ ଛାଡ଼ି ଅନ୍ୟ ଧର୍ମ ଗ୍ରହଣ କରି ଅଞ୍ଚଳର ବାତାବରଣକୁ ଖରାପ କରାଯାଉଥିବା ନେଇ ଅଭିଯୋଗ ହୋଇଥିଲା। ତେଣୁ ଲୋକେ ଦୀର୍ଘ ବର୍ଷ ଧରି ଅନ୍ୟ ଧର୍ମ ଗ୍ରହଣ କରିଥିବା ଲୋକଙ୍କୁ ପୁଣି ନିଜ ଧର୍ମକୁ ଫେରିବାକୁ ବୁଝାଉଥିଲେ। କିନ୍ତୁ, ସେମାନେ ଫେରିବାକୁ ନାରାଜ ଥିଲେ | ଧର୍ମ ପରିବର୍ତ୍ତନ କଲେ ରୋଗ ଭଲ ହେଉଥିବାରୁ ବିଶ୍ଵାସ ରହିଥିବା ଧର୍ମ ପରିବର୍ତ୍ତନକାରୀ କହିଥିଲେ। ବାରମ୍ବାର ଅନୁଷ୍ଠିତ ବୈଠକରେ ଧର୍ମ ପରିବର୍ତ୍ତନ କଲେ କୌଣସି ରୋଗ ଭଲ ହୁଏନି କିମ୍ବା ଲୋକେ ଧନୀ ହୁଅନ୍ତି ନାହିଁ ବୋଲି ବୁଝାଇଥିଲେ। ପ୍ରକୃତ କାରଣ ଜାଣିବା ପରେ ଅନ୍ୟ ଧର୍ମ ଗ୍ରହଣ କରିଥିବା ୧୭ ପରିବାର ସ୍ବଧର୍ମକୁ ଫେରି ଆସିଛନ୍ତି । ଯାହାକୁ ନେଇ ଅଞ୍ଚଳରେ ଖୁସିର ଲହରି ଖେଳିଯାଇଛି।
ଏହି ବୈଠକରେ କମାରପଲ୍ଲୀ ସରପଞ୍ଚ ସମେତ ବିଭିନ୍ନ ଆଦିବାସୀ ନେତା ଉପସ୍ଥିତ ଥିଲେ |
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ