ବସ ଚକା ତଳେ ଚାପିହୋଇ ଚାଲିଗଲା ଦୁଇ ସ୍କୁଟି ଆରୋହୀଙ୍କ ଜୀବନ, ୩ଘଂଟା ଧରି ରାସ୍ତା ଅବରୋଧ, ଉତେଜନା
ଭଦ୍ରକ, ୨୨ ନଭେମ୍ବର (ହି.ସ.) - ଭଦ୍ରକ -ଚାନ୍ଦବାଲି ରାଜ୍ୟ ରାଜପଥର ପୀରହାଟ ଥାନା ଅଧୀନ ସିନ୍ଦୋଳ ଠାରେ ଶନିବାର ପୂର୍ବାହ୍ନ ସାଢେ ୧୦ଟା ବେଳେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁଘଟି ଶୋକାକୁଳ ପରିବେଶ ସୃଷ୍ଟି କରିଥିଲା । ଚାନ୍ଦବାଲିରୁ ଭୁବେନେଶ୍ୱର ଅଭିମୁଖେ ଯାଉଥିବା ଯାତ୍ରୀବା
BUS-SCOOTY ACCIDENT, TWO DEAD-2


ଭଦ୍ରକ, ୨୨ ନଭେମ୍ବର (ହି.ସ.) - ଭଦ୍ରକ -ଚାନ୍ଦବାଲି ରାଜ୍ୟ ରାଜପଥର ପୀରହାଟ ଥାନା ଅଧୀନ ସିନ୍ଦୋଳ ଠାରେ ଶନିବାର ପୂର୍ବାହ୍ନ ସାଢେ ୧୦ଟା ବେଳେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁଘଟି ଶୋକାକୁଳ ପରିବେଶ ସୃଷ୍ଟି କରିଥିଲା । ଚାନ୍ଦବାଲିରୁ ଭୁବେନେଶ୍ୱର ଅଭିମୁଖେ ଯାଉଥିବା ଯାତ୍ରୀବାହୀ ବସ ଧକ୍କା ଦେବା ପରେ ବସ ଚକା ତଳେ ସ୍କୁଟିଟି ପଶିଯାଇଥିଲା। ଫଳରେ ଦୁଇ ସ୍କୁଟି ଅରୋହୀଙ୍କର ଘଟଣାସ୍ଥଳରେ ଜୀବନ ଚାଲିଯାଇଥିଲା। ମୃତ ସ୍କୁଟି ଆରୋହୀଙ୍କ ନାଁ ଗୋଲେଖ ଦାସ (୪୬) ଓ ଦୈତାରୀ ପୁହାଣ (୩୮) ଏବଂ ତାଙ୍କ ଘର ତିହିଡି଼ ଥାନା ସୟା ପଂଚାୟତ ଅଧୀନ ବାଲିଚତୁରୀ ଗ୍ରାମରେ ବୋଲି ଜଣାଯାଇଛି । ତେବେ ଏହି ଦୁଃଖଦ ଘଟଣା ପରେ ସ୍ଥାନୀୟ ଅଂଚଳର ଅଧିବାସୀଙ୍କ ମଧ୍ୟରେ ଉତେଜନା ପ୍ରକାଶ ପାଇଥିବାବେଳେ କମାରିଆ ବଜାରରୁ ବିନ୍ଧା ବଜାର ମଧ୍ୟରେ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ରାସ୍ତାରେ ହମ୍ପସ ନିର୍ମାଣ ସହିତ ମୃତକଙ୍କ ପରିବାରକୁ ସହାୟତା ଦାବି କରି ଉତ୍ୟକ୍ତ ଲୋକମାନେ ରାସ୍ତା ଅବରୋଧ କରିଥିଲେ । ପରେପରେ ବାଲିଚତୁରୀ ଗ୍ରାମବାସୀ ଓ ମୃତକଙ୍କ ପରିବାର ବର୍ଗ ଘଟଣାସ୍ଥଳରେ ପହଂଚି ଆନ୍ଦୋଳନରେ ସାମିଲ ହୋଇଥିଲେ । ଖବରପାଇ ତିହିଡି଼ ଥାନା ଆଇଆଇସି ସତ୍ୟବ୍ରତ ଗ୍ରହାଚାର୍ଯ୍ୟ, ପୀରହାଟ ଥାନା ଆଇଆଇସି ରୋଜାଲିନ ବେହେରା, ଚାନ୍ଦବାଲି ଥାନା ଆଇଆଇସି ଉମାଶଙ୍କର ନାୟକ, ବାଂଶଡା ଥାନା ଆଇଆଇସି ଏମ ଡି ହାପିଜ ପ୍ରମୁଖ ଘଟଣା ସ୍ଥଳରେ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରୁଥିବା ବେଳେ ଭଦ୍ରକ ଡିଏସପି ବିଶ୍ୱପତି ପଣ୍ଡା ମଧ୍ୟ ଘଟଣାସ୍ଥଳରେ ପହଂଚିଥିଲେ । ବାସୁଦେବପୁର ବିଧାୟକଙ୍କ ପ୍ରତିନିଧି ସରୋଜ କୁମାର ଦାସ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶୁକଦେବ ମଲିକ,ମଙ୍ଗଳପୁର ସରପଂଚଙ୍କ ପ୍ରତିନିଧି କମଳା କାନ୍ତ ଲେଙ୍କା,ବିଜେପି ନେତା ସଂଗ୍ରାମ ମହାନ୍ତି,ବିଜେଡି ନେତା ବଳରାମ ମଳିକ,ଅନିରୁଦ୍ଧ ବାରିକ,ପ୍ରଦୀପ ଦାସ, କଂଗ୍ରେସ ନେତା ଶିବ ପ୍ରସାଦ ନାୟକ, ସୌମ୍ୟ ଗୋପାଳ ନାୟକ, ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ରାସ୍ତା ଅବରୋଧ ହଟି ନଥିଲା । ଅତିରିକ୍ତ ତହସିଲଦାର ନମିତା ଧଳ ଦୁଇ ମୃତକଙ୍କ ପରିବାରକୁ ସୋମବାର ରେଡ଼କ୍ରସରୁ ୨୦ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ରାସ୍ତାର କେତକ ସ୍ଥାନରେ ବ୍ୟାରିକେଟ ବ୍ୟବସ୍ଥା କରାଯାଇଥିଲା।ମାତ୍ର ମୃତକଙ୍କ ପରିବାର ସଦସ୍ୟ ଓ ଗ୍ରାମବାସୀ ବସ ମାଲିକ ଘଟଣାସ୍ଥଳକୁ ଆସନ୍ତୁ ବୋଲି ଜିଦ କରି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଛାଡ଼ିନଥିଲେ । ଆଇଆଇସି ଶ୍ରୀ ଗ୍ରହାଚାର୍ଯ୍ୟ ବସ ମାଲିକଙ୍କୁ ଥାନାକୁ ଡକାଯାଇ କ୍ଷତି ପୂରଣ ସମ୍ପର୍କରେ ଆଲୋଚନା କରାଯିବ ବୋଲି ପ୍ରତିଶ୍ରୁତି ଦେବାପରେ ଅପରାହ୍ନ ୨ଟାରେ ବ୍ୟବଚ୍ଛେଦ ପାଇଁ ମୃତଦେହକୁ ଭଦ୍ରକ ପଠାଯିବା ପରେ ରାସ୍ତା ଅବରୋଧ ହଟିଥିଲା । ପ୍ରକାଶ ଯେ ଗୋଲେଖ ଓ ଦୈତାରୀ ଘରୁ ଏକ ସ୍କୁଟି ଯୋଗେ ଅଲେଖ ମେଳାରେ ଯୋଗଦେବାକୁ ଚାନ୍ଦବାଲି ଯାଉଥିଲେ । ସିନ୍ଦୋଳ ନିକଟରେ ବିପରୀତ ଦିଗରୁ ଆସୁଥିବା ହାସାମ ନାମକ ଏକ ଯାତ୍ରୀବାହୀ ବସ (ନଂ ଓଡ଼ି ୦୫ ଏ ଡବ୍ଲ୍ୟୁ ୭୯୫୫) ତାଙ୍କୁ ଧକ୍କା ଦେଇଥିଲା । ଯାହାଫଳରେ ଘଟଣା ସ୍ଥଳରେ ଦୁଇ ସ୍କୁଟି ଆରୋହୀଙ୍କ ମୃତ୍ୟୁ ଘଟିଥିଲା । ଦୁର୍ଘଟଣା ଘଟାଇଥିବା ବସ ଡ୍ରାଇଭର ଫେରାର ହୋଇଯାଇଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି । ଏସମ୍ପର୍କରେ ମୃତକଙ୍କ ପରିବାର ପକ୍ଷରୁ ଦିଆଯାଇଥିବା ଏତଲା ମୂଳେ ପୋଲିସ ୩୧୯/୨୫ରେ ଏକ ମକଦ୍ଦମା ରୁଜୁକରି ତଦନ୍ତ ଚଳାଇଥିବା ବେଳେ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାଯାଇଛି।ମୃତକ ଦୁଇଜଣ ଅଲେଖ ଧର୍ମାବଲମ୍ବୀ ବୋଲି ଜଣାପଡିଥିବାବେଳେ ମୃତ ଗୋଲେଖ ତିହିଡି ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସଙ୍କ ଭାଇବୋଲି ଜଣାଯାଇଛି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande