
ଜୟପୁର, ୨୨ ନଭେମ୍ବର (ହି.ସ.)- ଜୟପୁର ସିଟି ହାଇସ୍କୁଲରେ ଉପର କୋଲାବ ଅଧୀକ୍ଷଣ ଯନ୍ତ୍ରୀଙ୍କ ଦ୍ବାରା ନଦୀ ବନ୍ଧ ସୁରକ୍ଷା ପାଇଁ ସାମୁହିକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ ହୋଇଛି । ଏହି ଅବସରରେ ଜୟପୁର ଏବଂ କୁନ୍ଦ୍ରା ବ୍ଲକ ପାଇଁ ପ୍ରବନ୍ଧ, ଚିତ୍ରାଙ୍କନ ଏବଂ କୁଇଜ୍ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ପ୍ରତିଯୋଗିତାରେ ୬୦ ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ପ୍ରବନ୍ଧ ପ୍ରତିଯୋଗିତାର ବିଷୟବସ୍ତୁ ଥିଲା ନଦୀ ବନ୍ଧର ନିମ୍ନ ସ୍ତର ଅଞ୍ଚଳରେ ରହୁଥିବା ନାଗରିକଙ୍କ ଜରୁରୀକାଳୀନ ପ୍ରସ୍ତୁତି ଏବଂ ଚିତ୍ରାଙ୍କନରେ ବିଷୟ ଥିଲା ବହୁମୁଖୀ ନଦୀ ବନ୍ଧ ପ୍ରକଳ୍ପ। କାର୍ଯ୍ୟକ୍ରମରେ ଏସଡିଓ ଶକ୍ତି ସାମନ୍ତ ଭୂୟାଁ, ଏସଡିଓ ରଜନୀକାନ୍ତ ମିଶ୍ର, ଏଇ ସତ୍ୟ ନାରାୟଣ ପଣ୍ଡା, ଜେଇ ଅପର୍ଣ୍ଣା ସାହାଣୀ, ଜେଇ ମୋହିନୀ ପାଢୀ, ବିଇଓ ଚନ୍ଦନ କୁମାର ନାୟକ, ପ୍ରଧାନ ଶିକଷୟିତ୍ରୀ ବି. ସୁଜାତା ଏବଂ ସହ ପ୍ରାଚାର୍ଯ୍ୟ ସସ୍ମିତା ସାହୁ ଉପସ୍ଥିତ ଥିଲେ। ସିଟି ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ପ୍ରତିଯୋଗିତା ପରିଚାଳନା କରିଥିଲେ, ସେମାନେ ଥିଲେ ପ୍ରିୟଙ୍କା ସାମନ୍ତରାୟ, ଏମ୍ ସୌଜନ୍ୟ, ସଞ୍ଜୁକ୍ତା ବାଡ଼ତ୍ୟା, ଜ୍ୟୋତି, ପି ଜଗନ ମୋହନ। ଶିକ୍ଷକ ପ୍ରତାପ କୁମାର ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏସଡିଓ ଶ୍ରୀ ଭୂୟାଁ ସୂଚନା ଦେଇଛନ୍ତି ଯେ, ବିଜେତାମାନଙ୍କୁ ପୁରସ୍କାର ନଭେମ୍ବର ୨୫ ତାରିଖରେ ଉପର କୋଲାବ ଡ୍ୟାମ୍ ପ୍ରକଳ୍ପରେ ବିଶିଷ୍ଟ ବ୍ୟକ୍ତିମାନଙ୍କ ଦ୍ୱାରା ପ୍ରଦାନ କରାଯିବ।
ହିନ୍ଦୁସ୍ଥାନ ସମାଚାର / ପିକେପି