
ଜୟପୁର, 22 ନଭେମ୍ବର (ହି. ସ) ଜୟପୁର ସଦରଥାନା ଅନ୍ତର୍ଗତ ହାଟକଙ୍ଗା ଗ୍ରାମରେ ଏକ ହୋଟେଲରେ ଗ୍ୟାସ ପାଇପ ଫାଟି ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ନେଇ ସଦରଥାନାରେ ଅଭିଯୋଗ ହୋଇଛି। ପୁଲିସର ମିଳିଥିବା ସୂଚନା ଅନୁଯାୟୀ ଗତ ୧୬ ତାରିଖରେ ହାଟକଙ୍ଗା ଗ୍ରାମର ରାଜେଶ୍ବରୀ ବିଷୋୟୀ ଏକ ହୋଟେଲରେ କାମ କରୁଥିବା ସମୟରେ ହଠାତ ଗ୍ୟାସ ପାଇପ ଫାଟି ଯାଇଥିଲା। ଯାହା ଫଳରେ ରାଜେଶ୍ବରୀଙ୍କୁ ଦେହ ୯୦ ପ୍ରତିଶତ ଜଳିଯାଇଥିଲା। ଉତ୍ତମ ଚିକିତ୍ସା ନିମନ୍ତେ ପ୍ରଥମେ ଜୟପୁର ଜିଲ୍ଲା ଚିକିତ୍ସାଳୟକୁ ନେବା ପରେ ସ୍ବାସ୍ଥ୍ୟ ଅବସ୍ଥାରେ ସୁଧାର ନ ଆସିବାରୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାକରୁଥିବା ସମୟରେ ମହିଳାଙ୍କ ମୃତ୍ୟୁ ହୋଇଥିଲା। ପରିବାର ବର୍ଗ ମୃତ ଶରୀରକୁ ଜୟପୁର ଆଣିବା ପରେ ସଦରଥାନାରେ ଏକ ମାମଲା ରୁଜୁ କରାଯିବା ସହ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି