
ସମ୍ବଲପୁର, ୨୨, ନଭେମ୍ବର (ହି.ସ.) ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ ପୁକୁଡା ଗ୍ରାମର ସଂଯୋଗୀକରଣ ମୁଖ୍ୟ ରାସ୍ତା ଉପରେ ଏକ ୧୧ କେଭି ବିଦ୍ୟୁତ ତାର ଛିଣ୍ଡି ପଡ଼ିଥିବା ଦେଖିବାକୁ ମିଳିଥିଲା । ଆଜି ପ୍ରତ୍ୟୁଷରେ ଗ୍ରାମର ଏକ ଦମ୍ପତ୍ତି ମର୍ଣ୍ଣିଙ୍ଗ ୱାକ କରିବାକୁ ଯାଉଥିବା ବେଳେ ଦେଖିଥିଲେ ଯେ' ମଝି ରାସ୍ତାରେ ବିପଦ ସଙ୍କୁଳ ଏହି ତାର ପଡ଼ିଛି । ତାରଟି ବିଦ୍ୟୁତ ବିଚ୍ଛିନ୍ନ ହୋଇ ନଥିବା ଜାଣିପାରି କୌଣସି ବଡ଼ ଧରଣର ଅଘଟଣ ଯେପରି ନଘଟେ ସେଥିପାଇଁ ରାସ୍ତାର ଉଭୟ ପାର୍ଶ୍ଵରେ ଏହି ଦମ୍ପତ୍ତି ଛିଡ଼ା ହୋଇ ସମସ୍ତଙ୍କୁ ସତର୍କତା କରାଇଥିଲେ । ସେମାନଙ୍କ ଏଭଳି ପ୍ରୟାସ ବଡ଼ଧରଣର ଦୁର୍ଘଟଣାକୁ ଏଡ଼ାଇ ଦେଇ ପାରିଥିଲା । କାରଣ ଏହି ବିପଦ ସଙ୍କୁଳ ବିଦ୍ୟୁତ୍ ତାରକୁ ଦେଖି ବାଇକ୍ ଚାଳକଙ୍କ ସମେତ ବହୁ ଯାନବାହାନ ଏପରିକି ଯାତ୍ରୀବାହୀ ବସ୍ ମଧ୍ୟ ଦୀର୍ଘ ସମୟ ଧରି ରାସ୍ତାରେ ଅଟକି ରହିଥିଲା । ସ୍ଥାନୀୟ ଗ୍ରୀଡ଼କୁ ଲୋକେ ଖବର ଦେବାପରେ ବିଦ୍ୟୁତ୍ ସରାବରାହ ବନ୍ଦ କରି ତାରକୁ ରାସ୍ତାରୁ ହଟା ଯାଇଥିଲା। ପରେ ଯାତ୍ରୀବାହୀ ବସ ଓ ସମସ୍ତ ଯାନବାହନ ଚଳାଚଳ କରିଥିଲା। ସ୍ଥାନୀୟ ଗ୍ରାମବାସୀଙ୍କ କହିବା ଅନୁସାରେ ଏହି ବିଦ୍ୟୁତ୍ ତାରଟି କିଛି ଦିନ ଧରି ବିପଦ ପୂର୍ଣ୍ଣ ଅବସ୍ଥାରେ ଥିବା ନେଇ ବିଦ୍ୟୁତ୍ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ । ମାତ୍ର ଏହାର ପ୍ରତିକାର ପାଇଁ ବିଭାଗ କୌଣସି ଗୁରୁତ୍ବ ଦେଇନଥିଲା, ଆଜି ଯଦି କୌଣସି ବଡ ଧରଣର ଅଘଟଣ ଘଟି ଥାଆନ୍ତା ତେବେ ବିଭାଗୀୟ ଅଧିକାରୀ ଦାୟୀ ରହିଥାଆନ୍ତେ କି ବୋଲି ପ୍ରଶ୍ନ କରିଛନ୍ତି ଗ୍ରାମର ଲୋକେ ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ