
ସମ୍ବଲପୁର, ୨୨ ନଭେମ୍ବର (ହି.ସ.) ନୀଳମ୍ବୁ ଚିଲିକାର ଭ୍ରମ ସୃଷ୍ଟି କଲାଣି ଏବେ ହୀରାକୁଦ ନଦୀବନ୍ଧ। ପ୍ରକୃତିର ବୈଚିତ୍ର ହିଁ ଦେଇଛି ଏହି ଆଗମନ। ବିଦେଶାଗତ ପକ୍ଷୀଙ୍କ କାକଳିରେ ହୀରାକୁଦ ନଦୀବନ୍ଧ ଆଜି ସଂଗୀତମୟ।ଏସିଆର ଦୀର୍ଘତମ ନଦୀବନ୍ଧ ହୀରାକୁଦରେ ବିଦେଶାଗତ ପକ୍ଷୀଙ୍କ ଏହି ସମାଗମ ପର୍ଯ୍ୟଟକ ଙ୍କ ପାଇଁ ଭିନ୍ନ ଏକ ଆକର୍ଷଣ।
ହୀରାକୁଦର ବିସ୍ତୀର୍ଣ୍ଣ ଜଳରାଶି, ଉପ ଉପଯୁକ୍ତ ପାଣିପାଗ, ରହଣୀ ଓ ଅଣ୍ଡା ଦେବା ପାଇଁ ସୁବିଧା, ମଧୁର ମାଛ ଏବଂ ସୁରକ୍ଷା ବ୍ୟବସ୍ଥା ଯୋଗୁଁ ପକ୍ଷୀ ମାନେ ନିର୍ଭୟରେ ରହୁଛନ୍ତି । ଏଥିଯୋଗୁଁ ବିଗତ କିଛି ବର୍ଷ ହେବ ବିଦେଶୀପକ୍ଷୀଙ୍କ ଆଗମନ ବୃଦ୍ଧି ପାଇବାରେ ଲାଗିଛି । ସୂଚନା ମୁତାବକ, ୨୦୨୩ରେ ୧୦୮ ପ୍ରଜାତି ର ୩ଲକ୍ଷ ୧୬ହଜାର ପକ୍ଷୀ ହୀରାକୁଦ ଜଳଭଣ୍ଡାର କୁ ଆସିଥିଲେ । ସେହିପରି ୨୦୨୪ରେ ୧୧୩ ପ୍ରଜାତି ର ରେକର୍ଡ ସଂଖ୍ୟକ ୩ଲକ୍ଷ ୪୨ହଜାର ୩୪୫ ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଥିଲା ହୀରାକୁଦ ନଦୀବନ୍ଧ ଅଞ୍ଚଳ କୁ । ଏସବୁ ରେକର୍ଡକୁ ଭାଙ୍ଗି ୨୦୨୫ରେ ୧୨୨ ପ୍ରଜାତି ର ୩ଲକ୍ଷ୭୭ ହଜାର ବିଦେଶୀ ପକ୍ଷୀ ହୀରକୁଦ ଜଳଭଣ୍ଡାରକୁ ଆସିଥିବା ଜଣାପଡିଛି । ତେବେ ଜଳଭଣ୍ଡାର ଭିତରେ ଥିବା ବିଭିନ୍ନ ପର୍ବତ, ପାର୍ଶ୍ଵବତ୍ତୀ ଝାରସୁଗୁଡା ଓ ସମ୍ବଲପୁର ଜିଲ୍ଲାର ଜଙ୍ଗଲ ଗୁଡିକ ଶୀତ ସମୟରେ ଏହି ବିଦେଶୀ ପକ୍ଷୀମାନଙ୍କୁ ବେଶ ଆକର୍ଷିତ କରିଥାଏ । ଏଥିସହ ମଧୁର ମାଛ ଓ ପାଣିପାଗ ସେମାନଙ୍କୁ ବାନ୍ଧି ରଖିଥାଏ। ଡିସେମ୍ବର ଶେଷ ସପ୍ତାହ ଓ ଜାନୁଆରୀ ମାସରେ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଥାଏ । ହୀରାକୁଦ ଜଳଭଣ୍ଡାର କୁ ବିଦେଶୀ ପକ୍ଷୀଙ୍କ ଆଗମନ ଆରମ୍ଭ ହୋଇଛି । ଫଳରେ ସୁବିସ୍ତୀର୍ଣ୍ଣ ଜଳରାଶିର ନଦୀବନ୍ଧ ଏବଂ ଏହାର କୂଳର ଜଙ୍ଗଲ ଓ ଗ୍ରାମ ଗୁଡିକରେ ପକ୍ଷୀମାନଙ୍କ କଳରବ କାକଳି ଶୁଣିବାକୁ ମିଳିଲାଣି । ଯାହା ମନମୁଗ୍ଧକର।ଏଥର ପ୍ରଥମ କରି ଗଲ୍ ଓ ଡକ୍ ପ୍ରଜାତିର ପକ୍ଷୀମାନେ ନଦୀବନ୍ଧରେ ପହଞ୍ଚିଛନ୍ତି । ସାମାନ୍ୟ ଶୀତ ଆସି ଯାଇଥିବାରୁ ଗତ ବର୍ଷ ଅପେକ୍ଷା ଏ ଥର ଖୁବ୍ ଶୀଘ୍ର ପକ୍ଷୀମାନଙ୍କର ଆଗମନ ଆରମ୍ଭ ହୋଇଯାଇଛିଛି । ପ୍ରାୟ ୭୪୬ ବର୍ଗ କିଲୋମିଟର ପରିମିତ ହୀରାକୁଦ ନଦୀବନ୍ଧକୁ ଅକ୍ଟୋବର ମାସ ବେଳକୁ ପରିବ୍ରାଜକ ପକ୍ଷୀମାନେ ଆସିଥାନ୍ତି। ଏମାନେ ହଜାର ହଜାର ହଜାର କିଲୋମିଟର ଆକାଶ ପଥରେ ଉଡି ଏ ଏଠାରେ ପହଞ୍ଚିଥାନ୍ତି। ଫେବୃଆରୀ ମାସର ଶେଷ ବେଳକୁ ଶୀତ ଅପସରି ଯିବାପରେ ନିଜ ନିଜ ଦେଶକୁ ପ୍ରତ୍ୟାବର୍ତନ କରିଥାନ୍ତି। ଏହି ପକ୍ଷୀମାନେ ନଦୀବନ୍ଧର ପାଓ୍ବାର ଚେନାଲ, ଭିତରେ ଥିବା କୁଦ, ପାର୍ଶ୍ଵବର୍ତ୍ତୀ ଡେବ୍ରିଗଡ଼ ଅଭୟାରଣ୍ୟ, ରେଙ୍ଗାଲି ଓ ଡାଇକ୍ ପ୍ରଭୃତିର ବନାଞ୍ଚଳ ରେ ଅବସ୍ଥାନ କରିଥାନ୍ତି । ଏହି ପକ୍ଷୀମାନେ ମୁଖ୍ୟତଃ କାସ୍କି ଆନ୍ ସାଗର, ମଙ୍ଗୋଲିଆ, କେନ୍ଦ୍ର ଓ ଦକ୍ଷିଣ-ପୂର୍ବ ଏସିଆ, ହିମାଳୟ, ବୈକାଲ ହ୍ରଦ ଆଦି ସ୍ଥାନରୁ ଆସିଥାନ୍ତି । ପକ୍ଷୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ଚଳିତ ବର୍ଷ ମଧ୍ଯ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଡଙ୍ଗା ସହ ବନ ବିଭାଗର ଅଧିକାରୀ ଓ କର୍ମ ଚାରୀମାନଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଥିବା ବେଳେ ନଦୀବନ୍ଧ ଓ ପାର୍ଶ୍ଵବର୍ତ୍ତୀ ଜଙ୍ଗଲରେ ପହରା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ