
ମାଲକାନଗିରି, ୨୨ ନଭେମ୍ବର (ହି.ସ.) - ମାଲକାନଗିରି ଜିଲ୍ଲା ସହିଦ ଲକ୍ଷ୍ମଣ ନାୟକ ଡେଭଲପମେଣ୍ଟ ସୋସାଇଟି ପକ୍ଷରୁ ଦକ୍ଷତା ବିକାଶ କେନ୍ଦ୍ର ପରିସରରେ ସହିଦ ଲକ୍ଷ୍ମଣ ନାୟକଙ୍କ ଜୟନ୍ତୀ ପାଳନ କରାଯାଇଛି। ଏହି ଅବସରରେ ସହିଦ ଲକ୍ଷ୍ମଣ ନାୟକ ଡେଭଲପମେଣ୍ଟ ସୋସାଇଟିର ପରିଚାଳକ ଭାସ୍କର ବେହେରା ଅଧକ୍ଷତା କରିଥିବା ବେଳେ ମାଲକାନଗିରି ବିଧାୟକ ନରସିଂହ ମାଡକାମି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେହିପରି ଅନ୍ୟତମ ଅତିଥି ଭାବେ ଜିଲ୍ଲା ନିୟୋଜନ ଅଧିକାରୀ ଗୁପ୍ତ ମାଢି, ବରିଷ୍ଟ ସାମ୍ବାଦିକ ଗୋପୀ କୃଷ୍ଣ ପଟ୍ଟନାୟକ, ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ସଭାପତି ତଥା ସାମ୍ବାଦିକ ଅଶୋକ ମିଶ୍ର ମଞ୍ଚାସୀନ ଥିଲେ। ଏହି ଅବସରରେ ଅତିଥି ମାନେ ସହୀଦଙ୍କ ତୈଳ ଚିତ୍ରରେ ମାଲ୍ୟାର୍ପଣ ଓ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପରେ ଦକ୍ଷତା ବିକାଶ ତାଲିମ କେନ୍ଦ୍ରର ଛାତ୍ରୀ ମାନେ ବନ୍ଦେ ଉତ୍କଳ ଜନନୀ ଗାନ ପରିବେଷଣ କରିଥିଲେ। ସ୍ୱାଧୀନତା ସଂଗ୍ରାମର ପ୍ରତ୍ୟେକ ପର୍ଯ୍ୟାୟରେ ଓଡ଼ିଶାର ଆଦିବାସୀ ସମାଜ ସମସ୍ତ ପ୍ରତିବନ୍ଧକକୁ ଅତିକ୍ରମ କରି ସେମାନଙ୍କର ଦେଶପ୍ରେମ, ଜାତୀୟତାବୋଧ ଓ ସ୍ବାଭିମାନର ପରିଚୟ ଦେବାକୁ କେବେ ଭୁଲି ନାହାନ୍ତି। କୋରାପୁଟ ଜିଲ୍ଲାରେ ଭାରତଛାଡ ଆନ୍ଦୋଳନର ନେତୃତ୍ଵ ନେଇଥିବା ଆଦିବାସୀ ବୀର ଲକ୍ଷ୍ମଣ ନାୟକଙ୍କ ଅସାଧାରଣ ଦେଶପ୍ରେମ, ଅଦମ୍ୟ ସାହସ ଓ ନିର୍ଭୀକ ସଂଗ୍ରାମୀ ଜୀବନ ଓ ଅସୀମ ତ୍ୟାଗ ଏ ଜାତି ପାଇଁ ଗର୍ବ ଓ ଗୌରବର ବିଷୟ। ଲକ୍ଷ୍ମଣ ନାୟକ ଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ପ୍ରତ୍ୟେକ ଦିନ ତାଙ୍କୁ ଭକ୍ତି ଓ ନତମସ୍ତକ କରିବାକୁ ଯୁବ ପିଢୀଙ୍କୁ ଅତିଥି ମାନେ ଆହ୍ଵାନ ଦେଇଥିଲେ। ସେହିପରି ଜିଲ୍ଲାରେ ସହିଦ ଲକ୍ଷ୍ମଣ ନାୟକଙ୍କ ପୂର୍ଣ ପ୍ରତିମୂର୍ତି ନିର୍ମାଣ କରିବା ସହ ଅନ୍ୟ ସ୍ଵାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତି ନିର୍ମାଣ ଦିଗରେ ବିଧାୟକ ପଦକ୍ଷେପ ନେବେ ବୋଲି ପ୍ରକାଶ କରିଥିଲେ। ଏହି ଅବସରରେ ବିଧାୟକଙ୍କ ପ୍ରତିନିଧି ନିହାର ରାୟ, ସାଂସଦ ପ୍ରତିନିଧି ବିଜୟ ମହାରଣା, ଦକ୍ଷତା ବିକାଶ କେନ୍ଦ୍ରର ୫୦ରୁ ଊର୍ଦ୍ଧ୍ଵ ଛାତ୍ରୀ, କର୍ମଚାରୀ, ପରିଚାଳକ ଦେବଦତ୍ତ ବେହେରା, ସମାଜସେବୀ ରାହୁଲ ନାୟକ, ପିଣ୍ଟୁ କୁମାର ପ୍ରମୁଖ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ