
ଜୟପୁର , 22 ନଭେମ୍ବର (ହି.ସ.)ଏକ ପାରିବାରିକ କାରଣରୁ ଗତକାଲି ସହରର ଗୋପବନ୍ଧୁନଗର ଏବ˚ ବାପୁଜୀନଗରର ୨ଗୋଷ୍ଠୀ ମଧ୍ୟରେ ହୋଇଥିବା ଗଣ୍ତଗୋଳରେ ପୁଲିସ ଉଭୟ ପକ୍ଷରୁ ଡାକି ଗତକାଲି ରାତିରେ ଏକ ଶାନ୍ତି କମିଟି କରିଥିଲେ। ଏସଡିପିଓ ପାର୍ଥ କଶ୍ୟପ, ଟାଉନଥାନା ଅଧିକାରୀ ଉଲ୍ଲାସ ରାଉତଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ଶାନ୍ତି କମିଟିରେ ଉଭୟ ଗୋଷ୍ଠୀର ମୁଖିଆ ମାନଙ୍କୁ ଏଭଳି ଘଟଣାର ପୁନରାବୃତ୍ତି ନ ହେବା ଉପରେ ଗୁରୁତ୍ବ ଦେବାପାଇଁ କହିଥିଲେ। ଅଗାମୀ ଦିନରେ ଯେପରି ବିଶୃଙ୍ଖଳା ନହୁଏ ସେଥିପ୍ରତି ଦୃଷ୍ଟିଦେବାକୁ ପରାମର୍ଶ ଦେଇଥିଲେ। ଆଜିଠାରୁ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଗିରଫଦାରି ପ୍ରକିୟା ଆରମ୍ଭ କରାଯିବା ସହ ଦୋଷିଙ୍କୁ ଗିରଫ କରାଯିବ ବୋଲି ଟାଉନଥାନା ଅଧିକାରୀ ଉଲ୍ଲାସ ରାଉତ ସୂଚନା ଦେଇଛନ୍ତି।
ପ୍ରକାଶ ଥାଉକି ଗତକାଲି ଅପରାହ୍ନରେ ୨ଗୋଷ୍ଠୀ ମଧ୍ୟରେ ଗଣ୍ତଗୋଳ ହୋଇଥିଲା। ଉଭୟ ସାହିର ଶତାଧିକ ଲୋକ ରାସ୍ତାକୁ ଓହ୍ଲାଇ ପଥର ମାଡ କରିଥିଲେ। ଏଥିରେ ୬ଜଣକୁ ଆଘାତ ଲାଗିଥିବା ବେଳେ ୩ଜଣଙ୍କ ସବସ୍ଥା ଗୁରୁତର ଥିବା ଯୋଗୁଁ ସେମାନଙ୍କୁ ସହୀଦ ଲକ୍ଷ୍ମଣନାୟକ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରୁ ବିଶାଖାପାଟଣା ନେଇଥିବା ସୂଚନା ମିଳିଛି। ସନ୍ଧ୍ୟାରେ ଗୋପବନ୍ଧୁ ନଗରର ଲୋକମାନେ ତୁରନ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ପାଇଁ ଏସଡିପିଓଙ୍କୁ ଭେଟି ଦାବି ଜଣାଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି