
ମୁମ୍ବାଇ, 22 ନଭେମ୍ବର (ହି.ସ.)- ମହାରାଷ୍ଟ୍ରର
ଧାରାଶିବ ଜିଲ୍ଲା ସ୍ଥିତ ଅନ୍ଦୁରେ ଅଞ୍ଚଳରେ ସୋଲାପୁର–ହାଇଦ୍ରାବାଦ ହାଇୱେରେ ଶନିବାର ସକାଳେ ଦୁଇଟି ଯାନର ଧକ୍କାରେ ପାଞ୍ଚ
ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଆଠ ଜଣ ଆହତ ହୋଇଛନ୍ତି। ମୃତକମାନଙ୍କ ମଧ୍ୟରେ ତିନି ଜଣ ମହିଳା
ଅଛନ୍ତି। ସମସ୍ତ ଆହତମାନେ ସୋଲାପୁରର ସରକାରୀ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। କେତେକଙ୍କ
ଅବସ୍ଥା ଗୁରୁତର ଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିବାର ସମ୍ଭାବନା ଅଛି। ଏହି ଘଟଣାର ତଦନ୍ତ
ଧାରାଶିବ ପୁଲିସ କରୁଛି।
ମାମଲାର ତଦନ୍ତରେ ନିଯୁକ୍ତ
ପୁଲିସ ଅଧିକାରୀ ଆଜି କହିଥିଲେ ଯେ, ସକାଳେ ସୋଲାପୁର ଜିଲ୍ଲାର ଉଲେ ଗାଁର ବାସିନ୍ଦାମାନେ କ୍ରୁଜର୍ ଜିପ୍ରେ
ଦେବଦର୍ଶନ ପାଇଁ ସୋଲାପୁରର ନଲଦୁର୍ଗ ଯାଉଥିଲେ। ଏହି କ୍ରୁଜର୍ କାର୍ ଶନିବାର ସକାଳେ ସୋଲାପୁର–ହାଇଦ୍ରାବାଦ ହାଇୱେ ଦେଇ ଯାଉଥିଲା। ଧାରାଶିବର ଅନ୍ଦୁରେ ଅଞ୍ଚଳରେ
ପହଁଞ୍ଚିବା ମାତ୍ରେ ହଠାତ୍ ଜିପ୍ର ଟାୟର ଫାଟିଯାଇଥିଲା। ଏହି କାରଣରୁ ଡ୍ରାଇଭର ନିୟନ୍ତ୍ରଣ
ହରାଇ ଜିପ୍ ଏକ ଟ୍ରାକ୍ଟର ସହ ଧକ୍କା ହୋଇଥିଲା ଏବଂ ସଡ଼କରେ ଓଲଟି ପଡ଼ିଲା।
ଏହି ଘଟଣାର ସୂଚନା ମିଳିବା
ମାତ୍ରେ ହିଁ ସ୍ଥାନୀୟ ଗ୍ରାମବାସୀମାନେ ତୁରନ୍ତ ଘଟଣାସ୍ଥଳରେ ପହଁଞ୍ଚିଲେ ଏବଂ କ୍ରୁଜର୍ ଜିପ୍କୁ
ସିଧା କରି ଏଥିରେ ଫସିଥିବା ଲୋକମାନଙ୍କୁ ବାହାର କରିଥିଲେ। ଏପର୍ଯ୍ୟନ୍ତ ମିଳିଥିବା ସୂଚନା
ଅନୁସାରେ ଏହି ଘଟଣାରେ ପାଞ୍ଚ ଜଣଙ୍କ ମୃତ୍ୟୁ ହୋଇଛି, ଯେଉଁମାନଙ୍କ ମଧ୍ୟରେ ତିନି ଜଣ ମହିଳା ଅଛନ୍ତି। ଏହି ଦୁର୍ଘଟଣାରେ ଆଠ
ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ ସୋଲାପୁରର ସରକାରୀ
ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ମୃତକ ଏବଂ ଆହତମାନଙ୍କର ପରିଚୟ ସତ୍ୟାପନ
କାର୍ଯ୍ୟ ଜାରି ଅଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା